

ଭୁବନେଶ୍ୱର:(ସମୃଦ୍ଧଓଡିଶା) କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରୁ କୃଷି-ରପ୍ତାନୀକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପରାମର୍ଶ ବୈଠକ କୃଷି ଭବନରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଦେଶ ବିଦେଶରେ ବହୁତ ଚାହିଦା ରହିଛି । ରପ୍ତାନୀ ସମୟରେ ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡ଼ିକର ସମାଧାନ କରି ବ୍ୟବସାୟୀଙ୍କ ପାଇଁ ଏକ ଅନୁକୂଳ ଇକୋସିଷ୍ଟମ ସୃଷ୍ଟି କରିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଦେଶ ବିଦେଶରେ ଚାହିଦା ଥିବା ରପ୍ତାନୀ ଉଦ୍ଦିଷ୍ଟ ପ୍ରମୁଖ କୃଷି ଉତ୍ପାଦଗୁଡ଼ିକୁ ଚିହ୍ନଟ କରି ଓଡ଼ିଶାରୁ କୃଷି ରପ୍ତାନୀ ବୃଦ୍ଧି କରିବା ଏହି ବୈଠକର ପ୍ରମୁଖ ଲକ୍ଷ୍ୟ । ରପ୍ତାନୀ ପ୍ରକ୍ରିୟାକୁ ସହଜ,ସୁଗମ କରିବା ସହିତ କୃଷିଜାତ ଦ୍ରବ୍ୟର ରପ୍ତାନୀ କ୍ଷେତ୍ରକୁ ଅଧିକ ସମ୍ପ୍ରସାରିତ କରିବା ପାଇଁ ଆବଶ୍ୟକ ନୀତିଗତ ସହାୟତା ପ୍ରଦାନ କରାଯିବ ବୋଲି ଡ଼ ପାଢ଼ୀ ମତବ୍ୟକ୍ତ କରିଥିଲେ । ରପ୍ତାନୀ ଢାଞ୍ଚାକୁ ସୁଦୃଢ଼ କରି, ବିଶ୍ୱ ବଜାରରେ ଓଡ଼ିଶା ନିଜର ଉପସ୍ଥିତି ଜାହିର କରିପାରିବ । କୃଷକ ଓ କୃଷି ଉତ୍ପାଦକ ସଂଗଠନଗୁଡ଼ିକୁ ଅନ୍ତର୍ଜାତୀୟ ବଜାର ସହ ସଂଯୋଗୀକରଣ କୃଷକଙ୍କ ଆୟ ବହୁଗୁଣିତ କରିବାରେ ସହାୟକ ହେବ । ଓଡ଼ିଶାର କୃଷି କ୍ଷେତ୍ରରେ ଥିବା ଭରପୂର ସମ୍ଭାବନାକୁ ସମ୍ପ୍ରସାରଣ କରି ରାଜ୍ୟର ଅର୍ଥନୀତିରେ ଏକ ଅର୍ଥପୂର୍ଣ୍ଣ ଯୋଗଦାନ କରିବା ପାଇଁ ଡ଼ ପାଢ଼ୀ ରପ୍ତାନିକାରୀ ଓ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ବାଣିଜ୍ୟ ଓ ପରିବହନ ବିଭାଗ, କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ (APEDA), ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର (WTC), AAI କାର୍ଗୋ ଲଜିଷ୍ଟିକ୍ସ ଆଣ୍ଡ ଆଲାଏଡ୍ ସର୍ଭିସେସ୍ କମ୍ପାନୀ ଲିମିଟେଡ୍ (AAICLAS) ଏବଂ ପାଲାଡିୟମ୍ ର ବୈଷୟିକ ସହାୟତା ୟୁନିଟ୍ ପ୍ରତିନିଧିଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ ।
ରିପୋର୍ଟ : ସୁଶ୍ରୀ ସଙ୍ଗୀତା ମହାରଣା, ଲୋକସମ୍ପର୍କ ଅଧିକାରୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ