ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ପ୍ରତିଦିନ ବଢି ବଢି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଠାରୁ ଗଞ୍ଜାମ ଜିଲ୍ଲାର ୧୮ଟି ସହରରେ ପ୍ରଶାସନ ପକ୍ଷରୁ ୫ ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏଥିରେ ବ୍ରହ୍ମପୁର ସହର ସମେତ ହିଞ୍ଜିଳିକାଟୁ ପୌର ସଂସ୍ଥା, ୧୬ଟି ଏନ୍ଏସି ଏବଂ ଜଗନ୍ନାଥପ୍ରସାଦ, ଶେରଗଡ଼, ପାତ୍ରପୁର, କୁକୁଡ଼ାଖଣ୍ଡି, ଧରାକୋଟ, ସାନଖେମୁଣ୍ଡି ବ୍ଲକ୍ ହେଡ୍ କ୍ୱାର୍ଟର ଅନ୍ତର୍ଭୁକ୍ତ । ଅନ୍ୟପଟେ ଏହି ସଟ୍ ଡାଉନ୍ ଅବସରରେ ୨୩ଟି ସହରରେ ନିୟୋଜିତ ୨୦୦ ମେଡିକାଲ ଟିମ୍ ଘରକୁ ଘର ବୁଲି ଲୋକଙ୍କ ଠାରୁ ସ୍ୱାସ୍ଥ୍ୟ ସମସ୍ୟା ଜନିତ ତଥ୍ୟ ସଂଗ୍ରହ କରୁଛନ୍ତି । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ଏହିପରି ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ ହୋଇ ସାରିଥିବା ବେଳେ ଏବେ ପ୍ରତିଟି ଟିମ୍ ଅକ୍ସିମିଟର ଧରି ବୁଲୁଛନ୍ତି ଓ ଆବଶ୍ୟକ ସ୍ଥଳେ ତାହା ମାଧ୍ୟମରେ ଲୋକଙ୍କ ଶରୀରରେ ଅକ୍ସିଜେନ୍ ପ୍ରବାହ ଠିକ୍ ରୂପେ ହେଉଛି କି ନାହିଁ ତାହା ମାପି ଦେଖୁଛନ୍ତି । ସେହିପରି ଆଉ ଏକ ପଦକ୍ଷେପ ପ୍ରଶାସନ ପକ୍ଷରୁ ନିଆଯାଇଛି ତାହାହେଲା ଆଜି ଠାରୁ ଏମକେସିଜି ମେଡ଼ିକାଲ କଲେଜର ଓପିଡିକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇ ମୁଖ୍ୟ ଫାଟକରେ ପୋଲିସ ମୁତୟନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ପୁଣି ଥରେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ଯେ ମେଡ଼ିକାଲ ଟିମକୁ ସହଯୋଗ କରିବା ସହ ସରକାରୀ ନିୟମ ପାଳନ କରନ୍ତୁ ଏବଂ କରୋନା ଭୁତାଣୁ ସଂକ୍ରମଣରୁ ଦୂରେଇ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା