ରାୟଗଡା (ସମୃଦ୍ଧ ଓଡିଶା) କରୋନା କାଳରେ ଆରମ୍ଭରୁ ଫିକା ପଡ଼ିଲାଣି ପାର୍ବଣ ଋତୁ । ଆଜି ପବିତ୍ର ଗଣେଶ ଚତୁର୍ଥୀ । ହେଲେ ସକାଳୁ କୌଣସି ଜାଗାରେ ଶୁଭୁନି ମାଇକର ଗୀତ ଏବଂ ନହିଁ କୋଳାହଳ । ନିରାଡମ୍ବରେ ପାଳିତ ହେଉଛି ଗଣେଶ ପୂଜା । କରୋନା ସଂକ୍ରମଣକୁ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜାକୁ ବାରଣ କରାଯାଇଛି । କିନ୍ତୁ ଶ୍ରଦ୍ଧାଳୁଙ୍କ ଭକ୍ତି ଆଗରେ ହାର ମାନିଛି ମହାମାରୀ । ଫଳରେ ପୂର୍ବ ଭଳି ପୂଜା ମଉଜ ଭୁଲି ସହରବାସୀ ଏବେ ପରମ୍ପରା ବଜାୟ ରଖିବା ଉଦ୍ଧେଶ୍ୟରେ ଘରେ ଘରେ ପୂଜାଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ରାୟଗଡ଼ା ସହରରେ ଅଗ୍ରହପୂଜ୍ୟଙ୍କ ପୂଜା ନିମନ୍ତେ ସାହି ଛକ କିମ୍ବା ପେଣ୍ଡାଲରେ ମୂର୍ତ୍ତି ରଖି ପୂଜା କରାଯାଉ ନଥିବା ଦେଖାଦେଇଛି । କରୋନା ସଂକ୍ରମଣ ପ୍ରତିହତ ସକାଶେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପ୍ରଶାସନ ଜିଲ୍ଲାରେ ସମସ୍ତ ପୂଜାର୍ଚ୍ଚନା ଓ ଧାର୍ମିକ ସମାବେଶ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି । ଯାହାଫଳରେ ଆସନ୍ତା ଦିନରେ ଆରମ୍ଭ ହେଉଥିବା ପାର୍ବଣ ଋତୁ ଏଥିନେଇ ଫିକା ପଡିବ ନେଇ ସମ୍ଭବତଃ ଆଶଙ୍କା ଦେଖା ଦେଇଛି । ଅନ୍ୟପକ୍ଷେ କଟକଣା ସତ୍ୱେ ବିଘ୍ନହର୍ତା ଶ୍ରୀ ଗଣେଶଙ୍କ ପୂଜା ଜାକଜମକରେ ନ ହେଉଥିଲେ ମଧ୍ୟ ଲୋକଙ୍କ ଶ୍ରଦ୍ଧା ଆଗରେ ମୁଣ୍ଡ ନୁଆଇଁଛି ମହାମାରୀ । ସହରବାସୀ ନିଜ ଇଚ୍ଛା ମୁତାବକ ବଜାରରୁ ଶ୍ରୀ ଗଣେଶଙ୍କ ମୂର୍ତ୍ତି ଆଣି ନିଜ ଘରେ ସ୍ଥାପନ କରି ପୂଜା କରୁଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ