

ଚିକିଟି (ସମୃଦ୍ଧ ଓଡିଶା) କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବା ବେଳେ ଏହାର ପ୍ରତିକାର ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ସଚେତନତା କରିବାକୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଚେଷ୍ଟା ଚାଲିଛି । ରବିବାର ଗଂଜାମ ଜିଲ୍ଲା ପ୍ରଶାସନର ଆଦେଶ ପ୍ରକାରେ କରୋନାର ମୁକାବିଲା ଓ ପ୍ରତିକାର ପାଇଁ ଏକ ପଞ୍ଚାୟତସ୍ତରୀୟ ସଚେତନତା ବୈଠକ ସୋରଳରେ ସରପଞ୍ଚ ଡ଼ି ଦାମୋଦର ରେଡ୍ଡୀ ଅଧ୍ୟକ୍ଷତାରେ ଓ ସୁନାପୁର ପଞ୍ଚାୟତରେ ସରପଞ୍ଚ ମଞ୍ଜୁଳା ବେହେରା ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭୟଭୀତ ନହୋଇ ଜନସଚେତନତା ସହ ସାମାନ୍ୟ ସତର୍କତା ଅବଲମ୍ବନ କଲେ କରୋନାକୁ ମୁକାବିଲା କରିହେବ ବୋଲି କହିବା ସହିତ କରୋନାର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ସୋରଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ ଦେବୀପ୍ରସାଦ ଦାଶ ଉପସ୍ଥିତ ଅଙ୍ଗନବାଡି, ଆଶାଦିଦି, ଶିକ୍ଷକ ଆଦି ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ସୁନାପୁର ଓ ସୋରଳ ପଂଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ପତି ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲାପରିଷଦସଦସ୍ୟ ଗୋବିନ୍ଦ ବେହେରା ସମିତିସଭ୍ୟ ଗିରିଧାର ବେହେରା, ସମିତିସଭ୍ୟ ଯଶୋଦା ବେହେରା, ଶଙ୍କର ବେହେରା, ଦେବରାଜ ବେହେରା, ବି କୋଟେସୁ ପ୍ରମୁଖ ମଞ୍ଚାସିନ ଥିଲେ । ବୈଠକ ପରେ କରୋନା ପାଇଁ ଏକ ପଞ୍ଚାୟତ ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

