ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାରେ ଲାଗିଛି । ସରକାରଙ୍କ ତାଗିଦ ସତ୍ୱେ ମଧ୍ୟ ଚାଷୀମାନଙ୍କର ସମସ୍ୟା ଦୂର ହୋଇପାରି ନାହିଁ । କେଉଁଠି ଧାନମଣ୍ଡି ଖୋଲୁନାହିଁ ତ କେଉଁଠି ଧାନ ମଣ୍ଡି ଖୋଲିଥିଲେ ମଧ୍ୟ ମିଲରମାନେ ଆସୁନାହାଁନ୍ତି । ଆଉ କେଉଁଠି ଚାଷୀମାନଙ୍କର ଧାନରୁ ଗୁଣବତ୍ତା ଆଳରେ ୫ରୁ ୭ କିଲୋଗ୍ରାମ ଧାନ କାଟି ଦିଆଯାଉଛି । ଅନେକ ଜାଗାରେ ଦେଖାଯାଉଛି ଯେ, ଧାନ ବିକ୍ରି କରିବା ପାଇଁ ଚାଷୀମାନଙ୍କୁ ୫ରୁ ୭ ଦିନ ଧରି ଅପେକ୍ଷା କରିବାକୁ ପଡୁଛି । ଯାହାଫଳରେ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଏକ ବିଷ୍ଫୋରକ ପରିସ୍ଥିତିରେ ଆସି ପହଂଚିଛି । ଏହାକୁ ଦୂ କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ଦାବିଗୁଡ଼ିକ ମଧ୍ୟରେ :- ତୁରନ୍ତ ଏକ ଭିଡ଼ିଓ କନଫରରେନ୍ସ ମାଧ୍ୟମରେ ଚାଷୀମାନଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ପ୍ରତ୍ୟକ୍ଷ ଭାବରେ ସମସ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ । ଚାଷୀମାନଙ୍କ ଠାରୁ ଧାନ ଗୁଣବତା ନାମରେ ଯେଉଁ ୫ କେଜିର ୭ କେଜି କାଟି ଦିଆଯାଉଛି, ତାହାକୁ ବନ୍ଦ କରାଯାଉ, ଯେଉଁ ଜାଗାରେ ମିଲରମାନେ ଆସୁନାହାଁନ୍ତି, ସେଠାରେ ସରକାର ନିଜେ ଚାଷୀଙ୍କ ଠାରୁ ଧାନ କିଣନ୍ତୁ ଏବଂ ଚାଷୀମାନଙ୍କୁ ୨୪ ଘଂଟା ମଧ୍ୟରେ ତାଙ୍କ ଆକାଉଂଟ ଜରିଆରେ ପଇସା ପଇଠ କରାଯାଉ । ସେହିଭଳି କାଳିଆ ଯୋଜନା ଯାହାକି ଆପଣଙ୍କ ସରକାରର ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଭାବରେ ଆଦୃତି ଲାଭ କରିବାକୁ ଯାଉଛି,ଏହାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ସ୍ଥାନରେ କିଛି ଦୁର୍ବଳତା ଥିବାର ଲକ୍ଷ୍ୟ କରାଯାଉଛି । କେଉଁଠି ଫର୍ମ ମିଳୁନାହିଁ ତ କେଉଁଠି ଫର୍ମର କଳାବଜାରୀ ହେବା ସହିତ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଅନେକ ଜାଗାର ଫର୍ମଟିଏ ପାଇବା ପାଇଁ ଚାଷୀଙ୍କୁ ହଇରାଣ ହରକତ ହେବାକୁ ପଡୁଛି । ଦ୍ୱିତୀୟତଃ ଆପଣ ୧୫ ତାରିଖ ପର୍ଯ୍ୟନ୍ତ ସମୟସୀମ ବଢାଇଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ । ତେଣୁ ଅନ୍ତତଃପକ୍ଷେ ଫର୍ମ ଦାଖଲ କରିବାର ସମୟସୀମାକୁ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମିତ ପ୍ରତି ଜିଲ୍ଲାସ୍ତରରେ ଦାୟିତ୍ୱରେ ଥିବା ସଚିବମାନଙ୍କୁ ନୋଡ଼ାଲ ଅଫିସର ଭାବରେ କ୍ଷମତାପ୍ରାପ୍ତ କରାଯାଇ ଏହାର ସଫଳ କାର୍ଯ୍ୟକାରିତା ନିମିତ ପ୍ରତି ୧୫ ଦିନରେ ସମୀକ୍ଷା କରାଯାଉ । ସେହିଭଳି ରାଜ୍ୟସ୍ତରରେ କୃଷି ଉତ୍ପାଦନ କମିଶନର / ଉନ୍ନୟନ କମିଶନରଙ୍କୁ କ୍ଷମତାପ୍ରାପ୍ତ ଅଧିକାରୀ ଭାବରେ ନିଯୁକ୍ତ କରାଯାଇ ଏହି କାର୍ଯ୍ୟକ୍ରମର ବିଶ୍ଲେଷଣ କରାଯାଇ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ବିହିତ ପଦକ୍ଷେପ ନିଆଯାଉ । ଯାହାଫଳରେ ଏହା ଏକ ସଫଳ ଓ ଫଳପ୍ରଦ କଲ୍ୟାଣକାରୀ ଯୋଜନା ଭାବରେ ଚାଷୀ ଓ ଭୂମିହୀନ ଦରିଦ୍ର ଲୋକଙ୍କ ଦ୍ୱାରା ଆଦୃତ ହୋଇପାରିବ । ଏହା ବ୍ୟତୀତ ରାଜ୍ୟର ଦୁଗ୍ଧ ଚାଷୀମାନଙ୍କୁ ମଧ୍ୟ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଦାବି ହେଉଛି ।
ରିପୋର୍ଟ : ଆକାଶ ମିଶ୍ର