ଭୁବନେଶ୍ଵର (ସମୃଦ୍ଧ ଓଡିଶା) ବିଶ୍ଵାସ ଓ ଭରଷାର ମୁଳଦୁଆ ଉପରେ ପ୍ରତିଷ୍ଠିତ ଏକ ଜନରାଜ୍ୟର ସରକାର, ତାର ମୁଖ୍ୟ ଅଙ୍ଗକୁ କୁଶ୍ଚିତ ବ୍ୟବସ୍ଥା ଦ୍ଵାରା କିଭଳି ପଙ୍ଗୁ କରିଦେଉଛି, ଓଡ଼ିଶାର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ତାହାର ଏକ ଉଦାହରଣ । ଏହି ବର୍ଜନୀୟ ବ୍ୟବସ୍ଥା ସରକାରୀ ଓ ଅର୍ଧ ସରକାରୀ ସଂସ୍ଥାରୁ ତୁରନ୍ତ ପ୍ରତ୍ୟାହାର ନ କଲେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକମାନେ ଚରମ ପଦକ୍ଷେପ ନେବେ ବୋଲି ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକ ମହାସଂଘ ପକ୍ଷରୁ ଆଜି ମୁଖ୍ୟ ଦପ୍ତର ୯-ତାଲା ପରିସରରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ନେତୃମଣ୍ଡଳୀ ସରକାରଙ୍କୁ ସତର୍କ କରି ଦେଇଛନ୍ତି । ରାଜ୍ୟର ନିଅଣ୍ଟିଆ ଆର୍ଥିକ ଦୁରାବସ୍ଥା ସମୟରେ ସରକାର ଏହି ବ୍ୟବସ୍ଥା ପ୍ରଚଳନ କରି ରାଜକୋଶକୁ ସମୃଦ୍ଧ କରିଥିଲେ । ସେତେବେଳେ ଓଡ଼ିଶାର ଉଚ୍ଚ ଶିକ୍ଷିତ ଯୁବବର୍ଗ ବିଭିନ୍ନ କଷ୍ଟସାଧ୍ୟ ପ୍ରତିଯୋଗିତାରୁ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରୀ ଖଣ୍ଡେ ପାଇବାର ଆଶା ରଖି ଏ ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ ବାଧ୍ୟ ବାଧକତାରେ ଗ୍ରହଣ କରି ନେଇଥିଲେ । ଆଶା କରିଥିଲେ, ନିକଟରେ ଯଦି ରାଜ୍ୟର ଆର୍ଥିକ ପ୍ରଗତି ହେବ, ସରକାର ତାଙ୍କ କର୍ମଚାରୀଙ୍କ ପ୍ରତି ନିଶ୍ଚୟ ସଦୟ ହୋଇ ଏହା ପ୍ରତ୍ୟାହାର କରିନେବେ ଓ ରାଜ୍ୟର ସ୍ଥାୟୀ କର୍ମଚାରୀଙ୍କ ଭଳି ବେତନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ପୁନଃ ପ୍ରଚଳନ କରିବେ, କିନ୍ତୁ ତାହା ହେଲା ନାହିଁ । ଅଧିକନ୍ତୁ ସପ୍ତମ ବେତନ କମିଶନ ଲାଗୁ ହେଲା ପରେ ଚୁକ୍ତିଭିତ୍ତିକ ବ୍ୟବସ୍ଥାରେ ହନ୍ତସନ୍ତ କର୍ମଚାରୀମାନଙ୍କ ସମସ୍ୟା ଆହୁରି ଦୟନୀୟ ହୋଇ ପଡ଼ିଲା । ରାଜ୍ୟ ରକାର ସପ୍ତମ ବେତନ କମିଶନ ସୁପାରିଶ କ୍ରମରେ ସ୍ଥାୟୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ Pay ଓ Grade Pay ବ୍ୟବସ୍ଥା ଉଠାଇ ଧାର୍ଯ୍ୟ ଦରରେ ଦରମା ପ୍ରଦାନ କରିଥିବା ବେଳେ, ଚୁକ୍ତିଭିତ୍ତିକ ଶିକ୍ଷକ କର୍ମଚାରୀଙ୍କ ପାଇଁ Pay ଓ Grade Pay ବ୍ୟବସ୍ଥା ଜାରି ରଖିଲେ । ଏହାର ପ୍ରତିବାଦ କରି ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର କର୍ମଚାରୀ ଗତ 2018 ମସିହା ଅଗଷ୍ଟ ମାସରେ ଦୀର୍ଘ ତିନି ଦିନ ବ୍ୟାପି ବିଶାଳ ଗଣ ଆନ୍ଦୋଳନ କରିଥିଲେ । ଶେଷରେ ଓଡ଼ିଶା ରାଜ୍ୟର ତତ୍ କାଳୀନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପାଢୀ ୧୫ ଜଣିଆ ଆନ୍ଦୋଳନରତ ପ୍ରତିନିଧି ମଣ୍ଡଳୀ ସହ ବିସ୍ତୃତ ଆଲୋଚନା କରି ଏକ ଲିଖିତ ପ୍ରତିଶୃତି ଦେଇଥିଲେ ଯେ ରାଜ୍ୟ ସରକାର ଏକ ମାସ ମଧ୍ୟରେ ଏ ବିଷୟରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ, କିନ୍ତୁ ତାହା ବି ନିଷ୍ଫଳ ହେଲା । କରୋନା ମହାମାରୀ ସମୟରେ ଯେତେବେଳେ ସବୁ ଗଣ ପ୍ରତିବାଦ କାର୍ଯ୍ୟକ୍ରମକୁ ସରକାର ନିଷିଦ୍ଧ କଲେ, ସେତେବେଳେ ସାରା ଓଡ଼ିଶାର ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକମାନେ ବିଭିନ୍ନ ସାମାଜିକ ଗଣ ମାଧ୍ୟମ ଜରିଆରେ ନିଜ ନିଜର ଅସନ୍ତୋଷ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ରାଜ୍ୟ ସରକାର ଗତ ୨୦୨୧ ମସିହା ଅକ୍ଟୋବର ମାସରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଗଠନ ସହ ଆଲୋଚନା କରି ପାଉଥିବା ଦରମାର ୫୦ ପ୍ରତିଶତ ବୃଦ୍ଧି କରିଵା ସହ ୨ ମାସ ମଧ୍ୟରେ ଅବଶିଷ୍ଟ ମୁଖ୍ୟ ଦାବୀ ବିଚାର କରିବାର ପ୍ରତିଶୃତି ଦେଲେ, କିନ୍ତୁ ତାହା ଅଦ୍ୟାବିଧି କରାଗଲା ନାହିଁ । ସ୍ଥାୟୀ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମଧ୍ୟରେ ଦରମାର ଘୋର ତାରତମ୍ୟ ଓ ଅସଙ୍ଗତି ପାଇଁ ଆଜି ବି ରାଜ୍ୟର ଏହି ହତଭାଗ୍ୟ କର୍ମଚାରୀମାନେ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ ଏତେ କମ ଦରମାରେ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକମାନେ କିଭଳି ବଞ୍ଚିବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେହିପରି ଚୁକ୍ତିଭିତ୍ତିକ ବ୍ୟବସ୍ଥାରୁ ସଚିବାଳୟ ଓ ବିଧାନସଭାର A.S.O.ଙ୍କୁ ପୁରା ବାଦ୍ ଦେଇଥିବା ବେଳେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟର କିଛି କର୍ମଚାରୀଙ୍କୁ ଏଥିରୁ ସଂପୂର୍ଣ୍ଣ ବାଦ୍ ନେଇ ଆଉ କିଛି କର୍ମଚାରୀଙ୍କୁ ୩ବର୍ଷ ଠିକା ଅବଧି ଲଦି ଦିଆଯାଇଛି । ବିଭାଗୀୟ ମୁଖ୍ୟ ଦପ୍ତରର ଅମଲାଙ୍କଠାରୁ ଆରମ୍ଭ କରି ଜିଲ୍ଲାର କର୍ମଚାରୀ ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ୍ ସବ୍ ଇନ୍ସପେକ୍ଟରଠାରୁ କନଷ୍ଟେବଲ, ଆଗ୍ନିକ, ଡାକ୍ତର ଇତ୍ୟାଦି ବର୍ଗର କର୍ମଚାରୀ ଓ ପ୍ରାର୍ଥମିକ ଶିକ୍ଷକଙ୍କ ଠାରୁ ମାଧ୍ୟମିକ ଶିକ୍ଷକଙ୍କ ପର୍ଯ୍ୟନ୍ତ ୬ ବର୍ଷିଆ ଚୁକ୍ତିଭିତ୍ତିକ ବ୍ୟବସ୍ଥାରେ ନିଜୁକ୍ତି ଦେଇ ଅନାବଶକ ତାରତମ୍ୟ ସୃଷ୍ଟି କରାଯାଇଛି । I.A.S. O.S.A. ଓ O.F.S., ସଚିବାଳୟ, ବିଧାନସଭା ତଥା ଉଚ୍ଚ ନ୍ୟାୟାଳୟ କର୍ମଚାରୀଙ୍କ ପ୍ରତି ଗୋଟିଏ ନିୟମ ଓ ଅନ୍ୟ କର୍ମଚାରୀ ଶିକ୍ଷକମାନଙ୍କ ପ୍ରତି ଆଉ ଗୋଟିଏ ନିୟମକୁ ସଭ୍ୟ ସମାଜ ଓ ଗଣତନ୍ତ୍ରର ନିରପେକ୍ଷ ଶାସନ ବ୍ୟବସ୍ଥାରେ ଗ୍ରହଣୀୟ କି, ବୋଲି ନେତୃମଣ୍ଡଳୀ ପ୍ରଶ୍ନ କରିଛନ୍ତି । ଯଦି ଆର୍ଥିକ ଦୁରାବସ୍ଥା ଆଳରେ ଏହି ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା, ସେତେବେଳେ I.A.S., OA.S. ଓ O.F.S. ପ୍ରଭୃତିଙ୍କ ପାଇଁ କାହିଁକି କରାଗଲା ନାହିଁ ଓ ଯଦି ଏବେ ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ବଳକା ଏବଂ ସ୍ଵାବଲମ୍ବି ରାଜ୍ୟ ତେବେ ଏହି ବ୍ୟବସ୍ଥା ପ୍ରତ୍ୟାହାର କରାଯାଇନାହିଁ କାହିଁକି ବୋଲି ପ୍ରଶ୍ନ ଉଠୁଛି । ତେବେ କଣ ବୁଝିବାକୁ ହେବ ଯେ, ଏହି ବ୍ୟବସ୍ଥାରେ କର୍ମଚାରୀଙ୍କ ପେଟରୁ କାଟି ଓ ସେମାନଙ୍କର ଶ୍ରମଶକ୍ତିକୁ ଶୋଷଣ କରି ସରକାର ଆର୍ଥିକ ବଳକା ରାଜ୍ୟ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ନମ୍ବର ପ୍ରଶାସକ ହୋଇଛନ୍ତି କି? ଲକ୍ଷ ଲକ୍ଷ ଟଙ୍କା ଦରମା ଓ ମାସିକ ହଜାର ହଜାର ଟଙ୍କା ଆନୁସଙ୍ଗିକ ଭତ୍ତା ପାଉଥିବା ଜନସେବକ ବିଧାୟକମାନେ ଯେତେବେଳେ ତାଙ୍କୁ ପ୍ରଦତ୍ତ ରାଶି ନିଅଣ୍ଟ ବୋଲି କହି ଦରମା ବୃଦ୍ଧି ପାଇଁ ବିଧାନ ସଭାରେ ଏକାକାର ହୋଇ ଦାବି କରୁଛନ୍ତି, ସେତେବେଳେ ଟ.୮୦୦୦/- ରୁ ଟ.୧୩୦୦୦/- ଦରମା ପାଇ ଏହି କର୍ମଚାରୀ କିଭଳି ଉପାଦେୟ ଓ ସନ୍ତୋଷଜନକ ସେବା ଯୋଗାଇ ପାରିବେ ତାହା ସରକାର ବିଚାର କରନ୍ତୁ ବୋଲି ନେତୃମଣ୍ଡଳୀ ଆହ୍ଵାନ ଦେଇଛନ୍ତି । ଠିକା ପ୍ରଥା ସମ୍ପୂର୍ଣ୍ଣ ବିଲୋପ, ଚୁକ୍ତିଭିତ୍ତିକ ଅବଧି ଶେଷ କରି ସ୍ଥାୟୀ ହୋଇଥିବା କର୍ମଚାରୀ ଓ ଶକ୍ଷକମାନଙ୍କ ୬ ବର୍ଷ ଅବଧିକୁ ପଦୋନ୍ନତି ଓ ପେନସନ୍ ଇତ୍ୟାଦିରେ ଗଣନା ଭଳି ମୁଖ୍ୟ ଦାବୀ ଯଦି ରାଜ୍ୟ ସରକାର ଅଗଷ୍ଟ ୧୫ ତାରିଖ ମଧ୍ୟରେ ପୂରଣ ନକରନ୍ତି, ତେବେ ସାରା ରାଜ୍ୟର ୭୦ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକମାନେ ପ୍ରଥମ ପର୍ଯ୍ୟାୟରେ କଳା ବ୍ୟାଚ୍ ପରିଧାନ ଓ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ମଧ୍ୟାହ୍ନ ଭୋଜନ ବିରତିରେ ପ୍ରତିବାଦ ସଭା ଅନୁଷ୍ଠିତ କରିବେ । ଏହା ପରେ ଯଦି ରାଜ୍ୟ ସରକାର ଏହା ଉପରେ ସକରାତ୍ମକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଅଗଷ୍ଟ ଶେଷ ସପ୍ତାହରେ ଏକ ବିଶାଳ ଗଣ ବିକ୍ଷୋଭ ଓ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ନେତୃମଣ୍ଡଳୀ ସୂଚନା ଦେଇଛନ୍ତି । ଆଜିର ଏହି ପ୍ରସ୍ତୁତି ବୈଠକରେ ୩୦ଟି ଜିଲ୍ଲାର ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ଯୋଗଦେଇ ସରକାରୀ ଉଦାସୀନତା, ପକ୍ଷପାତିତା ଓ ଶୋଷଣ ବ୍ୟବସ୍ଥାର ଉଚ୍ଛେଦ ପାଇଁ ସଂଗ୍ରାମ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା,ସହ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ, ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ, ପଞ୍ଚାନନ ଜେନ, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ, ଆଦିତ୍ୟ ସ୍ଵାଇଁ, ଅକ୍ଷୟ ପାଢି, ଉପ-ସଭାପତି, ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ – ଅଶୋକ ଗଉଡ଼, ବାବୁଲ ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ ବୋଲି ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।