କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ପୋତାକୁ ନେଇ ଗ୍ରାମବାସୀଙ୍କ ବିରୋଧ…

ରାୟଗଡ଼ା (ସମୃଦ୍ଧ ଓଡିଶା) କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଶବ ପୋତାଯିବାକୁ ନେଇ ଗ୍ରାମାବାସୀଙ୍କ ବିରୋଧ । ପ୍ରଶାସନ ପକ୍ଷରୁ କରୋନାରେ ପିଡୀତ ହୋଇ ଜୀବନ ହାରିଥିବା ମୃତ ବ୍ୟକ୍ତିଙ୍କ ଶବକୁ ରାୟଗଡ଼ା ସଦର ବ୍ଲକ ଅଧିନ ବାଇସିଂ ପଞ୍ଚାୟତ ଜୁରୁଡି ଗ୍ରାମ ନିକଟରେ ପୋତାଯିବାକୁ ନେଇ ସ୍ଥାନୀୟ ବାସୀନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶାସନ ତରଫରୁ ମୃତ ଦେହକୁ ପୋତା ଘଟଣାକୁ ବିରୋଧ କରି ଆଜି ବାଇସିଂ, ଧୁମାଗୁଡା, ଜୁରୁଡି ଓ ଆଖପାଖ ଗ୍ରାମର ଲୋକେ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଉକ୍ତ ପଞ୍ଚାୟତ ଅଧିନ ଜୁରୁଡି ଗ୍ରାମ ନିକଟ ଏକ ନିଛାଟିଆ ଖାଲି ସ୍ଥାନରେ ବୁଧାବାର ବିଳମ୍ବିତ ସନ୍ଧ୍ୟା ସମୟରେ ପ୍ରଶାସନ ପକ୍ଷରୁ ସେଠାକୁ ନେଇ କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଶବକୁ ପୋତା ଯାଇଥିଲା । ସନ୍ଧ୍ୟାବେଳେ ସ୍ଥାନୀୟ ଲୋକେ ଘର ଭିତରେ ରହିଥିବାରୁ ଏକ ଘରୋଇ ସ୍ଥାନରେ ପ୍ରଶାସନ ଏହି ମୃତ ଦେହକୁ ନେଇ ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉକ୍ତ ସ୍ଥାନରେ ଗ୍ରାମଦେବୀଙ୍କୁ ଅଞ୍ଚଳବାସୀନ୍ଦା ପୂଜାର୍ଚ୍ଛନା କରୁଥିବାବେଳେ ନିରୀହ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଧାର୍ମିକ ଅବେଗକୁ ଏହା କୁଠାର ଘାତ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ସେହି ସ୍ଥାନରୁ ମୃତ ଦେହକୁ ସ୍ଥାନାନ୍ତର କରିବା ପାଇଁ ଗ୍ରମବାସୀ ଅଡିବସିଥିଲେ । ତେବେ ଜିଲ୍ଲାପାଳ ଶ୍ରୀ ବେହେରାଙ୍କ ଅନୁପସ୍ଥିତି ଯୋଗୁଁ ଗ୍ରାମବାସିନ୍ଦା ସହକାରୀ ଜିଲ୍ଲାପାଳ ଦିବାକର ପାତ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆସନ୍ତା ଦିନରେ ଗ୍ରାମବାସୀଙ୍କ ଅଭିଯୋଗ କର୍ଣ୍ଣପାତ ନକଲେ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଅନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷେ କୋଭିଡ ମାର୍ଗଦର୍ଶିକା ଅନୁପାଳନ କରି ଏ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ