
ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୃଷକମାନଙ୍କୁ ଋଣରୁ ମୁକ୍ତି, ପ୍ରତି ଧାନ କୁଇଂଟାଲରେ ୮୦୦ଟଙ୍କା ବୋନସ୍ ପ୍ରଦାନ, ଭାଗଚାଷୀମାନଙ୍କୁ ଚାଷୀର ଆଇନଗତ ମାନ୍ୟତା, ଚାଷୀ ପାଉଥିବା ସମସ୍ତ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା, ଧାନ କୁଇଂଟାଲ ପ୍ରତି ସର୍ବନିମ୍ନ ସହାୟକ ମୁଲ୍ୟ ୩୦୦୦ଟଙ୍କା ଧାର୍ଯ୍ୟ କରିବା ଏବଂ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୁଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ପ୍ରଦାନ କରିବା ଇତ୍ୟାଦି ଦାବିରେ ଶନିବାର ସି.ପି.ଆଇ.(ଏମ୍) ତରଫରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଏହାସହ ରାଜ୍ୟପାଳଙ୍କୁ ଏହି ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତରଫରୁ ଅନୁଷ୍ଠିତ ଏହି ଗଣଧାରଣା କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ବରିଷ୍ଠ ନେତା ଜନାର୍ଦ୍ଦନ ପତି, ଶିବାଜୀ ପଟ୍ଟନାୟକ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ, ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, ନିର୍ମଳ ନାୟକ, ପୁଷ୍ପା ଦାଶ ପ୍ରମୁଖ ନେତୃତ୍ୱ ନେଇ ଉଦ୍ବୋଧନ ଦେଇଥିଲେ । ଏକ ପାଂଚ ଜଣିଆ ପ୍ରତିନିଧି ଦଳ ରାଜଭବନ ଯାଇ ସ୍ମାରକପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର ଧାରଣାରେ ସଭାପତିତ୍ୱ କରିଥିଲେ । ସି.ପି.ଆଇ.(ଏମ୍) ତରଫରୁ କୁହାଯାଇଛି ଯେ, ଡଃ ଏମ୍.ଏସ୍.ସ୍ୱାମୀନାଥନ୍ ଜାତୀୟ କୃଷକ କମିଶନ ସୁପାରିଶ ଅନୁଯାୟୀ କେନ୍ଦ୍ର ସରକାର ଅଦ୍ୟାବଧି ଫସଲର ସର୍ବନିମ୍ନ ସହାୟକ ଦର ଦେଲେ ନାହିଁ । କୃଷକମାନଙ୍କର ଋଣଛାଡ କଲେ ନାହିଁ । ଓଡିଶା ସରକାର କେରଳ ଏବଂ ଛତିଶଗଡ ଭଳି ଧାନରେ ବୋନସ୍ ପ୍ରଦାନ କରୁନାହାଁନ୍ତି । ପ୍ରାୟ ୧୦ଟି ରାଜ୍ୟ ସରକାର କୃଷି ଋଣ ଛାଡ କରିଥିବା ବେଳେ ଓଡିଶା ମୂଖ୍ୟମନ୍ତ୍ରୀ ଚୁପ୍ ହୋଇ ବସିଛନ୍ତି । ତଥା କଥିତ କାଳିଆ ଯୋଜନା ନାମରେ କୃଷକମାନଙ୍କୁ ଭୁଆଁ ବୁଲାଇବା ପାଇଁ ଏକ ନିର୍ବାଚନୀ ଧୁଆଁବାଣ ଛାଡିଛନ୍ତି । କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର କର୍ପୋରେଟ୍ ସପକ୍ଷବାଦୀ କୃଷି ଓ କୃଷକ ବିରୋଧୀ ନିତୀ ଗ୍ରହଣ କରିଛନ୍ତି । କୃଷକମାନଙ୍କର ସମସ୍ୟା ସମାଧାନ ନକରି ଦିଲ୍ଳୀରେ ଯାଇ ବିଜେଡି, କୁମ୍ଭୀର କାନ୍ଦଣା ପାଇଁ ଯୋଜନା ଏବଂ ବିଜେପି ରାଜ୍ୟ ସଚିବାଳୟ ସାମନାରେ ନାଟକ ବାଜି କରିବା ପାଇଁ ଯୋଜନା କରୁଛି । ବିଜେପି ଏବଂ ବିଜେଡି ର କୃଷକମାନଙ୍କ ପ୍ରତି ଛଳନା, ପ୍ରତାରଣା ଏବଂ ଧୋକାବାଜି ବିରୁଦ୍ଧରେ ଚାଷୀ ଆନ୍ଦୋଳନ ଗଢିତୋଲିବା ପାଇଁ ସି.ପି.ଆଇ.(ଏମ୍) ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି । ରାଜ୍ୟର ମୋଟାମୋଟି ଚାଷର ସମସ୍ତ ଭାର ଭାଗଚାଷୀମାନେ ବହନ କରୁଥିବା ବେଳେ ସେମାନଙ୍କର କୌଣସି ଆଇନଗତ ଅଧିକାର ନାହିଁଁ । ସରକାର ତୁରନ୍ତ କୃଷିଋଣ ଛାଡ କରି ଚାଷୀଙ୍କୁ ବଂଚାଇବା ସହିତ ଧାନରେ ବୋନସ୍ ,ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା ଇତ୍ୟାଦି ଦାବି ନଗ୍ରହଣ କଲେ ଆନ୍ଦୋଳନକୁ ଆହୁରୀ ଜୋରଦାର କରାଯିବ ବୋଲି ସି.ପି.ଆଇ.(ଏମ୍) ନେତୃବୃନ୍ଦ କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର

