





ଭୁବନେଶ୍ୱର(ସମୃଦ୍ଧଓଡିଶା)ପୋଖରୀପୁଟ ଶିଳ୍ପୀବିହାରସ୍ଥିତ ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ପରିଦର୍ଶନ କରିଛନ୍ତି ସିଙ୍ଗାପୁର ଜନରାଜ୍ୟର ମହାମହିମ ରାଷ୍ଟ୍ରପତି ଶ୍ରୀ ଥର୍ମନ୍ ଶନ୍ମୁଗରତ୍ନମ୍ । ସେଠାରେ ପ୍ରଦର୍ଶିତ ଓଡ଼ିଶାର ଅନନ୍ୟ କଳାକୃତିଗୁଡ଼ିକୁ ଦେଖି ସେ ଅଭିଭୂତ ହୋଇଥିଲେ । ଏହା ଦେଖି ଖୁସି ବ୍ୟକ୍ତ କରିବା ସହ ଉତ୍କଳୀୟ କଳାକୃତିର ଭୂୟସୀ ପ୍ରଶଂସା କରିଥିଲେ। ସର୍ବପ୍ରଥମେ ଏହି ପରିସରରେ ଥିବା ଜଗନ୍ନାଥ ଗ୍ୟାଲେରୀ ପରିଦର୍ଶନ କରିଥିଲେ। ଏଥିରେ ଥିବା ଜଗନ୍ନାଥଙ୍କ ବିଭିନ୍ନ ବେଶ, ରଥ ଚକ, ରଥର ପ୍ରତିକୃତି, ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ କୁଡୁଆ ଆଦି ଦେଖିଥିଲେ । ଏହା ପରେ ପରିସରରେ ଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ଗ୍ୟାଲେରୀ ବୁଲି କରୁଣା ଶିଳ୍କ, କୋଟପାଡ ଶାଢ଼ୀ, ସମ୍ବଲପୁରୀ, ମାଣିଆବନ୍ଧ ଶାଢ଼ୀ ବୁଣିବା ଶୈଳୀ ବିଷୟରେ ପଚାରି ବୁଝିଥିଲେ । ଏଥି ସହ ଚାନ୍ଦୁଆ, ଜନଜାତି ଚିତ୍ରକଳା, କାଇଁଚ ଓ ସବାଇ ଘାସ ହସ୍ତକଳା, ପିତ୍ତଳ ବାସନ କୁସନ, ରୂପା ତାରକସି କାମ, ପଟ୍ଟଚିତ୍ର ଶାଢ଼ୀ, କାଗଜ ତିଆରି କଳାକୃତି ଆଦି ବୁଲି ଦେଖିଥିଲେ । ଏହା ପୂର୍ବରୁ ସିଙ୍ଗାପୁର ଗଣରାଜ୍ୟର ମହାମହିମ ରାଷ୍ଟ୍ରପତି କଳାଭୂମି ପରିସରରେ ଆୟୋଜିତ ଏକ ନୈଶ ଭୋଜିରେ ଯୋଗଦେଇ ଓଡ଼ିଆ ବ୍ୟଞ୍ଜନର ପ୍ରଶଂସା କରିଥିଲେ। ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା ଦୁଇ ଦେଶ ମଧ୍ୟରେ ଥିବା ନିବିଡ ସମ୍ପର୍କ । ଏହି ପରିଦର୍ଶନ ସମୟରେ ମହାମହିମ ସିଂଗାପୁର ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ, ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରି ବାବୁ କଂଭମପାଟି ଓ ତାଙ୍କ ଧର୍ମପତ୍ନୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ତାଂକ ଧର୍ମପତ୍ନୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀ ଗଣ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର