

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଅଧ୍ୟଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ପୀଠ ନବମୀ ପୂଜା ଉପଲକ୍ଷେ ପ୍ରତିବର୍ଷ ଚଳଚଞ୍ଚଳ ହେଉଥିବା ବେଳେ ଚଳିତ ଥର କୋଭିଡ଼-୧୯ ନିୟମ ଯୋଗୁଁ ମନ୍ଦିର ପରିସର ଖାଁ ଖାଁ ହୋଇପଡିଛି । ବିଶେଷ କରି ଆନ୍ଧ୍ର ପ୍ରଦେଶର ଶତାଧୁକ ଭକ୍ତ ରାୟଗଡ଼ାକୁ ମା’ଙ୍କ ପାଇଁ ଆସିଥାନ୍ତି । ଚଳିତ ଥର ମହାମାରୀ ଭୂତାଣୁ ଭୟରେ ସରକାରଙ୍କ ତରଫରୁ ଲାଗିଥିବା କଟକଣା ଯୋଗୁଁ ଚଳିତ ବର୍ଷ ପୂର୍ବ ବର୍ଷ ଭଳି ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ ପାଇଁ ମନ୍ଦିରକୁ ଆସି ନ ଥିବା ଦେଖୁବାକୁ ମିଳିଛି । ଏହି ଦିନଗୁଡିକରେ ମା’ ମଝିଘରିଆଣୀଙ୍କ ପୂଜାବିଧି ନୀତିକାନ୍ତି ଅନୁଯାୟୀ ସବୁଦିନ ଜାରି ରହିଛି । ପଞ୍ଚମ ଥର ତାଲାବନ୍ଦ ନିୟମ କୋହଳ ପରେ ରାଜ୍ୟ ସରକାର ଧାର୍ମିକ ସ୍ଥଳୀକୁ ଖୋଲିବା ନେଇ ଅନୁମତି ଦେଇ ନ ଥିଲେ ସୁଦ୍ଧା ଅନେକ ଶ୍ରଦ୍ଧାଳୁ ମା’ଙ୍କ ମନ୍ଦିର ଭିତରକୁ ପ୍ରବେଶ ନ କରି ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ରହି କଟକଣାକୁ ପାଳନ କରି ମା’ଙ୍କୁ ସ୍ମରଣ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପର୍ଯ୍ୟାୟକ୍ରମେ କରୋନା କଟକଣା କୋହଳ ହେଲା ପରେ କୋଭିଡ ମାର୍ଗଦର୍ଶିକା ଆନୁପାଳନ କରି ଚଳିତ ଥର ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେବ । ଅଧ୍ୟଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ନିକଟରେ ମଧ୍ୟ ଅନୁରୂପ ଗତ ୧୬ ତାରିଖ ବିଳମ୍ବିତ ରାତି ପ୍ରତିପଦାଠାରୁ ମା’ଙ୍କ ନବରାତ୍ର ପୂଜା ନୀତି ଆରମ୍ଭ ହୋଇଛି । ବର୍ଷକୁ ଥରେ ମା’ଙ୍କ ନିକଟରେ ପୂଜା ପାଉଥିବା ଜୟ ଦୁର୍ଗା ଖଣ୍ଡାକୁ ମନ୍ଦିର ପାର୍ଶ୍ଵବର୍ତ୍ତୀ ଝଞ୍ଜାବତୀ ନଦୀରେ ସ୍ନାନଧୌତ କାର୍ଯ୍ୟ ପରେ ବିଶେଷ ପୂଜା ବିଧାନ ଅନୁଷ୍ଠିତ ହୋଇ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅସ୍ଥାୟୀ ମନ୍ଦିର ଗୃହରେ ଆଣି ସ୍ଥାପନ କରାଯାଇଥାଏ । ସେଠାରେ ପ୍ରତ୍ୟେକ ଦିନ ପୂଜକମଣ୍ଡଳୀଙ୍କ ଦ୍ବାରା ହୋମଯଜ୍ଞ ଓ ରାତିରେ ଚଣ୍ଡୀପାଠ ଆୟୋଜିତ ହୋଇଥାଏ । ମହାଷ୍ଟମୀ ଦିନ ବିଶେଷ ସନ୍ଧି ପୂଜା ଆୟୋଜନ ହୋଇଥାଏ । ସେହି ଦିନ ମା’ ମଝିଘରିଆଣୀଙ୍କ ଖଣ୍ଡାକୁ ଅନୁରୂପ ପୂଜାର୍ଚ୍ଚନା କରି ସ୍ଥାପନ କରାଯିବା ସହ ଗୁପ୍ତ ପୂଜା ଅନୁଷ୍ଠିତ ହୁଏ । ମହାନବମୀରେ ଯଜ୍ଞ ପୂର୍ଣ୍ଣାହୁତି ହୁଏ । ଏହି ସମୟରେ ମା’ଙ୍କ ନିକଟରେ ଅଖଣ୍ଡ ଦୀପ ଲାଗି ହୋଇଥାଏ ।


