



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ୨୦୧୯ ମସିହା ଜାନୁୟାରୀ ୮ ଓ ୯ ରେ ହେବାକୁ ଥିବା ୨ ଦିନିଆ ଧର୍ମଘଟକୁ ସଫଳ କରିବା ପାଇଁ ଗତକାଲି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଫେଡେରେସନ ଓ ବିଭିନ୍ନ ଆସୋସିଏସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ କନଭେନସନ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସିଟୁର ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଏଆଇଟିୟୁସିର ସାଧାରଣ ସମ୍ପାଦକ ସୌରୀବନ୍ଧୁ କର, ଶ୍ରମିକ ନେତା ମହେନ୍ଦ୍ର ପରିଡା ପ୍ରମୁଖ ମଞ୍ଚାସୀନ ରହି କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ବକ୍ତବ୍ୟ ପ୍ରଦାନ କରିବା ସହ ଶ୍ରମିକଙ୍କ ୧୨ ଦଫା ଦାବି ହାସଲ କରିବା ନେଇ ଆଗାମୀ ଜାନୁୟାରୀ ମାସରେ ହେବାକୁ ଥିବା ୨ ଦିନିଆ ଆନ୍ଦୋଳନକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସର୍ବଶକ୍ତି ବିନିଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି, ଶ୍ରମ ଅଧିକାର ଉପରେ ହେଉଥିବା ଆକ୍ରମଣ, ମାଲିକ ସାପେକ୍ଷ ନୀତି, ଶର୍ମା ଆଇନର ବର୍ଗୀକରଣ, ଶ୍ରମ ଆଇନ ଓ ଆଇଏଲଓ କନଭେନସନ ଅମାନ୍ୟ ବିରୋଧରେ ନିରବିଚ୍ଛିନ୍ନ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦିଆଯାଇଛି । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧିକୁ ରୋକିବା ସହ ସମସ୍ତ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମାସିକ ୧୮ ହଜାର ଟଙ୍କା ଓ ସର୍ବନିମ୍ନ ପେନସନ ୬ ହଜାର ଟଙ୍କା ଦେବା ପାଇଁ ଦାବି କରିବା, ରାଷ୍ଟ୍ରୀୟତ୍ତ ଉଦ୍ୟୋଗର ଅଂଶଧନ ବିକ୍ରୀକୁ ବନ୍ଦ କରିବା, ସମସ୍ତଙ୍କୁ ସର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ କରିବା ଆଦି ଦାବି ନେଇ ସଂଗଠନମାନେ ଆନ୍ଦୋଳନ କରୁଛନ୍ତି ବୋଲି ବକ୍ତାମାନେ କହିଛନ୍ତି । ଏହା ସତ୍ତ୍ୱେ ରାଜ୍ୟ ଓ କେନ୍ଦ୍ର ସରକାରମାନେ ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି କନଭେନସନରେ କୃଷକମାନଙ୍କ ସଂଗ୍ରାମ ପ୍ରତି, କୃଷକମାନଙ୍କ ମିଳିତ ଜାତୀୟ ମୋର୍ଚ୍ଚା ପ୍ରତି, ଆଦିବାସୀମାନଙ୍କ ଜଙ୍ଗଲ ଜମି ଅଧିକାର ପ୍ରତି ସମର୍ଥନ ଜଣାଇଛନ୍ତି । ଚାଷୀ ଆତ୍ମହତ୍ୟାକୁ ରୋକିବାକୁ ହେଲେ କୃଷି ଉତ୍ପାଦଗୁଡିକୁ ନ୍ୟୁନତମ ସହାୟକ ମୂଲ୍ୟ ବୃଦ୍ଧି କରିବା ଆବଶ୍ୟକ ବୋଲି ଏଠାରେ ଦାବି କରାଯାଇଛି । ଏହି ଆନ୍ଦୋଳନ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୁହାଯାଇଛି । ଶ୍ରମିକ ନେତା ପ୍ରଶାନ୍ତ ପାଟ୍ଟଯୋଶୀ, ପ୍ରତାପ ଚୌଧୁରୀ, ପୀତବାସ ପଣ୍ଡା, ନିରଞ୍ଜନ ନାହାକ, ଗୋପାଳ ମହାନ୍ତି, ସୁରେଶ ତ୍ରିପାଠୀ, ସତ୍ୟ ତ୍ରିପାଠୀଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସଭାକୁ ପରିଚାଳନା କରିଥିଲେ । ଶ୍ରମିକ ନେତା ଅଶ୍ଵିନୀ ଦାସ, ଅଳକନାଥ ମିଶ୍ର, ନାରାୟଣ ରେଡ୍ଡୀ, ରାଜେନ୍ଦ୍ର ଦାସ, କୃଷକ ନେତା ହରିକୃଷ୍ଣ ରେଡ୍ଡୀ, ସନ୍ତୋଷ ରଥ, ପ୍ରଦୀପ ସେଠି, କାମଦେବ ନାହାକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


