ଏକଥା ନିଶ୍ଚିତ ଯେ ମଣିଷକୁ କର୍ମଫଳ ହିଁ ଭୋଗିବାକୁ ପଡେ । ମଣିଷର କର୍ମ ଫଳ ପାଇବା ପାଇଁ ଅନ୍ୟ କେହି ନୁହେଁ ବରଂ ସେ ନିଜେ ହିଁ ଦାୟୀ । ସତ କର୍ମ କଲେ ସତ ଫଳ ମିଳେ କୁକର୍ମ କଲେ କୁଫଳ ମିଳେ । ସେ ତାର ପ୍ରତ୍ୟେକ ଦିନର ପ୍ରତ୍ୟେକ ମୁହୂର୍ତ୍ତର ପ୍ରତ୍ୟେକ କ୍ଷଣର ପ୍ରତ୍ୟେକ ସେକେଣ୍ଡର କରୁଥିବା କର୍ମ କଥା ଭାଷା ଚାଲି ଚଳଣୀ ଆଚାର ବ୍ୟବହାର ଉଚ୍ଚାରଣ ଆଚରଣ, ମନରେ ସୃଷ୍ଟି ହେଉଥିବା ପ୍ରତିଫଳିତ ଚିନ୍ତାଧାରା ପାଇଁ ସେ କର୍ମଫଳ ପ୍ରାପ୍ତ କରିଥାଏ । ଏହା ଏକ ସ୍ୱତଃ ସ୍ଫୁର୍ତ୍ତ ସ୍ୱୟଂସକ୍ରିୟ ପ୍ରକ୍ରିୟା । କର୍ମଫଳ ସେ ଆପେ ଆପେ ନିଜକୁ ନିଜେ ପାଇଥାଏ । ତାକୁ କେହି ଦେଇ ନ ଥାଏ । ଯାହା ହଜାର ହଜାର ବର୍ଷ ପୂର୍ବରୁ ଆମ ଭାରତୀୟ ପ୍ରାଚୀନ ତଥା ଆଦ୍ୟ ବୈଜ୍ଞାନିକ ବୋଲାଉଥିବା ମୁନିଋଷି ଯୋଗୀ ଜ୍ଞାନୀ ଗୁଣୀମାନେ କହି ଯାଇଛନ୍ତି ଓ ବେଦ ଗୀତା ଭାଗବତ ଆଦି ପୁରାଣ ଶାସ୍ତ୍ରରେ ଲେଖିଯାଇଛି ଯାହାକୁ ବିଶିଷ୍ଟ ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନ୍ ବି ତାଙ୍କ 3rd Law of Motionରେ ଲେଖିଛନ୍ତି । Every action has an equal & opposite reaction . ଅର୍ଥାତ୍ — ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ଥାଏ । ଯାହା ନିରାଟ ସତ୍ୟ ଅଟେ । ତେଣୁ ଆମେମାନେ ଆମ ଦୈନନ୍ଦିନ ଜୀବନରେ ପ୍ରତିଦିନ କରୁଥିବା କାମ କହୁଥିବା କଥାର ପ୍ରତିକ୍ରିୟା ସମାନ ଭାବରେ ହିସାବ ମୁତାବକ କର୍ମଫଳ ପାଇବାଟା ସୁନିଶ୍ଚିତ । ତେଣୁ ଏଥିପାଇଁ କୌଣସି ଈଶ୍ବର ଭଗବାନ ଦେବାଦେବୀ ଠାକୁର କି ଭାଗ୍ୟକୁ ଦୋଷଦେବା ଉଚିତ୍ ନୁହେଁ । ଯାହା ବିଜ୍ଞତାର ପରିଚାୟକ ନ ହୋଇ ଅଜ୍ଞତା ବା ମନର ଭ୍ରମବୋଲି କୁହାଯାଇପାରେ । ସେଥିପାଇଁ ବରଂ ନିଜ ପ୍ରତି ସମୟର କଥାବାର୍ତ୍ତା ଭାଷା ଚିନ୍ତାଧାରା ଆଚରଣ ଉଚ୍ଚାରଣ ଚାଲିଚଳଣୀର କାର୍ଯ୍ୟକୁ ତର୍ଜମା କରି ନିଜକୁ ସେହି ଅନୁଯାୟୀ ପରିବର୍ତ୍ତନ କରିପାରିଲେ ବା ସୁଧାରି ପାରିଲେ ଦୁଃଖକଷ୍ଟ ଯନ୍ତ୍ରଣା ଆଦି ଅଶାନ୍ତି ରୂପୀ କର୍ମଫଳ ଦୂରେଇଯାଇ ସୁଖ ଶାନ୍ତି ଆନନ୍ଦ ନିରୋଗ ଜୀବନ ଯାପନ କରିବାର ସୁଖ ସୁବିଧାର ହକଦାର ହୋଇ ପାରିବା ବୋଲି ମନରେ ଦୃଢପରିକର ହେବା ଆବଶ୍ୟକତା ରହିଛି ।
ଲେଖକ …କୁମାର ସରୋଜ