ଜଳେଶ୍ୱର(ସମୃଦ୍ଧ ଓଡିଶା )କେନ୍ଦ୍ର ଯୁବ ବ୍ୟାପର ବିଭାଗ ପକ୍ଷରୁ ଜାତୀୟ ସେବା ଶିବିର ଅଧିନରେ ଜିଲାସ୍ତରୀୟ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଜଳେଶ୍ୱର ମହିଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ କମଳାକାନ୍ତ ଚନ୍ଦ ଅଧ୍ୟକ୍ଷତା କରି ଏପରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ କେନ୍ଦ୍ର ସରକାରଙ୍କ ନୂତନ ଭାରତ ପରିକଳ୍ପନାର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ । ମୁଖ୍ୟ ଅତିଥିଭାବେ ଡ. ରମାକାନ୍ତ ଭଂଜ ଓ ମୁଖ୍ୟ ବକ୍ତାଭାବେ ଡ. ଈଶ୍ୱର ଚନ୍ଦ୍ର ଜେନା ଯୋଗ ଦେଇ ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କର ଯୁବ ବିକାଶ ଏବଂ ବକ୍ତୃତା ଦ୍ୱାରା ମିନି ପାର୍ଲ୍ୟାମେଣ୍ଟର ପରିକଳ୍ପନା କିପରି ନୂତନ ଭାରତର ନୂଆ ମୋଡ ଦିଆଯାଇପାରିବ ସେ ସଂପର୍କରେ ପ୍ରକାଶ କରିଥିଲେ । ଆୟୋଜକ ଜିଲାସ୍ତରୀୟ ଏନ୍.ଏସ୍.,ଏସ୍ ଜିଲା ପ୍ରଗ୍ରାମ ଅଫିସର ସତ୍ୟମୟ ଆଚାର୍ଯ୍ୟ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ଓ ଯୁବ ଶକ୍ତିର ବିକାଶ ଲାଗି କଲେଜ ସ୍ତରରେ ପ୍ରକ୍ରିୟା ହେଉଥିବାର କହିଥିଲେ । ସମଗ୍ର ଜିଲାରେ ୬୨ଟି ଡିଗ୍ରୀ ମହାବିଦ୍ୟାଳୟରୁ ୮୮ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନ୍ଲାଇନ୍ରେ ପଂଜିକରଣ କରିଥିବା ବେଳେ ଏଥିରେ ଜୁରୀ ଭାବେ ପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ଈଶ୍ୱର ଚନ୍ଦ୍ର ଜେନା, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ସୁଧାଂସୁ ସେଖର ପାତ୍ର, ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ଗୌରହରୀ ଜେନା, ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ, ସେଚ୍ଛାସେବୀ ସଂଗଠକ ତ୍ରିଲୋଚନ ଗିରି ଯୋଗ ଦେଇଥିଲେ । ନିତି ନିୟମ ଅନୁଯାୟୀ ପ୍ରଞ୍ଜଳି ଦାସ, ଅନୁସ୍ୱରୀ ଦେ, ରଶ୍ମିତା ସାହୁ, ଦେବସ୍ମିତା ରଣା, ସୁମିତା ଦେ ଯଥାକ୍ରମେ କୃତି ଅର୍ଜନ କରିଥିବାରୁ ସେମାନଙ୍କ ନାଁ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ କାର୍ଯ୍ୟାଳୟକୁ ପଠାଯାଇଛି । ଆସନ୍ତା ଦିନରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାବେଶ ହେବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗିରିଜା ଶଂକର ଜେନା, ଜୟନାଥ ପଣ୍ଡା, ଲକ୍ଷ୍ମିଧର ସିଂ, ରଜନୀ କାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ. ପ୍ରଫୁଲ୍ଲ କୁମାର ଦେ ଧନ୍ୟବାଦ ଦେଇଥିବା ବେଳେ ଅଧ୍ୟାପକ ଓ ଅଧ୍ୟାପିକାମାନେ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା