ଭୁବନେଶ୍ୱର (ରଜତ୍ ମହାପାତ୍ର)କୃଷି ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ସୃଷ୍ଟି କରିବା ପାଇଁ ଜୁନ ୨୦୧୮ ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ପ୍ରଣୟନ କରିଯାଇଥିଲେ, ଯାହାକି ଡ଼ିସେମ୍ବର ୨୦୨୦ ଓ ଜାନୁଆରୀ ୨୦୨୪ ରେ ପୁନଃ ସଂଶୋଧନ ହୋଇଥିଲା । ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟବସାୟିକ କୃଷି ଉଦ୍ୟୋଗ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ଏବଂ ରୋଜଗାର ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହାର ଲକ୍ଷ୍ୟ ଅଟେ । ଏହି ଯୋଜନାକୁ ସଠିକ ଭାବେ ଉପଯୋଗ କରିବା ତଥା ରାଜ୍ୟରେ ପ୍ରଚୁର ସୁଯୋଗ ଯୋଗାଇଦେଇ କୃଷକ ମାନଙ୍କର ରୋଜଗାର ବୃଦ୍ଧି କରିବା ପାଇଁ ରାଜ୍ୟ କ୍ୟାବିନେଟ ୨୦୨୧-୨୨ ଆର୍ଥୀକ ବର୍ଷ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ୮୭୪.୧୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ କରିଛନ୍ତି; ଯାହା କୃଷି ଉଦ୍ୟୋଗୀମାନଙ୍କୁ ସବସିଡ଼ି ପ୍ରଦାନରେ ସହାୟକ ହେବ । ଏହାଦ୍ବାରା ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି ହେବ । ଫଳସ୍ବରୂପ କୃଷି କ୍ଷେତ୍ରରେ ଦ୍ରୁତ ଆଧୁନିକୀକରଣ ହୋଇପାରିବ ।