ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗ୍ୟାଙ୍ଗଷ୍ଟାର ଟିଟୋର ଭାଇ ସପୋ ଓ ସରୋଜ ସାହୁଙ୍କ ସହ ସମ୍ପର୍କ ଅଭିଯୋଗ ଆଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ବିଜେଡି ସମାଲୋଚନା କରିଛି । ତାହା ଶ୍ରୀ ପ୍ରଧାନଙ୍କ ନିମ୍ନମାନର ଚିନ୍ତାଧାରା ଓ ହତାଶାକୁ ପଦାରେ ପକାଉଛି ବୋଲି ବିଜୁ ଜନତା ଦଳ ବରିଷ୍ଠ ନେତା ଶ୍ରୀ ପ୍ରତାପ ଜେନା କହିଛନ୍ତି । ସେ କହିଛନ୍ତି ଯେ ଗତକାଲି ଏକ ପ୍ରେସ୍ ଇସ୍ତାହାରରେ ଶ୍ରୀ ପ୍ରଧାନଙ୍କୁ ପ୍ରଶ୍ନ କରିଥିଲେ, ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କ ହତ୍ୟାକାରୀଙ୍କ ପାଇଁ କିଏ ଉତରାଖଣ୍ଡ ଗେଷ୍ଟ ହାଉସରେ ରୁମ୍ ବୁକ୍ କରିଥିଲା ? କେଉଁ ବ୍ୟକ୍ତି ଲକ୍ଷ୍ମୀଦତ ପ୍ରଧାନଙ୍କ ହତ୍ୟାକାଣ୍ଡର ପ୍ରଚ୍ଛଦପଟରେ ରହି ହତ୍ୟାକାରୀମାନଙ୍କୁ ପ୍ରୋତ୍ସାହନ ଏବଂ ପୃଷ୍ଠପୋଷକତା ଯୋଗାଇଥିଲା ? ତାର ଉତର ରଖିବାକୁ ଯାଇ ଶ୍ରୀ ପ୍ରଧାନ ଜଣାଇଛନ୍ତି ଯେ ଯଦି କୌଣସି ସତ୍ୟତା ଅଛି, ତାହେଲେ ରାଜ୍ୟ ପୋଲିସ ତାଙ୍କୁ ସମନ କଲେ ସେ ହାଜର ହେବେ । କଥାରେ ଅଛି, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନାହିଁ । ସେହି ନ୍ୟାୟରେ ଶ୍ରୀ ପ୍ରଧାନଙ୍କୁ ଅଭିଯୁକ୍ତ ନକହିଥିଲେ ହେଁ ସେ ନିଜକୁ ଦୋଷୀ ବୋଲି ମାନିବା ଓ ତାଙ୍କର ସନ୍ଦେହଜନକ ବିବୃତି ଅନେକ ଜିନିଷ ପଦାରେ ପକାଇଛି । ନକହି ମଧ୍ୟ ଶ୍ରୀ ପ୍ରଧାନ ଅନେକ ବିଷୟ କହିଯାଇଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି । ସେହିପରି ମୁଁ କିଛିଦିନ ତଳେ ଗ୍ୟାଙ୍ଗଷ୍ଟର ଟିଟୋ ସହିତ ତାଙ୍କର ସମ୍ପର୍କ ସମ୍ପର୍କରେ ଶ୍ରୀ ପ୍ରଧାନ ସ୍ପଷ୍ଟ କରିବାକୁସେ କହିଥିଲେ । କିନ୍ତୁ ସେ ଆଜି ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ନିଜର ଉତର ନରଖିବା ତାଙ୍କର ଭୟ ଓ ଅସହାୟତାକୁ ଓଡ଼ିଶା ଜନସାଧାରଣଙ୍କ ସମ୍ମୁଖରେ ପରିପ୍ରକାଶ କରୁଛି । ଯେହେତୁ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ବକ୍ତବ୍ୟ ଦେଉ ଦେଉ ପରୋକ୍ଷରେ ଅନେକ ବିଷୟରେ ଉତରାଖଣ୍ଡ ଗେଷ୍ଟ ହାଉସ୍ ବାବଦରେ ପ୍ରକାଶ କରିଛନ୍ତି, ସେହି ଷଡ଼ଯନ୍ତ୍ରର ଗୁମର କେବେ ଶ୍ରୀ ପ୍ରଧାନ ଖୋଲିବେ ତାହା ଓଡ଼ିଶାବାସୀ ଉକ୍ରଣ୍ଠାର ସହିତ ଅପେକ୍ଷା କରିଛନ୍ତି । ଯଦି ସତ୍ ସାହସ ଅଛି, ତେବେ ସେ ସତ କହିବା ଶିଖନ୍ତୁ ବୋଲି ଶ୍ରୀ ଜେନା କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର