ରାୟଗଡ଼ା (ସମୃଦ୍ଧ ଓଡିଶା) ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ସବୁସ୍ତରରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗାଁ ଗହଳିର ସ୍ୱେଚ୍ଛାସେବୀ ଯାଏଁ ସମସ୍ତେ କରୋନା ସଂକ୍ରମଣରୁ ମାନବ ଜାତିକୁ ରକ୍ଷା ପାଇଁ ଲାଗି ପଡିଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳର ଜଣେ ଯୁବ ଚିତ୍ରକର କାନ୍ଥବାଡରେ ଚିତ୍ରଆଙ୍କି କରୋନା ସଚେତନତାର ବାର୍ତ୍ତା ଦେଉଛନ୍ତି । କରୋନାର ଭୟାବହତାକୁ ନେଇ ଗାଁ ଗଣ୍ଡାରେ ଚିତ୍ରଆଙ୍କି ଲୋକଙ୍କ ନିକଟରେ କରୋନା ସଂକ୍ରମଣରୁ ବର୍ତ୍ତିବାର ଉପାୟ ପହଞ୍ଚାଇବାରେ ଲାଗିପଡିଛନ୍ତି ବିଷମକଟକ ସହରର ସାଇରାମ ପଟ୍ଟନାୟକ । ଲକ୍ ଡାଉନ୍ ନିୟମ ପାଳନ କରି ଘରେ ରହିବା, ହାତ ଧୋଇବା, ସାମାଜିକ ଦୂରତ୍ୱ ରଖି ଚଳିବା, ମାସ୍କ ପିନ୍ଧିବା ଆଦି ବାର୍ତ୍ତାକୁ ଚିତ୍ର ମାଧ୍ୟମରେ ଅତି ସୁନ୍ଦର ଭାବରେ କାନ୍ଥ ବାଡରେ ଆଙ୍କି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସାଇରାମ । ଚିତ୍ରକର ଭାବେ ପରିବାର ପ୍ରତିପୋଷଣ କରୁଥିବା ସାଇରାମ ସମ୍ପୂର୍ଣ୍ଣ ନିଜସ୍ୱ ଖର୍ଚ୍ଚରେ ଆରମ୍ଭ କରିଛନ୍ତି ଏଭଳି ଅଭିଯାନ । ତାଙ୍କର ଏଭଳି କ୍ଷୁଦ୍ର ଅଭିଯାନ ଲୋକଙ୍କ ଜୀବନରକ୍ଷାରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ସାଇରାମ । ସେହିପରି ଏଭଳି ମହତ୍ତ୍ୱ କାର୍ଯ୍ୟଙ୍କୁ ଅଞ୍ଚଳବାସୀଙ୍କ ମହଲରେ ପ୍ରଶଂସା କରାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ