ଅଚାନକ ରାତି ଅଧରେ ବୁଢ଼ାର ଦେହଟା ଖରାପ ହୋଇଗଲା, ବୋଧହୁଏ ହାର୍ଟ ଏଟାକ ହେଲା ପୁଣି ସେକେଣ୍ଡ ଟାଇମ ପାଇଁ ।ସେହି ସମୟରେ ବୁଢ଼ାର କୁଳାଙ୍ଗାର ପୁଅ ରାଜୁ ସେଠି ଉପସ୍ଥିତ ଥିଲା । ମା ସୁଚିତ୍ରା ଦେବୀ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ଏହି ସମୟରେ ଡ୍ରାଇଭରଟା ବି ଛୁଟିରେ ଚାଲି ଯାଇଛି । ଅବଶ୍ୟ ସେ ଗଲାବେଳେ ଜଣକୁ ଆଣି ପରିଚୟ କରାଇଥିଲା, ଏମରଜେନ୍ସି ବେଳେ ସେ ଆସି କାମ ଚଳେଇ ନେବ । ତାର ମୋବାଇଲ ନମ୍ବରଟାକୁ ସୁଚିତ୍ରା ଦେବୀ ଖୋଜୁ ଥିବା ବେଳେ ରାଜୁ କହିଲା “କଣ ମା ଏବେ ସେ କେଉଁଠି ଥିବ ଯେ ତାକୁ ଡାକୁଛୁ, ଆଉ ସେ ଆସିବ ବୋଲି ଭାବୁଛୁ, ତାକୁ ଡାକିଲା ବେଳକୁ ବୁଢ଼ା ସ୍ୱର୍ଗକୁ ଟିକେଟ କାଟି ଦେଇଥିବ”।” ଚୁପକାର ମୂର୍ଖ, ଏ ସମୟରେ ବି ତୋର ଥଟା ତାମସା ଯାଉନି… ସେ ପରା ତୋ ବାପା”… ମା ରାଗିକି ରାଜୁକୁ ଗାଳି କଲେ । ତା ପରେ ମୋବାଇଲ ରେ ବଡ଼ ପୁଅକୁ ଫୋନ ଲଗାଇଲେ, ସେ ଏହି ସହରରେ ରହେ ହେଲେ ଟିକେ ଦୂରରେ କିନ୍ତୁ ସେ ଉଠାଇ ନଥିଲା । ବୋହୁକୁ ପଚାରିବାରୁ ସେ କହିଲା ଅଫିସ କାମରେ ଆଜି ବାହାରକୁ ବାହାରି ଯାଇଛନ୍ତି, ମୁଁ ସକାଳୁ ବାହାରି ଯିବି ବୋଲି ଭରଷା ଦେଲା । ମଝିଆ ପୁଅକୁ ଫୋନ ଲଗେଇବା ଯାହା ନ ଲଗେଇବା ତାହା, ସେତ ବହୁତ ଦୂରରେ ରହୁଛି । ତଥାପି ମନ ମାନିଲା ନାହିଁ ଫୋନ ଲଗେଇଲେ । ଉତ୍ତର ଆସିଲା ମା ମୁଁ କାଲି ସକାଳୁ ଫ୍ଲାଇଟ ଧରି ଆସୁଛି । ଏତିକି ବେଳକୁ ସୁମିତ୍ରା ଦେବୀ ଦେଖିଲେ ରାଜୁ ବାପାକୁ କାନ୍ଧ ଉପରେ ଉଠାଇ ବାହାରକୁ ନେଇ କାରର ପଛ ସିଟରେ ଚିତ କରି ଶୁଆଇ ଦେଇ ଧୂମକେତୁ ଭଳି କାରକୁ ଚଳାଇ ଚାଲିଗଲା । ରାସ୍ତାରେ ବାପା ଛାତିରେ ହାତ ରଖି ଯନ୍ତ୍ରଣା ରେ ଚିତ୍କାର କରିବା ସହ ରାଜୁ ଉପରେ ଗାଳି କରୁଥାନ୍ତି “ଅରେ କୁଳାଙ୍ଗାର ଗାଡି ଧୀରେ ଚଲା ମୋତେ କଣ ଏଠି ହିଁ ମରିଦେବୁ, ଏହି ଗୋଟେ ତ କାମ ଠିକରେ କର” । ରାଜୁ ସେ ଗାଳିକୁ ଭୃକ୍ଷେପ ନକରି କହୁଥାଏ “ବାବା ତୁମେ ଚୁପ କରି ବସ, ବେଶି ବକ ବକ କରନାହିଁ, ଖାଲି ଜୋରରେ ନିଶ୍ୱାସ ନେଉଥାଅ, ଆମେ ଡାକ୍ତରଖାନାରେ ପହଞ୍ଚିବା ଉପରେ ।କୌଣସି ପ୍ରକାରେ ଡାକ୍ତରଖାନାରେ ପହଞ୍ଚି ଆଇ ସି ୟୁ ରେ ଦାଖଲ କରାଇ ରାତି ସାରା ବାହାରେ ଏପଟ ସେପଟ ପଦ ଚାରଣ କରୁଥାଏ । ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ପାଖରୁ ରାଜୁ ନିଜକୁ କେବଳ କୁଳାଙ୍ଗାର ବୋଲି ଶୁଣି ଆସୁଛି । ସେ ବି ମନକୁ ମନ ଧରି ନେଇଛି ଯେ ତା ନାମଟି ବୋଧହୁଏ କେଉଁଠି ନା କେଉଁଠି କୁଳାଙ୍ଗାର ବୋଲି ଠିକ ଲାଗୁଛି।ସେଥିପାଇଁ ତ ଘରର ପ୍ରାୟ ସମସ୍ତେ କହୁଥିଲେ କି ଏହି କୁଳାଙ୍ଗାର ପୁଣି ଫେଲ ହୋଇଗଲା । ସ୍କୁଲରେ ତା ପୁଅ ସାଙ୍ଗ ମନେ ତାକୁ ବାଳୁଙ୍ଗା ଆଉ ଝିଅ ମାନେ ଛତରା ବଜାରୀ ବୋଲି କହୁଥିଲେ । ଏବେ ବଡ଼ ହେଲା ବେଳକୁ, ବାପାଠୁ ଆରମ୍ଭ କରି ବଡ ଭାଇମାନେ କୁଳାଙ୍ଗାର ବୋଲି ଆକ୍ଷେପ କରନ୍ତି । ସାହି ପଡିଶା ଲୋକ କହନ୍ତି, ଏ କୁଳାଙ୍ଗାରକୁ ଏଠି କେହି ଚାପରାଶି କାମରେ ବି ରଖିବେ ନାହିଁ । ଆଉ କେଉଁ ମୂର୍ଖ ଅଛି ଯେ ଏହି କୁଳାଙ୍ଗାରକୁ ନିଜ ଝିଅକୁ ଦେବ …? ହେଲେ ବୟସ ହେବା ପରେ ବାପାଙ୍କ ବାଧ୍ୟତାମୂଳକ ହସ୍ତକ୍ଷେପରେ ବାହାଘର କାମଟା ବି ହୋଇଗଲା, ଘରକୁ କାମିକିଆ ବୋହୁଟେ ବି ଦରକାର ଥିଲା । ବାହାଘର ହେଲା ପରେ ବି ସମୟ ଅସମୟରେ ସମସ୍ତେ କହୁଥାନ୍ତି କି ‘ସେ ବିଚାରି ଝିଅଟାର କପାଳ ଫଟା, ତେଣୁ ଏହି କୁଳାଙ୍ଗାରର ପାଲରେ ପଡିଗଲା” । ହଁ…. କେବଳ ମା ହିଁ ଗୋଟେ ଲୋକ ଯିଏକି ଏବେ ପର୍ଯ୍ୟନ୍ତ ତାର ଅସଲ ନାମ ରାଜୁକୁ ଜୀବନ୍ତ ରଖିଛି । କିନ୍ତୁ ଆଜି ବାପାକୁ ଯଦି କିଛି ହୋଇଯାଏ ତାହାହେଲେ ମା ମଧ୍ୟ…..। ଏହି ଭାବନାରେ ରାଜୁର ଆଖିରେ ଲୁହ ଜକେଇ ଆସିଗଲା । ସେ ଡାକ୍ତରଖାନାର ବଉଣ୍ଡାରୀରେ ଥିବା ଛୋଟ ମନ୍ଦିର ପାଖକୁ ଯାଇ ଭଗବାନଙ୍କ ପାଖରେ ହାତଯୋଡି ପ୍ରାର୍ଥନାରେ ଡୁବିଗଲା ‘ହେ ଭଗବାନ ମୋ ବାପାଙ୍କୁ ରକ୍ଷା କର’ । ସାରା ରାତି ସେଇଠି ସେମିତି ଆଣ୍ଠୁମାଡ଼ି ହାତଯୋଡି ପଡି ରହିଥିଲା । କେତେବେଳେ ଯେ ତାକୁ ନିଦ ଆସିଯାଇଥିଲା, ସେ ସେପରି ସଷ୍ଟାଙ୍ଗ ହୋଇ ମନ୍ଦିର ଚଟାଣରେ ଗଡି ଯାଇଥିଲା, ତାହା ସେ ଜାଣି ପାରିନଥିଲା । ତାର ପ୍ରାର୍ଥନାର ଶକ୍ତି ଯୋଗୁଁ ହେଉ କି ଏ ସମସ୍ତ ସମସ୍ୟା ନିୟନ୍ତ୍ରଣ ଭିତରେ ରହିଥିବା ଯୋଗୁଁ ହେଉ, ତା ବାପାଙ୍କ ଦେହ ଭଲ ହୋଇ ଆସୁଥିଲା । ସକାଳେ ମା ଖୋଜି ଖୋଜି ମନ୍ଦିରରୁ ତାକୁ ଉଠାଇ କହିଲା “ରେ… ରାଜୁ…. ଉଠ …. ତୋ ଡାକ ଭଗବାନ ଶୁଣିଲେଣିରେ, ତୋ ବାପାଙ୍କୁ ଜେନେରାଲ ବେଡ଼କୁ ଅଣାଗଲାଣି ସେ ଭଲ ହୋଇଯିବେ”।ସାନ୍ଧ୍ୟ ବେଳକୁ ବାପା ପୁରା ଫିଟ ହୋଇଗଲେଣି । ତାଙ୍କୁ ଡିସଚାର୍ଜ କରିବା ପାଇଁ ଡାକ୍ତର ବି ଅନୁମତି ଦେଇଦେଲେଣି । ରାଜୁ ପୁଣି ସେହି ଭଳି କାରରେ ବସାଇ, କାନ୍ଧରେ ସହାରା ଦେଇ ଆସ୍ତେ ଆସ୍ତେ ଘରକୁ ଆଣି ତାଙ୍କ ରୁମର ଖଟ ଉପରେ ଶୁଆଇ ଦେଲା ବେଳେ ବାପା ପୁଣି ରାଜୁର ହାତକୁ ଛିଞ୍ଚାଡି ଦେଇ ବିରକ୍ତରେ କହିଲେ “ଛାଡ଼ ମୋତେ କୁଳାଙ୍ଗାର, ତୁ’ତ ମନେ ମନେ ଭାବି ନେଇଥିବୁ ଯେ ଏ ବୁଢାଟା ଆଉ ଲେଉଟିକି ଆସିବ ନାହିଁ, ସିଧା ସ୍ୱର୍ଗକୁ ଫାଇନାଲ ଟିକେଟ କଟିଦେଵ ନା କଣ…. । ରାଜୁ ଏ କଥା ଶୁଣି ଉଦାସ ମନରେ ସେଠୁ ଚାଲିଗଲା, ଭାବିଲା ଏ ବୁଢାଟା କେବେ ଯେ ସୁଧୁରିବ କେଜାଣି । ଏଥର କିନ୍ତୁ ସୁଚିତ୍ରା ଦେବୀ ଆଉ ସମ୍ଭାଳି ରହି ପାରିଲେନି ସେ ପଚାରିଲେ “ଏତେ ସବୁ ତ ସେ ହିଁ କରୁଛି, ତଥାପି ବି ସେ ତୁମ ପାଇଁ କୁଳାଙ୍ଗାର ହୋଇ ରହିଛି । ତୁମକୁ ଏତିକି ବି ଜଣା ନଥିବ ଯେ ରାତିରେ କଣ ସବୁ ଘଟିଗଲା …. ଘରେ କେହିବି କହିବା ପାଈଁ ନାହାଁନ୍ତି । ମୁଁ କହୁଛି ଶୁଣ … ସେ କାହାକୁ ହାଇରଣ ନକରି ନିଜେ ତୁମକୁ ଉଠାଇ ନେଇ ମେଡିକାଲ ରେ ଭର୍ତ୍ତି କରି ରାତି ସାରା ମେଡ଼ିକାଲର ମନ୍ଦିରରେ ଅଧିଆ ପଡ଼ିଥିଲା….। କିନ୍ତୁ କାହା ପାଇଁ….? ଭଗବାନ ନ କରନ୍ତୁ, କାଲି ଯଦି କିଛି ବି ଅସୁବିଧା ହୋଇ ଯାଇଥାନ୍ତା ତାହାହେଲେ ଆମେ କଣ କରିଥାନ୍ତୁ…..। ଆଉ ତୁମେ ଗୋଟେ ଲୋକ ତାକୁ ଗାଳି ପରେ ଗାଳି ଦେଇ ଅପମାନ କରିବାର କୌଣସି ସୁଯୋଗକୁ ଛାଡୁ ନାହଁ” । କହି କହି ସୁମିତ୍ରା ଦେବୀ କାନ୍ଦିବାରେ ଲାଗିଥାନ୍ତି ।ଏଥର ବାପା ଆଶ୍ଚର୍ଯ୍ୟ ହୋଇ ମା’ଙ୍କୁ ଦେଖୁଥାନ୍ତି ପୁଣି ନଜର ତଳକୁ କରି ଦେଉଥାନ୍ତି । ମା ପୁଣି ସେମିତି କାନ୍ଦି କାନ୍ଦି କହୁଥାନ୍ତି “କଣ ବା କମ ଅଛି ମୋ ପୁଅ ପାଖରେ ଯେ ତାକୁ ସବୁବେଳେ ହିନୀମାନି କରୁଛ । ହଁ ମୁଁ ମନୁଛି ଯେ ସେ ପାଠପଢ଼ାରେ ଟିକେ ଦୁର୍ବଳ ଥିଲା … ତେବେ କଣ ହୋଇଗଲା …? କଣ ସବୁ ପିଲାମାନେ ହୁସିୟାର ଅଛନ୍ତି କି….? ସେ ତା ନିଜ ପରିବାର, ଆମ ଦୁଇଜଣଙ୍କୁ, ଘରବାଡ଼ି, ଜମିବାଡ଼ି, ତୁମ ଚଉଦ ପୁରୁଷ କାଳର ବ୍ୟବସାୟ, ବନ୍ଧୁ ବାନ୍ଧବ ସମସ୍ତ କଥାକୁ ଠିକ ଠିକ ବୁଝି ଠିକ ରୂପେ ଚଳାଇ ଆସୁଛି । ଆଉ ଯେତେବେଳେ କି ତୁମର ବାକି ଯୋଗ୍ୟ ପୁତ୍ରମାନେ ଖାଲି ନିଜର ସ୍ତ୍ରୀ, ପିଲାଛୁଆ ଆଉ ବେଶିରୁ ବେଶୀ ହେଲେ ନିଜ ଶଶୁର ଘରର ସୁବିଧା ଅସୁବିଧା ଉପରେ ବିଶେଷ ଧ୍ୟାନ ରଖୁଛନ୍ତି । କେବେ ସେମାନେ ଆସି ପଚାରିଛନ୍ତି ତୁମର ବ୍ୟବସାୟ କିପରି ଚାଲିଛି । ସେଇଟା ପଚାରିବା ଦୂରର କଥା, କେବେ ବି ତୁମର ଦେହପା କେମିତି ଅଛି, ତୁମେ କେମିତି ନିଜର ଟ୍ରିଟମେଂଟ କରୁଛ ପଚାରିଛନ୍ତି…. ? ଆଉ ଆଜିର କଥା ଦେଖୁନ, ସକାଳେ ସବୁ ଆସି ଠୁଳ ହୋଇଗଲେ, ତୁମ ଡିସଚାର୍ଜ କଥା ଶୁଣି ଯେ ଯୁଆଡେ ଚାଲିଗଲେ, ଘରକୁ ଆସିବା ପର୍ଯ୍ୟନ୍ତ ରହିଲେ ନାହିଁ । ଆଉ ତୁମେ ଗୋଟେ ଲୋକ…. ସବୁବେଳେ କାମ କରୁଥିବା ପୁଅକୁ ସମସ୍ତଙ୍କ ପାଖରେ ଅପମାନିତ କରି ଚାଲିଛ ।ମା’ଙ୍କର କଥା ଶୁଣି ବାପା ଟିକେ ରହିଗଲେ କିଛି ସମୟ ଚୁପ ହୋଇ କହିଲେ “ଶୁଣ ସୁମିତ୍ରା…. ତୁମେ ବି ମୋ ମନର ଭାବନାକୁ ଆଜି ପର୍ଯ୍ୟନ୍ତ ବୁଝି ପାରିଲ ନାହିଁ । କଣ ତୁମକୁ ବି ଲାଗୁଛି କି ଏତେ ସବୁ ଘଟିଗଲା ପରେ ବି ତାକୁ ମୁଁ ଯୋଗ୍ୟ ପୁଅ ବୋଲି କାହିଁକି କହୁନି….? ଅଥବା ପୁଅ ବୋଲି ଥରୁଟିଏ ବି କୁଣ୍ଢେଇ ନ ଧରିବାର ଦୁଖଃ କାହିଁକି ମୋ ପାଖରେ ନାହିଁ ! କଣ ମୋ ହୃଦୟଟା ଏତେ ପାଷାଣ..? ହଁ…. ସୁମିତ୍ରା ସତ କହିବାକୁ ଗଲେ ମୋତେ ବି ବହୁତ ଦୁଃଖ ଲାଗୁଛି, ହେଲେ ତା ଠାରୁ ଅଧିକ ଭୟ ଲାଗୁଛି ଯେ ଇଏ ବି ସେମାନଙ୍କ ଭଳି ଯୋଗ୍ୟ ହୋଇଯିବନି ତ । ସେଥିପାଇଁ ମୁଁ ତାର ଯୋଗ୍ୟତା ଜାଣିଥିଲେ ମଧ୍ୟ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଯୋଗ୍ୟ ବ୍ୟକ୍ତିର ପୂର୍ଣ୍ଣତା କେବେ ବି ଦେବି ନାହିଁ” କହି କହି ବାପା ବି କାନ୍ଦି ପକାଇଲେ । ବାପାର ଏ ରୂପ ଦେଖି ମା ପୁରାପୁରି ଚମକି ପଡିଲେ । “ଇୟେ କଣ କହୁଛ ତୁମେ, ଏମିତି କାହିଁକି ପିଲା ଭଳି କାନ୍ଦୁଛ”…? ସୁମିତ୍ରା ଦେବୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ । “ହଁ ସୁମିତ୍ରା ତୁମେ ଏଇଟାକୁ ମୋର ସ୍ୱାର୍ଥପରତା ବୋଲି ଭାବିପାର ହେଲେ ମୁଁ ନାଚାର” କହି କହି ବାପା ଆଖିରୁ ଲୁହ ଝରାଉ ଝରାଉ ମା ପାଖରେ ହାତ ଯୋଡି ଦେଲେ । ହେଲେ ମା ଝଟ କରି ନିଜ ହାତରେ ବାପାଙ୍କ ହାତକୁ ଧରି ପକାଇଲେ । ବାପାଙ୍କ ପପୁଲି ଦୁଇଟିକୁ ଖୋଲି ଦେଇ ମା କହିଲେ “ଆରେ….ତୁମେ ଏ କଣ କରୁଛ, ହାତ ଯୋଡି ମୋତେ କାହିଁକି ପାପର ଭାଗିଦାରୀ କରୁଛ…? ମୋର ହିଁ ଭୁଲ ଥିଲା ଯେ ଏତେ ବର୍ଷ ହେଲା ମୁଁ ତୁମକୁ ଭଲ ଭାବରେ ବୁଝି ପରିନଥିଲି” ।ଆର ଘରର ଦୁଆର ପାଖରେ ଛିଡା ହୋଇ ସେ କୁଳାଙ୍ଗାର ପୁଅ ରାଜୁ ଏସବୁ କଥା ଶୁଣୁଥିଲା । ସେ ବି ବାପର ଏପରି ରୂପ କେବେବି ଦେଖି ନଥିଲା, ତା ଆଖିରେ ଲୁହ ଭରି ହୋଇଯାଇଥିଲା । ସେଇ ଅଶ୍ରୁ ଖୁସିର ଥିଲା ଅବା ତା ବାବାର ତା ପ୍ରତି ଥିବା ଧାରଣାର ଦୁଃଖର । ସେ ତା ବାପାକୁ ନଚିହ୍ନି ପାରି ଗୋଟେ ଭୁଲ ଧାରଣାରେ ଥିଲା । ଇଛା ହେଉଥିଲା ବାପାଙ୍କ ଗୋଡ଼ ତଳେ ପଡିଯିବାକୁ ହେଲେ ଏମିତି କଲେ କାଳେ ବାପା ରାଗି ଯାଇପାରନ୍ତି । ଏହା ଭାବି ସେ ସେଠୁ ନିଜର ରୁମକୁ ଦଉଡି ଗଲା । ନିଜ ରୁମର କବାଟ ଖୋଲିବା ଆଗରୁ ବାପାଙ୍କର ପାଟି ଶୁଭିଲା “ଅରେ କୁଳାଙ୍ଗାର… ଡାକ୍ତରଖାନାର ଔଷଧ ଗୁଡାକ କଣ ଗାଡି ଭିତରେ ଛାଡି ଆସିଲୁ କି…? କେତେ ବି ବୁଝେଇ କି କହ ଗୋଟେ ବି କାମ ଠିକ ଭାବରେ କରି ପାରିଲା ନାହିଁ କୁଳାଙ୍ଗାର କେଉଁଠିକାର” । ଠିକ ସେତିକିବେଳେ କୁଳାଙ୍ଗାର ରାଜୁ ଆଖିରୁ ଲୁହ ପୋଛି ଗାଡ଼ିରୁ ଔଷଧ ବାହାର କରି ବାପାଙ୍କ ରୁମକୁ ଦୌଡ଼ିଲା ।