କୁଖ୍ୟାତ ବାବୁ ଏମକେସିଜି ମେଡ଼ିକାଲରୁ ଚମ୍ପଟ: ଦାୟୀତ୍ୱରେ ଥିବା ୫ ପୋଲିସ୍ କର୍ମଚାରୀ ନିଲମ୍ବିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୁଖ୍ୟାତ ଅପରାଧି ବାବୁ ନାୟକ ଗତକାଲି ଚିକିତ୍ସାଧିନ ସମୟରେ ବ୍ରହ୍ମପୁର ବଡ଼ମେଡ଼ିକାଲରୁ ଚମ୍ପଟ ମାରିଛି । ବାବୁର ଘର ଭଞ୍ଜନଗର ନିକଟସ୍ଥ ଚାକୁଣ୍ଡାପଲ୍ଲୀ ଗ୍ରାମରେ ହୋଇଥିବା ବେଳେ ସେ ବୁଗୁଡ଼ା ମାଣିତରା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଡ଼କାୟତି ଘଟଣାରେ ସଂପୃକ୍ତ ରହି ଫେରାର୍ ଥଲା । ଭଂଜନଗର ପୋଲିସ୍ ତାକୁ କାବୁ କରିବା ସମୟରେ ଗତ ୨୦୧୭ ଅକ୍ଟୋବର ୧୯ ରେ ବାବୁ ପୋଲିସ୍ ଉପରକୁ ଗୁଳି ଚଳାଇ ଫେରାର୍ ହେବାକୁ ଉଦ୍ୟମ କରିବା ସମୟରେ ପୋଲିସ୍ ଗୁଳିରେ ଆହତ ହୋଇଥିଲା । ପୋଲିସ୍ ବାବୁକୁ ଗିରଫ କରିବା ପରେ ସେ ଭଞ୍ଜନଗର ଜେଲ୍ ରେ ଥିବା ସମୟରେ ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଭଂଜନଗର ଜେଲ ପାଚେରୀ ଡ଼େଇଁ ଫେରାର୍ ହୋଇଥିଲା । ଗତ ଅକ୍ଟୋବର ୯ ରେ ବାବୁ ଓ ତାର ସହଯୋଗୀ ବଳରାମ ଇନ୍ଦ୍ରଗଡ଼ରୁ ଭଞ୍ଜନଗର ଯିବା ସମୟରେ ଭଞ୍ଜନଗର ପୋଲିସ୍ ସୂଚନା ପାଇ କାବୁ କରିବାକୁ ଉଦ୍ୟମ କରିବା ସମୟରେ ପୋଲିସକୁ ଦେଖି ପୁଣି ଦ୍ରୁତଗତିରେ ବାଇକ୍ ଯୋଗେ ଫେରାର୍ ହେବା ସମୟରେ ରାସ୍ତାରେ ନିଜେ ଧରିଥିବା ବୋମା ଫୁଟି ଯିବାରୁ ବାବୁ ଓ ତାର ସହଯୋଗୀ ବଳରାମ ଆହତ ହୋଇଥିଲେ । ସେହି ସମୟରେ ପୋଲିସ୍ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ ଟି ପିସ୍ତଲ, ୩ ଗୁଳି, ୧ ମାଗାଜିନ୍ ଓ ବୋମା ଜବତ କରିଥିଲେ । ଗୁରୁତର ଅବସ୍ଥାରେ ବାବୁକୁ ପ୍ରଥମେ ଭଂଜନଗର ଓ ପରେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବଡ଼ମେଡ଼ିକାଲରେ ଜଣେ ହାବିଲଦାର ଏବଂ ୪ ଜଣ କନଷ୍ଟେବଲ ବାବୁ ଦାୟୀତ୍ୱରେ ଥିବା ବେଳେ ଗତକାଲି ବାବୁ କୌଶଳ କ୍ରମେ ମେଡ଼ିକାଲରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ ଗଂଜାମ ଏସପି ଦାୟୀତ୍ୱରେ ଅବହେଳା ପାଇଁ ଦାୟୀତ୍ୱରେ ଥିବା ହାବିଲଦାର ଓ ୪ କନଷ୍ଟେବଲଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ପୋଲିସ୍ କର୍ମଚାରୀ ମାନେ ହେଲେ ହାବିଲଦାର ଦ୍ୟାନଚାନ୍ଦ୍ ମହାନ୍ତି,କନଷ୍ଟେବଲ ଏସ୍.କେ ମଲ୍ଲିକ,ଏସ୍.ମାଝୀ,ଏସ୍.ମହାରଣା ଓ ଆର୍.ଶବର । ତେବେ ବଡ଼ମେଡ଼ିକାଲ ପରିସରରେ ଲାଗିଥିବା ସିସିଟିଭିକୁ ଆଧାର କରି ପୋଲିସ୍ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ  ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବାବୁକୁ ଖୋଜି ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା