କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରୁରୀକାଳୀନ ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନାର ଗତିରୋଧ କରିବା ପାଇଁ ସମସ୍ତ ପ୍ରକାର ପ୍ରାକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆହ୍ୱାନ ଦେଇଛନ୍ତି । ଜିଲ୍ଲାପାଳନ ଆହୂତରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁ ବାହାର ଲୋକମାନେ ଜିଲ୍ଲା ଭିତରକୁ ପ୍ରବେଶ କରୁଛନ୍ତି ତାଙ୍କ ଉପରେ ତୀକ୍ଷ୍ମ ନଜର ରଖାଯିବ । ଛତ୍ରପୁର ଓ ବ୍ରହ୍ମପୁର ରେଳ ଷ୍ଟେସନରେ ସଚେତନତା ପ୍ରକୋଷ୍ଠ କାର୍ଯ୍ୟ କରିବ । ସବୁ ସରକାରୀ କାର୍ଯ୍ୟାଳୟ, ସର୍ବ ସାଧାରଣ ଯାତାୟାତ ସ୍ଥାନ, ପରିବହନ ଯାନ, ବିଦ୍ୟାଳୟ ଗୁଡିକରେ କରୋନା ପାଇଁ କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ ତାର ପ୍ରଚାର ପତ୍ର ଲଗାଯିବ । ବ୍ଲକ ଉନ୍ନୟନ ଅଧିକାରୀ ଆସନ୍ତାକାଲି ପଞ୍ଚାୟତିରାଜ ପତିନିଧି ମାନଙ୍କର ବୈଠକ ଡାକିବେ, ପୂର୍ବାହ୍ନରେ ବ୍ଲକରେ ଏବଂ ଅପରାହ୍ନରେ ଗ୍ରାମ ପଞ୍ଚାୟତ ସ୍ତରରେ ହାତ ଧୋଇବାର କୌଶଳ ପ୍ରଦର୍ଶନ କରାଯିବ । ରାଜୀବଗାନ୍ଧୀ ସେବା କେନ୍ଦ୍ର ଗୁଡିକ ସଫା ସୁତୁରା କରି ରଖିବେ ଯାହା ଫଳରେ କି ସେଠାରେ କରୋନା ବିରୋଧ ଗୃହ କାର୍ଯ୍ୟ କରିପାରିବ । ପ୍ରତ୍ୟେକ ପୌରସଂସ୍ଥା ମାନଙ୍କରେ ଦୁଇ ଗୋଟି ସ୍ୱତନ୍ତ୍ର କରୋନା ନିରୋଧ ଗୃହ ପ୍ରସ୍ତୁତ ହୋଇ ରହିବ । ସମସ୍ତ ଡାକ୍ତରଖାନା ମାନଙ୍କରେ ପୃଥକୀ କରଣ କକ୍ଷ ସଜାଗ ରହିବ । ଥଣ୍ଡା କାଶ ପୀଡିତ ବ୍ୟକ୍ତି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀଙ୍କୁ ସ୍ୱତଃ ପ୍ରବୃତ ସୂଚନା ଦେବେ । କେହି ଏହା ଲୁଚାଇଲେ ତାଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ହେବ । ସର୍ବ ସାଧାରଣ ସମାବେଶକୁ ବାରଣ କରାଯାଇଛି । ସିନେମା ହଲ, ଜିମ, ସୁଇମିଙ୍ଗ ପୁଲ, ସର୍ବ ସାଧାରଣ କ୍ଳବ ପ୍ରଭୃତି ବନ୍ଦ ରହିବ । ଆବଶ୍ୟକ ସ୍ଥଳେ ଉପଜିଲ୍ଲାପାଳ ମାନେ ୧୪୪ ଧାରା ପ୍ରୟୋଗ କରିପାରିବେ । ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଏବଂ ମୋ ନିବେଦନ ଓ ଆମ ଗାଁ ତହସିଲ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ ରହିବ ଏବଂ ଶିକ୍ଷକମାନେ ନିୟମତି ଉପସ୍ଥିତ ରହିବେ । ଯାନୀ ଯାତ୍ରା ଉପରେ କଟକଣା ଜାରି କରାଯିବ । ପାନ ପିକରୁ ନିବୃତ୍ତ ରହିବା ପାଇଁ ଅନୁରୋଧ କରାଯାଇଛି । କେବଳ ରାଜ୍ୟ ସରକାରଙ୍କ ପ୍ରଦତ୍ତ ବାର୍ତ୍ତାକୁ ଗ୍ରହଣ କରିବା ପାଇଁ କୁହାଯାଇଛି । ସାମାଜିକ ଗଣ ମାଧ୍ୟମକୁ ଗୁରୁତ୍ୱ ନ ଦେବାକୁ କୁହାଯାଇଛି । କୌଣସି ଘରୋଇ ସଂସ୍ଥା କରୋନା ପରୀକ୍ଷା କରିବାକୁ ବାରଣ କରାଯାଇଛି । କର୍ମଚାରୀମାନଙ୍କୁ ମୁଖ୍ୟାଳୟ ନ ଛାଡିବା ପାଇଁ କୁହାଯାଇଛି । ଜିଲ୍ଲା ସ୍ତରରେ ଅହୋରାତ୍ର ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ । ଜନସାଧାରଣ ଟେଲିଫୋନ ନମ୍ବର ୦୬୮୦-୨୨୨୪୭୯୮ ଅଥବା ୯୪୩୯୯୮୩୯୫୬ କିମ୍ବା ଟୋଲ ଫ୍ରି ନମ୍ବର ୧୦୪ରେ ଯୋଗାଯୋଗ କରିପାରିବେ । ଆବଶ୍ୟକ ସ୍ଥଳେ ରାଜ୍ୟ ସ୍ତର ଟେଲି ଫୋନ ନମ୍ବର ୦୬୭୪-୨୩୯୦୪୬୬ରେ ଯୋଗାଯୋଗ କରିପାରିବେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ବୋଲି ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଗଞ୍ଜାମ, ଛତ୍ରପୁର ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା