କୃଷକ ସଂଘର୍ଷ ସମର୍ଥନରେ ୩ ଡିସେମ୍ବର ଦେଶବ୍ୟାପୀ ସଂହତି ଦିବସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ କୃଷି ନୀତି ତଥା କର୍ପୋରେଟ୍ ସପକ୍ଷବାଦୀ କୃଷି ନୀୟମ ଏବଂ ବିଦ୍ୟୁତ୍ (ସଂଶୋଧନ) ବିଲ୍ ୨୦୨୦କୁ ରଦ୍ଦ କରିବା ପାଇଁ ଯେଉଁ ବୀରତ୍ବପୂର୍ଣ ସଂଘର୍ଷ ଦୀର୍ଘ ୫ ଦିନ ଧରି ଜାରି ରଖିଛନ୍ତି, ଏଥିରେ ଫାସିବାଦୀ ମୋଦି ସରକାରଙ୍କୁ ଶକ୍ତ ଧକ୍କା ପହଞ୍ଚିବା ସହ ଭାରତୀୟ କୃଷକ ଆନ୍ଦୋଳନରେ ନୂତନ ଇତିହାସ ରଚିଛନ୍ତି । ଏହି ଆନ୍ଦୋଳନରେ କୃଷକ ମାନଙ୍କ ନିଶ୍ଚୟ ବିଜୟ ହେବ । ଏହି କୃଷକ ସଂଘର୍ଷ ଦେଶବ୍ୟାପୀ ଗଢିତୋଳିବା ସହ ବ୍ୟାପକ ସଭା ସମିତି, ଶୋଭାଯାତ୍ରା, ବିକ୍ଷୋଭ ଆୟୋଜନ କରି ଗାଁ ଗାଁରେ ସମର୍ଥନ ଜ୍ଞାପନ ପାଇଁ ୩ ଡିସେମ୍ବର ୨୦୨୦କୁ ଅଖିଳ ଭାରତୀୟ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ଦେଶବ୍ୟାପୀ ସଂହତି ଦିବସ ଭାବେ ପାଳନ କରିବା ପାଇଁ ଆହ୍ବାନ ଦିଆଯାଇଛି । କୃଷକଙ୍କ ଐକ୍ୟବଦ୍ଧ ଓ ବୀରତ୍ବପୂର୍ଣ ଶକ୍ତି କେନ୍ଦ୍ର ସରକାରଙ୍କ ସର୍ତ୍ତମୂଳକ ଆଲୋଚନା ପ୍ରସ୍ତାବକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି । ମୋଦି ସରକାର ମନ କି ବାତରେ କହିଛନ୍ତି ଯେ ବିରୋଧୀଙ୍କ ପ୍ରୋତ୍ସାହନରେ ଏହି ଆନ୍ଦୋଳନ ଘଟୁଛି, ଏହା କୃଷକ ସମାଜ ପ୍ରତି ଅପମାନ ଅଟେ । କାରଣ ପଞ୍ଜାବର କୃଷକମାନେ ସବୁଠାରୁ ବିକଶିତ କୃଷକ, ସେମାନେ ସରକାରଙ୍କ କୃଷି ନୀତିକୁ ସଠିକ ଭାବେ ତର୍ଜମା କରି ଏହାକୁ ବିରୋଧ କରୁଛନ୍ତି । କୃଷକମାନଙ୍କ ଆୟକୁ ଦୁଇଗୁଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ର ସରକାର କୃଷକଙ୍କୁ ରୋକିବା ପାଇଁ ସମ୍ବିଧାନ ଏବଂ ଗଣତନ୍ତ୍ରର ହତ୍ୟା କରିଛନ୍ତି । ରାସ୍ତା ଖୋଳିଲେ ଯେପରି କୃଷକମାନେ ଦିଲ୍ଲୀରେ ପହଞ୍ଚି ପାରିବେ ନାହିଁ । ସମସ୍ତ ଦମନ ନୀତି ପାଣିମାଡ, ଲାଠିଚାର୍ଜ, ଗ୍ୟାସ ବୁହା ମାଡ଼ କରିଥିଲେ କିନ୍ତୁ ଅନ୍ନଦାତାଙ୍କ ନିଷ୍ଠା ଓ ତ୍ୟାଗ ଯୋଗୁଁ ଭୁଲ କୃଷି ନୀତିକୁ ବିରୋଧ କରି ଦିଲ୍ଲୀରେ ପହଞ୍ଚି ପାରିଛନ୍ତି । ପ୍ରତ୍ୟେକ ଗାଁରେ ମୋଦୀଙ୍କ ବିରୁଦ୍ଧରେ କ୍ରୋଧ ପ୍ରକାଶ ପାଉଛି । ଏହି ଆନ୍ଦୋଳନକୁ ପ୍ରତ୍ୟେକ ଗାଁର ଚାଷୀକୁ ସ୍ୱାଧୀନତା ପ୍ରଦାନ କରିବ । ଚାଷୀଙ୍କ ସମର୍ଥନରେ ସମସ୍ତେ ଐକ୍ୟବଦ୍ଧ ହୋଇ ଠିଆ ହୋଇ ସମର୍ଥନ ପ୍ରଦାନ କରିବା ହିଁ ଅନ୍ନଦାତାଙ୍କ ପ୍ରତି ପ୍ରକୃତ ସମ୍ମାନ ଏବଂ ଶ୍ରମଜୀବୀଙ୍କ ପ୍ରତି ପ୍ରଥମ ବିଜୟ ଉପହାର ହେବ । କୃଷକ ବିରୋଧୀ କୃଷି ନୀତି ତଥା କର୍ପୋରେଟ ସପକ୍ଷବାଦୀ ନୀତି ଏବଂ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆସୁଥିବା କୃଷକଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ସାରା ଦେଶର ଜନଗଣଙ୍କ ଅସନ୍ତୋଷ ପ୍ରକଟ ଏବଂ କୃଷକ ସଂଘର୍ଷକୁ ସମର୍ଥନ ଦେବାକୁ ହେବ । ଐତିହାସିକ କୃଷକ ସଂଗ୍ରାମକୁ ଆମର ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ଏବଂ ମୋଦୀ ସରକାରଙ୍କ କୃଷକ ବିରୋଧୀ ନୀତି ତଥା କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ଦୃଢ ବିରୋଧ କରିବା ପାଇଁ ଆସନ୍ତା ୩ ଡିସେମ୍ବର ୨୦୨୦ “ସ଼ଂହତି ଦିବସ” ଭାବରେ ପାଳନ କରିବାକୁ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ଆହ୍ଵାନ ଦେଉଅଛୁ । ପ୍ରତ୍ୟେକ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ମୋଦୀ ସରକାର ଉପରେ ଚାପ ପ୍ରୟୋଗ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ନିବେଦନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା