କୃଷକ ମୃତ୍ୟୁକୁ ନେଇ ନବନିର୍ମାଣ କୁର୍ଷକ ସଂଘ ପକ୍ଷରୁ ପ୍ରେସ ମିଟ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହାଇଟେକ ପ୍ଲାଜା ପରିସରରେ ନବନିର୍ମାଣ କୃଷକ ସଂଘ ପକ୍ଷରୁ ଗଜପତି ଜିଲ୍ଲାରେ କିଛି ଦିନ ତଳେ ହୋଇଥିବା ଚାଷୀ ଆତ୍ମହତ୍ୟାକୁ ନେଇ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଉଦବେଗ ପ୍ରକାଶ କରାଯାଇଥିଲା । ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ହାଇଟେକ ଗ୍ରୁପର ନିର୍ଦ୍ଦେଶକ ଡ.ତିରୁପତି ପାଣିଗ୍ରାହୀ ସଭାପତିତ୍ୱ କରି ଜିଲ୍ଲାର ଗୋଷଣୀ ବ୍ଲକ ଅନ୍ତର୍ଗତ ମାଛମରାରେ ଯେଉଁପରି ଭାବେ ଜଣେ ଚାଷୀ ଋଣ ଭାରରେ ଆକ୍ରାନ୍ତ ହୋଇ ଏବଂ ତିତଲି ବାତ୍ୟାରେ ସର୍ବସ୍ୱ ହରାଇବା ପରେ ଆତ୍ମହତ୍ୟା କରିଛନ୍ତି ତାହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଥିଲେ । ଅନ୍ୟପକ୍ଷରେ ନବନିର୍ମାଣ କୃଷକ ସଂଘର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚାଷୀ ଆତ୍ମହତ୍ୟା ପାଇଁ ସମ୍ପୂର୍ଣ୍ଣ ଭାବେ ସରକାର ଦାୟୀ ବୋଲି କହିଥିଲେ ଏବଂ ସଂଘ ପକ୍ଷରୁ ଏଥିପାଇଁ ଲଢେଇ କରାଯିବ ବୋଲି ମଧ୍ୟ ସେ ଚେତାବନୀ ଦେଇଥିଲେ । ସେହିପରି ଭାବେ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ବିରାଟ କୃଷକ ସମ୍ମିଳନୀ ଯେପରି ଭାବେ ରାଜ୍ୟ ସରକାର ଭଣ୍ଡୁର କରି କୃଷକ ମାନଙ୍କୁ ରାଜଧାନୀରେ ପ୍ରବେଶ କରାଇ ଦେଲେ ନାହିଁ ତାର ପ୍ରତିବାଦରେ ଜିଲ୍ଲା ମଧ୍ୟରେ କୌଣସି ନେତା ମନ୍ତ୍ରୀଙ୍କୁ ପ୍ରବେଶ କରାଇ ଦିଆଯିବନାହିଁ ବୋଲି ସେ କହିଥିଲେ । ଗତ ତିତଲି ବାତ୍ୟାର ଗଜପତି ଜିଲ୍ଲାରେ କୃଷକମାନଙ୍କର ଯେଉଁ ଭଳି ଭାବେ କ୍ଷତି ଘଟିଛି ତାର ସଠିକ ଆକଳନ ପ୍ରଶାସନ ପକ୍ଷରୁ କରାଯାଇନଥିବାରୁ ତୁରନ୍ତ ତାର ସଠିକ ଆକଳନ କରିବା ପାଇଁ ସଂଗଠନ ପକ୍ଷରୁ ଦାବୀ ହୋଇଥିଲା । ଅନ୍ୟପକ୍ଷରେ ଆଦିବାସୀମାନଙ୍କର ଜୀବନ ଜୀବିକା ଜଙ୍ଗଲ ଜମିଗୁଡିକୁ ଦୀର୍ଘ ଦିନ ଚାଷ କରିବା ପରେ ମଧ୍ୟ ସେମାନଙ୍କୁ ପଟ୍ଟା ଯୋଗାଇ ଦିଆଯାଇନଥିବାର ଏ ଦିଗରେ ପ୍ରଶାସନ ତତ୍ପରତା ଦେଖାଇବା ଆବଶ୍ୟକ ବୋଲି ଏହି ସମ୍ମିଳନୀରେ କୁହାଯାଇଥିଲା । କୃଷକମାନଙ୍କ ସବ ପାଇଁ ଆଗାମୀ ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କ୍ଷତିପୂରଣ ତଥା ସଠିକ କ୍ଷୟକ୍ଷତିର ଆକଳନ କରାନଗଲେ ସଂଗଠନ ଦ୍ୱାରା ୧୫ ଦିନ ପରେ ଗଜପତି ଜିଲ୍ଲାରେ ଏକ ବିରାଟ ଚାଷୀ ଆନ୍ଦୋଳନ କରାଯିବ ବୋଲି ଏହି ସମ୍ମିଳନୀରେ କୁହାଯାଇଛି । ଏହି ଆନ୍ଦୋଳନ ମାଧ୍ୟମରେ ଚାଷୀମାନଙ୍କର ପ୍ରାଇସ, ପ୍ରେଷ୍ଟିଜ, ପେନସନ ତିନୋଟି ମୁଖ୍ୟ ଦାବୀ ରହିଥବାବେଳେ ତିତଲି ବାତ୍ୟାର କ୍ଷତିପୂରଣ ମଧ୍ୟ ଅନ୍ୟ ଏକ ପ୍ରମୁଖ ଦାବୀ ରହିବ ବୋଲି ଏଥିରେ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ରାଉତ, ରାଜ୍ୟ ସଂଯୋଜକ ଅନ୍ଵର ଅଲ୍ଲୀ, ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ ଲିମା, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : କୃଷ୍ଣ ବେହେରା