ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ବାଇଗଣବାଡ଼ିଆ ଗ୍ରାମ ପଞ୍ଚାୟତର କଣ୍ଟାପାଳ ଆକନା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିବାରୁ, ଲୋକଙ୍କ ଯିବା ଆସିବା ବାଧାପ୍ରାପ୍ତ ହୋଇ ବହୁ ସମୟରେ ଦୁର୍ଘଟଣା ହେଉ ଥିବା ଦେଖା ଯାଇଛି । ଉକ୍ତ ରାସ୍ତାରେ ଲୋକେ ବାଲିଆପାଳରୁ ଜଳେଶ୍ଵର ଭାୟା ପଶ୍ଚିମବାର୍ଡ ରାସ୍ତାରେ ବିଭିନ୍ନ ପ୍ରକାର ବ୍ୟବସାୟ ଓ ଆପତ୍ତି ଜନକ କାର୍ଯ୍ୟ ପାଇଁ ୨ ଚକିଆ, ୪ ଚକିଆ ଯାନ ଦ୍ଵାରା ଯିବା ଆସିବା କରିଥାନ୍ତି । ହେଲେ ଖରାଦିନ ହେଉ କି ବର୍ଷାଦିନ ହେଉ ସବୁଦିନ ବେଣୁଧର ପରିଡ଼ା ଘର ଠାରୁ ଚନ୍ଦନ ମେଳା ପଡ଼ିଆ ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁ ଥିବାରୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାରେ ପଡିଛନ୍ତି । ବାଇଗଣବାଡ଼ିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଜାତା ଗିରି ପଞ୍ଚାୟତ ଅର୍ଥ ଖର୍ଚ୍ଚ କରି ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ଚାହୁଁ ଥିଲେ ମଧ୍ୟ ରାସ୍ତାଟି ଆରଡିର ହୋଇଥିବାରୁ ସରକାରଙ୍କ ନିୟମାନୁସାରେ ପଞ୍ଚାୟତ ଅର୍ଥ ଖର୍ଚ ହୋଇ ପାରିବ ନାହିଁ ବୋଲି ଜାଣି ପାରି ଆର.ଡିର ଏସଡିଓଙ୍କୁ ରାସ୍ତା ମରାମତି ପାଇଁ ଅନୁରୋଧ କରିଥିଲେ ଏବଂ ଏସଡିଓ ୭ ଲକ୍ଷ ଟଙ୍କା ଉକ୍ତ ରାସ୍ତା ମରାମତି ପାଇଁ ମଞ୍ଜୁର ହୋଇଛି ଓ ଟେଣ୍ଡର ହୋଇ ସାରିଛି, ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ପ୍ରତିଶୃତି ଦେଇ ଗତ ଜୁନ ୨୮ ତାରିଖ ଦିନ ଏସଡିଓ ଓ ଜେଇ ଆସି କାର୍ଯ୍ୟ କେମିତି ହେବ ଆକଳନ କରିଥିଲେ । ମାତ୍ର ଠିକାଦାର ଟ୍ରାକ୍ଟର ଦ୍ଵାରା ୧୫ ଦିନ ପୂର୍ବରୁ ୫ ଟ୍ରିପ ବାଲି ପକେଇ କୁଆଡ଼େ ଅନ୍ତର୍ଧ୍ଯାନ ହୋଇ ଯାଇଛି । ସରପଞ୍ଚ ପ୍ରତିନିଧି ରବୀନ୍ଦ୍ର ଗିରି ଓ ଅଞ୍ଚଳବାସୀ ବାରମ୍ବାର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ରାସ୍ତା ମରାମତି ପାଇଁ ଜଣାଉ ଥିଲେ ସୁଦ୍ଧା ଆରଡି ବିଭାଗର କର୍ଣ୍ଣପାତ କରୁ ନାହାନ୍ତି ଓ ଆଜି ହେବ କାଲି ହେବ କହି ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଟଳି ଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି । ଏହାସହ ଯଦି ଶୀଘ୍ର ଉକ୍ତ ରାସ୍ତା କାର୍ଯ୍ୟ ନ ହୁଏ, ତାହାଲେ ଖୁବ ଶୀଘ୍ର ଆରଡି କାର୍ଯ୍ୟାଳୟ ସମ୍ମୁଖରେ ବାଇଗଣବାଡ଼ିଆ ଗ୍ରାମ ପଞ୍ଚାୟତର ଜନ ସାଧାରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିବା ସରପଞ୍ଚ ପ୍ରତିନିଧି ରବୀନ୍ଦ୍ର ନାଥ ଗିରି ଓ ଗ୍ରାମବାସୀ ଦର୍ଶାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା