କମିଶନରେଟ ପୋଲିସର ଲାଞ୍ଚୁଆ ଏସ୍ଆଇ ଗିରଫ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏକ ଜମିଜମା ମାମଲାକୁ ରଫାଦଫା କରିବା ଲାଗି ଲାଞ୍ଚ ନେଉଥିବା ବେଳେ କମିଶନରେଟ ପୋଲିସର ଧଉଳି ଥାନାରେ କାର୍ଯ୍ୟରତ ଏସଆଇ ପ୍ରଦୀପ ମହଲା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ସେହି ଅଞ୍ଚଳର ଜ୍ୟୋତିରଞ୍ଜନ ପାଣିଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସୂଚନା ଅନୁସାରେ, ଧଉଳି ଅଞ୍ଚଳର ଜ୍ୟୋତି ରଞ୍ଜନ ପାଣିଙ୍କର ଏକ ଜମିଜମା ବିବାଦ ଲାଗି ରହିଥିଲା । ଏନେଇ ସେ କୋର୍ଟରେ ୱନସିସି କେସ କରିବା ପରି ଅଦାଲତ ଧଉଳି ଥାନାକୁ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ କେବଳ ମାମଲା ରୁଜୁ କରି ଚୁପ ବସିଯାଇଥିଲା । ତେବେ ତଦନ୍ତର ଅଗ୍ରଗତି ସମ୍ପର୍କରେ ଜ୍ୟୋତିରଂଜନ ଥାନାକୁ ଯାଇ ତଦନ୍ତକାରୀ ଅଧିକାରୀ ପ୍ରଦୀପ ମହଲାଙ୍କୁ ପଚାରିଥିଲେ । ସେ ତାଙ୍କ ଠାରୁ ୫୦ ହଜାର ଟଙ୍କା ଦାବି କରିଥିଲେ । ମାମଲାର ତଦନ୍ତ ସହ ନ୍ୟାୟ ପାଇବା ଆଶାରେ ସେ ପ୍ରଥମେ ୨୦ହଜାର ଟଙ୍କା ଦେଇଥିଲେ । ହେଲେ ଟଙ୍କା ନେବା ପରେ ମଧ୍ୟ ତଦନ୍ତ ଆରମ୍ଭ ହୋଇନଥିଲା । ଇତି ମଧ୍ୟରେ ୬ମାସ ବିତି ଯାଇଥିଲା । ସୋମବାର ଶ୍ରୀପାଣି ଥାନାକୁ ଯାଇ ମାମଲା ସମ୍ପର୍କରେ ପଚାରିବାରୁ ସେ ଆଉ ୩୦ ହଜାର ଟଙ୍କା ମାଗିଥିଲେ । ତଦନ୍ତକାରୀ ଅଧିକାରୀଙ୍କ ଏଭଳି ଲାଞ୍ଚଖୋର ମନୋଭାବ ତାଙ୍କୁ ବେଶ ମର୍ମାହତ କରିଥିଲା । ତେବେ ତାଙ୍କୁ ପାନେ ଦେବା ଲାଗି ଶ୍ରୀପାଣୀ ଯୋଜନା କରିଥିଲେ । ଯୋଜନା ମୁତାବକ ସେ ଏନେଇ ଭିଜିଲାନ୍ସ ସେଲରେ ଅଭିଯୋଗ କରିଥିଲେ । ମଙ୍ଗଳବାର ଦାବି ମୁତାବକ ୩୦ ହଜାର ଟଙ୍କା ଦେବାକୁ ଜ୍ୟୋତିରଞ୍ଜନ ରାଜି ହୋଇଥିଲେ । ସେ ଥାନା ଠାରୁ କିଛି ଦୂରରେ ଟଙ୍କା ନେଉଥିବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲା । ଏପରିକି ତାଙ୍କ ପକେଟରୁ ଲାଞ୍ଚ ଟଙ୍କା ଜବତ କରିଥିଲା । ଏନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହ ତାଙ୍କୁୁ ଗିରଫ କରିଥିଲା । ସେହିପରି ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘର ଉପରେ ଚଢଉ କରିଛି । ତେବେ କମିଶନରେଟ ପୁଲିସରେ ପୂର୍ବରୁ ଏକାଧିକ ଅଫିସର ଲାଞ୍ଚ ମାମଲାରେ ଗିରଫ ହୋଇଛନ୍ତି । ପୂର୍ବରୁ ଧଉଳି ଥାନା ଅଧିକାରୀ ଥିବା ଦେବୀ ପ୍ରସାଦ ଦାସ, ଜଟଣୀ ଥାନା ଅଧିକାରୀ ସଞ୍ଜୀବ ମହାନ୍ତିଙ୍କ ସମେତ ୪ରୁ ଅଧିକ ଏସଆଇ ଓ ଏଏସଆଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତେବେ ଗୋଟିକ ପରେ ଗୋଟିଏ ପୁଲିସ ଅଫିସର ଲାଞ୍ଚ ମାମଲାରେ ଗିରଫ ହେବା ପରେ କମିଶନରେଟ ପୁଲିସର ଭାବମୂର୍ତ୍ତୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରିପୋର୍ଟ : ଆକାଶ ମିଶ୍ର