

ରାୟଗଡା (ସମୃଦ୍ଧ ଓଡିଶା) କରୋନା ମାନଚିତ୍ର ରେ ସାମିଲ ହେଲା ରାୟଗଡା ଜିଲ୍ଲା । ଜଣେ ମହିଳାଙ୍କ ଦେହରେ କରୋନା ପୋଜିଟିବ୍ ଚିହ୍ନଟ ହୋଇଛି ବୋଲି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ରାଜ୍ୟର ୨୯ଗୋଟି ଜିଲାରେ କରୋନା କାୟା ବିସ୍ତାର କରିସାରିଥିବାବେଳେ ମହାମାରୀ ଭୂତାଣୁ ରାୟଗଡାରେ ପାଦ ଥାପିଛି । ଫଳରେ ଦୀର୍ଘଦିନରୁ ଜିଲାବାସୀ ଗ୍ରୀନ ଜୋନରେ ରହି ଆସିଥିବା ବେଳେ ମହାମାରୀଠାରୁ ନିଜକୁ ସୁରକ୍ଷିତ ମନେ କରୁଥିଲେ । କିନ୍ତୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେଲା ସହରବାସୀଙ୍କ ମଧ୍ୟରେ କୋକୁହା ଭୟର ଦେଖା ଦେଇଛି । ଜିଲାକୁ ଫେରନ୍ତା ପ୍ରବାସୀଙ୍କ ପର୍ଯ୍ୟାୟକ୍ରମେ ସ୍ୱାବ ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷଣ ସକାଶେ ଆରଏମଆରସି ପଠାଯାଉଥିବା ବେଳେ ଆଜି ଜଣେ କୋଭିଡ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ତରଫରୁ ଟ୍ୱିଟ ଯୋଗେ ସ୍ପଷ୍ଟ ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣକ ହେଲେ ୨୦ବର୍ଷିୟା ଜଣେ ଯୁବତୀ । ସୂଚନା ଅନୁଯାୟୀ ଗତ ମେ ୨୫ତାରିଖ ଦିନ ଯୁବତୀ ଜଣକ ଦୀଲ୍ଲିରୁ ଗୋଟିଏ ବୋଲେରୋ ଯୋଗେ ରାୟଗଡାରେ ପହଞ୍ଚିଥିଲେ । ପୌରାଞ୍ଚଳ ଅଧିନସ୍ତ ପଞ୍ଚିକରଣ କେନ୍ଦ୍ରରେ ପଞ୍ଜିକୃତ ହେଲା ପରେ ସହରାଞ୍ଚଳ ହୋଇଥିବାରୁ ତାଙ୍କୁ ଘରେ ସଂଗରୋଧ ଅବସ୍ଥାରେ ରଖାଯାଇଥିଲା । ଗତ ୨୮ତାରିଖ ଦିନ କରୋନା ଲକ୍ଷଣ ପ୍ରକାଶ ପାଇଥିବାରୁ ଚିକିତ୍ସାଳୟ ଟିମ ପହଞ୍ଚି ତାଙ୍କ ସ୍ୱବ ନମୁନା ସଂଗ୍ରହ କରି ଭୁବନେଶ୍ୱର ସ୍ଥିତ ଆରଏମଆରସି କେନ୍ଦ୍ରକୁ ପଠାଯାଇଥିଲା । ଏହା ପରୀକ୍ଷଣ ପରେ ରିପୋର୍ଟ ପୋଜିଟିବ୍ ଆସିଥିବା ଆଜି ଜିଲାପାଳ ଶ୍ରୀ ବେହେରା ଗଣମାଧ୍ୟମ ପ୍ରତିନିଧାଙ୍କୁ ସୂଚନା ଦେଇଛନ୍ତି । ତେବେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଯୁବତୀ ଓ ତାଙ୍କ ଚାରି ଜଣ ପରିବାର ଲୋକ ରହୁଥିବା ଅଞ୍ଚଳକୁ କଣ୍ଟେଣ୍ଟ୍ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସ୍ଥାନୀୟ କୋରାପୁଟ ଛକଠାରୁ ମୁନିସପାଲ ଛକ ଆରକେ ନଗର ଅଞ୍ଚଳ, ଓ ବସ ଷ୍ଟାଣ୍ଡ ଭିତର ସମସ୍ତ ହୋଟେଲ ଓ ଦୋକାନ କଣ୍ଟେଣ୍ଟ୍ମେଣ୍ଟ ଜୋନରେ ଆସୁଥିବାରୁ ଏହାକୁ ସଂମୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ଉପ ଜିଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ଆକ୍ରାନ୍ତଙ୍କ ନଜସ୍ୱ ଘର ସହର ଉପଖଣ୍ଡ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେଣ୍ଟ୍ମେଣ୍ଟ ଜୋନ ଘୋଷଣା କରାଯାଇଛି । ଉପରୋକ୍ତ ଅଞ୍ଚଳରେ ଆଜିଠାରୁ ସାଧାରଣ ଲୋକଙ୍କ ପ୍ରବେଶ ଓ ପ୍ରସ୍ତାନ ଉପରେ ସଂମ୍ପୂର୍ଣ୍ଣ ରୋକ ଲାଗାଯାଇଛି । ଆସନ୍ତା ୭ତାରିଖ ସକାଳ ୭ଟା ଯାଏଁ ଏହି ଅଞ୍ଚଳ ପୁଲିସ ସୁରକ୍ଷା ବଳଙ୍କ କଡନ ମଧ୍ୟରେ ରହିବ । ଅଞ୍ଚଳବାସୀନ୍ଦା ନିୟମ ଖିଲାପ କଲେ ପୁଲିସ ପକ୍ଷରୁ ବିପର୍ଯ୍ୟ ପରିଚାଳନା ଆଇନ ୨୦୦୫, ଅଧିନିୟମ ୫୧ ଓ ୬୦ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ତେବେ ଏହି ଅଞ୍ଚଳରେ ରହୁଥିବା ସହିବାସୀଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ରାଶନ ପ୍ରଦାନ ସକାଶେ ଅତିରିକ୍ତ ଯୋଗାଣ ଅଧିକାରୀ ସିଏଚ୍. ମୁରଲି କିର୍ଷ୍ଣା ରାଓ ଓ ପୌରପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ସହ ଏମାନଙ୍କ ଯୋଗାଯୋଗ ମୋବାଇଲ ନମ୍ବର ମଧ୍ୟ ପ୍ରଶସାନ ପକ୍ଷରୁ ଯାରି ହୋଇଛି । ଶ୍ରୀ ସତପଥିଙ୍କ ଯୋଗାଯୋଗ ନଂ ୯୪୩୭୮୮୨୨୨୦ ଓ ଶ୍ରୀ କ୍ରୀର୍ଷ୍ଣାଙ୍କ ମୋବାଇ ଫୋନ ନଂ.୯୪୩୭୩୭୪୫୭୬ । ସ୍ୱାସ୍ଥ୍ୟ ସଂର୍ମ୍ପକିତ ଜରୁରୀ କାଳିନ ପରିସ୍ଥିତି ପାଇଁ ଡିପିଏମ ରାଜେଶ୍ୱର ପଟ୍ଟନାୟକଙ୍କୁ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟଭାର ପ୍ରଦାନ କରାଯାଇଛି । ଶ୍ରୀ ପଟ୍ଟନାୟକଙ୍କ ମୋବାଇଲ ନଂ ୯୪୩୯୯୮୩୫୦୭ ମଧ୍ୟ ପ୍ରଶାସନ ପକ୍ଷରୁ ଜାରି ହୋଇଛି । ତେବେ ଏହି ଅଞ୍ଚଳରେ ପରିମଳ ବ୍ୟବସ୍ଥା ଦାୟିତ୍ୱରେ ପୌରପରିଷଦ ଏସଆଇ ଭି. ରାଜୁଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ ସକାଶେ ସ୍ଥାନୀୟ ତହସିଲଦାର ଉମାଶଙ୍କର ବେହେରାଙ୍କୁ ଅବସ୍ଥାପିତ କରାଯାଇଥିବା ଉପ ଜିଲାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷେ ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଜିଲାପାଳ ଶ୍ରୀ ବେହେରା ଜିଲାବାସୀଙ୍କୁ ଭୟଭିତ ନହୋଇ ସଚେତନ ରହିବାକୁ ନିବେଦନ କରିଛନ୍ତି । ଘର ବାହରକୁ ବାହାରିଲେ ମାସ୍କ ପିନ୍ଧିବା ଓ ସମାଜିକ ଦୂରତ୍ୱ ପାଳନ କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ