କିଟ ବିଶ୍ଵ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳକୁ ନେଇ ଏବିଭିପି ଘୋର ନିନ୍ଦା କଲା …

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ଗତ ୨୩ ନଭେମ୍ବରରୁ ଭୁବନେଶ୍ୱର ଘରୋଇ ବିଶ୍ୱବିଦ୍ୟାଳୟ କିଟ୍ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଯେଉଁ ଗଣ୍ଡୋଗୋଳ ହୋଇଥିଲା ତାହା ବର୍ତମାନ ଭୁବନେଶ୍ୱରର ଶୈକ୍ଷିକ ବାତାବରଣ ଉପରେ ପ୍ରଭାବ ପକାଇଛି । ଏହି ଘଟଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନିନ୍ଦା କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛି । ଏବିଭିପିର ମହାନଗର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା କହିଛନ୍ତି ଯେ, ମୋଟା ଅଙ୍କରେ ପଇସା ନେଇ ଏଭଳି ବେସରକାରୀ ଶିକ୍ଷାନୁଷ୍ଠାନମାନେ କେବଳ ସାର୍ଟିଫିକେଟ ପ୍ରଦାନରେ ସିମୀତ ନରଖି ଛାତ୍ରଛାତ୍ରୀଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବା ଆବଶ୍ୟକତା ରହିଛି । ଏହି ଗଣ୍ଡୋଗୋଳକୁ ନିୟନ୍ତ୍ରଣ କରିବାରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛନ୍ତି । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ରାତି ୩ଟା ବେଳେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେବା ଛାତ୍ରୀଛାତ୍ରୀମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଦେଶର ବିଭିନ୍ନ ସ୍ଥାନରୁ ପାଠପଢୁଥିବା ଛାତ୍ରଛାତ୍ରୀମାନେ ରାତି ୩ଟା ବେଳେ ନିଜ ସ୍ଥାନକୁ ଯିବାପାଇଁ ସେମାନଙ୍କର କିଛି ବ୍ୟବସ୍ଥା ମଧ୍ୟ କରିନଥିଲେ କର୍ତୃପକ୍ଷ ରାତି ଅଧରେ ଛାତ୍ରୀମାନଙ୍କର କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ନକରି ହଷ୍ଟେଲରୁ ବାହାର କରିବା ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଛାତ୍ରୀ ସୁରକ୍ଷା ପ୍ରତି କେତେ ଚିନ୍ତିତ ଏଥିରୁ ଜଣା ପଡୁଛି । ଏହି ଘଟଣାର ଭିଡିଓ ଫୁଟେଜ୍ ଓ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଫୁଟେଜ୍ରୁ ସ୍ପଷ୍ଟ ଜଣାପଡୁଛି ଯେ ଛାତ୍ରମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏହାକୁ ସାମାନ୍ୟ କହି ବାରମ୍ବାର ସଫେଇ ଦେଉଛନ୍ତି । ବିଶ୍ୱବିଦ୍ୟାଳୟର ମାଲିକ ଜଣେ ଶାସକ ଦଳର ସାଂସଦ ହୋଇଥିବା କାରଣରୁ ଏହି ଘଟଣାକୁ ଚପେଇ ଦେବା ପାଇଁ ପ୍ରୟାସ କରୁଛନ୍ତି । ତେଣୁ ଏବିଭିପି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରୁଛି ।ଏହି ସମ୍ମିଳନୀରେ ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ, ମହାନଗର ସମ୍ପାଦକ ସଞ୍ଜୟ ମଲ୍ଲିକ, ସଂଗଠନ ସମ୍ପାଦକ ପ୍ରଶାନ୍ତ ପାଇକରାୟ, ରାଜ୍ୟ ମିଡ଼ିଆ ପ୍ରମୁଖ ସ୍ମୃତିରଂଜନ ବିଶ୍ୱାଳ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର