

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଦିନକୁ ଦିନ କରୋନା ତାର କାୟା ବିସ୍ତାର କରୁଥିବା ସମୟରେ ସରକାର ଏହିକରୋନା ଦାଉରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଲକଡାଉନକୁ ଆଗକୁ ବଢ଼ାଇ ଚାଲିଛନ୍ତି । ଲୋକମାନେ କିଭଳି ଭାବେ ଘରେ ରହିବେ ଏବଂ ସୁରକ୍ଷିତ ରହିବେ ସେଥିପାଇଁ ସରକାର ସମସ୍ତ ଚେଷ୍ଟା ଅବ୍ୟାହତ ରଖିଛନ୍ତି । ବର୍ତମାନ ଅତିଆବଶ୍ୟକ ସାମଗ୍ରୀ ଯଥା ପରିବା ଦୋକାନ, ଗ୍ରୋଶରୀ ଦୋକାନ, ମେଡ଼ିସିନ ଦୋକାନ ଭଳି କିଛି ଦୋକାନକୁ ଛାଡିଦେଲେ ସମସ୍ତ ଦୋକାନ ବଜାରକୁ ବନ୍ଦ ରଖିବାକୁ ସରକାରଙ୍କ ତରଫରୁ ଦୃଢ଼ ଭାବେ ନିର୍ଦେଶ ଦିଆଯାଇଥିବା ବେଳେ କୋଭିଡ ନିୟମକୁ ଖାତିରି ନ କରି କିଛି ଅମାନିଆ ଦୋକାନୀ ଦୋକାନ ଖୋଲି ନିଜର ବ୍ୟବସାୟ ଚଳାଇଛନ୍ତି । ଯାହାଦ୍ୱାରା କି ବଜାରରେ ଲୋକ ଗହଳି ହେବା ସହ କରୋନା ବୃଦ୍ଧି ପାଇବାରେ ଯଥେଷ୍ଟ ସମ୍ଭାବନା ସୃଷ୍ଟି କରୁଛି । ତେଣୁ ଏହି ଅମାନୀୟାମାନଙ୍କୁ ସାବାଡ଼ କରିବା ପାଇଁ ଆଜି ଢେଙ୍କାନାଳର ପୌରପାଳିକା ତରଫରୁ ଅନେକ ଦୋକାନକୁ ଜବତ କରିବା ସହ ସିଲ ମଧ୍ୟ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଲକ୍ଷ୍ମୀ ବଜାରର ପତ୍ର ଜୋତା ଦୋକାନ, ମିନାବଜାରର ଆଦିତ୍ୟ ଅଳଙ୍କାର, ମହାବୀର ବଜାରର ଶ୍ରୀ ଗଣେଶ ଡ୍ରେସ ଦୋକାନ, ମହାବୀର ବଜାରର ସାଗର ଶାଢ଼ୀ ସେଣ୍ଟର, ଦଖିଣକାଳୀର ଏମବିଟି ଡ୍ରେସ ଗୋଦାମ ଆଦି ଦୋକାନକୁ ସିଲ କରାଯାଇଥିବା ଜଣାପଡିଛି । ଆଜିର ଏହି ସିଲ ପ୍ରକ୍ରିୟା ପୋୖରାନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବୋଧାନରେ ଅନ୍ୟ ପୌରପାଳିକାର କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।

