ପୋଲସରା (ସମୃଦ୍ଧ ଓଡିଶା) ସାରା ବିଶ୍ୱକୁ ଗ୍ରାସିଛି କରୋନା । ଏଥିରେ ଗଲାଣି ଦୁଇ ଲକ୍ଷରୁ ଅଧିକ ଜୀବନ । କରୋନାକୁ ନେଇ ଆମଦେଶର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ପ୍ରଚେଷ୍ଟା ଜାରିରହିଛି । ପ୍ରଶାସନ ମଧ୍ୟ ସଜାଗ ରହିବା ସ୍ଵତ୍ତ୍ୱେ ଗଞ୍ଜାମ ଜିଲ୍ଲାର ମଧୂପଲ୍ଲୀ ପଞ୍ଚାୟତର ମାଟିଆସାହି ଗ୍ରାମର ଜଣେ ଗରିବ ପ୍ରବାସୀ ଓଡ଼ିଆ ଶ୍ରମିକ ପ୍ରଫୁଲ ବେହାରଙ୍କ ଢୁଙ୍କାପଡା ହାଇ ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଗତ ମଇ ୮ ତାରିଖ ଦିନ ମୃତ୍ୟୁ ଘଟିଛି । ପ୍ରଫୁଲଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିବା ଯୋଗୁଁ ବ୍ରହ୍ମପୁର ଆମ୍ବୁଲାନ୍ସରେ ନେବା ପୂର୍ବରୁ ସେ ସ୍କୁଲ ପାହାଚ ତଳେ ଟଳି ପଡ଼ିଥିଲେ । କାଳେ ପ୍ରଫୁଲ କରୋନା ସଂକ୍ରମିତ ଥିବା ଚିନ୍ତା କରି ପ୍ରଶାସନ ମୃତକଙ୍କ ପରିବାରଙ୍କୁ ଶେଷ ଦର୍ଶନ ଲାଗି ଶବ ନିକଟକୁ ଛାଡି ନ ଥିଲେ । କଠୋର ଆଇନ ପ୍ରୟୋଗ କରିବା ଯୋଗୁଁ ପ୍ରଶାସନକୁ କେତକ ସମାଲୋଚନ କରଥିଲେ ମଧ୍ୟ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇବା ପରେ ପ୍ରଫୁଲଙ୍କ ସ୍କାବ ଟେଷ୍ଟରୁ କରୋନା ପଜିଟିଭ ଥିବା ଜଣାପଡିଥିଲା । ପରେ ସମାଲୋଚକ ମାନେ ଅନୁଭବ କଲେଯେ ପ୍ରଶାସନର କଠୋର ପଦକ୍ଷେପ ସ୍ୱର୍ଗତ ପ୍ରଫୁଲଙ୍କ ପରିବାର ନିଶ୍ଚିତ ବିପଦରୁ ସୁରକ୍ଷିତ ହୋଇ ପାରିଛନ୍ତି । ହେଲେ ପ୍ରଫୁଲ୍ଲ ବେହେରାଙ୍କ ମୃତ୍ୟୁ ପରେ ଧର୍ଯ୍ୟହରା ହୋଇ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ରିତା ବେହେରାଙ୍କ ସହ ୪ ଜଣ ଝିଅ ଓ ବୁଢ଼ୀ ମାଆ । କାନ୍ଦି କାନ୍ଦି ବଡ ଝିଅ ସୋନାଲି କହିଥିଲେ, ବାପାଙ୍କ ରୋଜଗାରେ ଆମେ ପାଠ ପଢୁଥିଲୁ, ନୂଆ ଡ୍ରେସ ପିନ୍ଧୁଥିଲୁ, ପେଟକୁ ଦାନ ପାଉଥିଲୁ, ନିଷ୍ଟୁର କରୋନା ନେଇଗଲା ବାପାଙ୍କୁ, ବାପାଙ୍କୁ ହରାଇ ଆମେ ବର୍ତ୍ତମାନ ସମ୍ପୂର୍ଣ୍ଣ ଅସହାୟ ଓ ଦିଗହରା । ଏଣେ ସ୍ୱର୍ଗତ ପ୍ରଫୁଲଙ୍କ ବିଧବା ପତ୍ନୀ କୋହଭାର କଣ୍ଠରେ କହିଥିଲେ, ଆମେ ଚଳିବୁ କେମିତି ? ଚାରି ଝିଅ ପଢ଼ିବେ କିପରି ? ଆମକୁ ଖାଇବାକୁ ଦେବକିଏ ? ଏହିପରି ଅନେକ ପ୍ରଶ୍ନ । ପ୍ରଫୁଲ୍ଲଙ୍କ ମୃତ୍ୟୁ ହେବାର ୫ ଦିନ ହୋଇଥିଲେ ମଧ୍ୟ ଏହି ଅସହାୟ ପରିବାରକୁ ସରକାରଙ୍କ ତରଫରୁ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନାହିଁ ବୋଲି କହିଥିଲେ ମଧୂପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବସନ୍ତ କରଣ । କେବଳ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ନଗଦ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଅନ୍ୟ ପକ୍ଷରେ ସରକାର ତୁରନ୍ତ ସ୍ୱର୍ଗତ ପ୍ରଫୁଲଙ୍କ ପର୍ବାରକୁ ସହାୟତା ପ୍ରଦାନ କରିବା ଲାଗି ମଧୁପଲ୍ଲୀ ଗ୍ରାମ ପଞ୍ଚାୟତର ଜନସାଧାରଣ ନିବେଦନ କରିଛନ୍ତି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା