


ଛତ୍ରପୁର (ସମୃଦ୍ଧ ଓଡିଶା) କୃଷି ଋଣ ଛାଡ କରିବା, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୦୦୦ ଟଙ୍କା ପ୍ରଦାନ କରିବା, ବୋନସ ୭୫୦ ଟଙ୍କା କରିବା, ଏଫ୍ଏକ୍ୟୁ ମାନ ନାମରେ ଚାଷୀଙ୍କୁ ଲୁଟ୍ ବନ୍ଦ କରିବା ସହ ଚାଷୀ, ଭାଗଚାଷୀଙ୍କ ସମସ୍ତ ଧାନ କ୍ରୟ କରିବା, ଚାଷୀଙ୍କୁ ମାସିକ ପେନସନ ୩୦୦୦ ଟଙ୍କା କରିବା, ଗଞ୍ଜାମ ବ୍ଲକରୁ ସବୁ ପଞ୍ଚାୟତ ଓ ଗ୍ରାମକୁ ମେଗା ଜଳ ପ୍ରକଳ୍ପରେ ସାମିଲ କରି ପିଇବା ପାଣି ଯୋଗାଇବା, ଜଳସେଚନ ପଷ୍ଠଳୂ ପ୍ରତିଷ୍ଠା କରି ଅଞ୍ଚଳର ସମସ୍ତ ଗ୍ରାମରେ ଜଳ ସେଚନ କରିବା, ଦଖଲ ଜମି ଓ ଘରଡିହ ପଟ୍ଟା ପ୍ରଦାନ କରିବା, ଲୁଣ ଉତ୍ପାଦନକାରୀ ଚାଷୀଙ୍କୁ ଲୁଣ ଜମି ହସ୍ତାନ୍ତର କରି ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇବା, ମତ୍ସ୍ୟଜିବୀମାନଙ୍କ ପାଇଁ ଶୀତଳ ଭଣ୍ଡାର ଏବଂ ସମୁଦ୍ର କୂଳେ ଜେଟି ନିର୍ମାଣ କରିବା ପ୍ରମୁଖ ଦାବି ନେଇ ଗଞ୍ଜାମ ଜିଲ୍ଲା କୃଷକ ସଂଘର୍ଷ ସମିତି ପକ୍ଷରୁ ହୁମ୍ମା ସାଲଟ ପଡିଆ ଠାରୁ ବିଶାଳ କୃଷକ ପଦଯାତ୍ରା ଆରମ୍ଭ କରି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ସେମାନେ ଦାବି ସଂପର୍କିତ ଏକ ସ୍ମାରକ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହାପରେ ଛତ୍ରପୁର ଲୋୟର ବସଷ୍ଟାଣ୍ଡଠାରେ ଏକ ସାଧାରଣ ସଭା ଆଞ୍ଚଳିକ କମିଟି ସଂପାଦକ ତଥା ସରପଞ୍ଚ ଦିଲ୍ଲୀପ ଛୋଟରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ କୃଷକ ସଂଘର୍ଷ ସମିତିର ଆବାହକ ତଥା ଓଡିଶା କୃଷକ ସଭାର ଜିଲ୍ଲା ସଂପାଦକ ପି.ହରିକୃଷ୍ଣ ରେଡ୍ଡି, ସିପିଏମ୍ ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ସିପିଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜଗନ୍ନାଥ ମିଶ୍ର, ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, ସିପିଏମ୍ ଜିଲ୍ଲା ସଂପାଦକ କୈଳାସ ଷଡଙ୍ଗୀ, ଓଡିଶା କୃଷକ ସଭାର ଜିଲ୍ଲା ସହ ସଂପାଦକ ବସନ୍ତ କୁମାର ନନ୍ଦ, ଶ୍ରମିକ ନେତା ଯୁଧିଷ୍ଠୀର ବେହେରା, ଆଇନଜିବୀ ପର୍ଶୁରାମ ଗୌଡ, ରାମଚନ୍ଦ୍ର ନାୟକ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ଉପରେ ସମାଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





