କୁକୁଡାଖଣ୍ଡି (ସମୃଦ୍ଧ ଓଡିଶା) ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ରାଜ୍ୟ ସରକାର ନିଜ ନାମରେ ପ୍ରଣୟନ କରି କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆଣିଛି ଦିଗପହଣ୍ଡି ବିଜେପି । ପକ୍କା ଘର ନିର୍ମାଣ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଚଳିତ କରିଥିବା ବେଳେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା ଅଥବା ମୋ ଆବାସ ଯୋଜନାରେ ନାମିତ କରି କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏଭଳି କାର୍ଯ୍ୟ ସଂଘୀୟ ବ୍ୟବସ୍ଥାକୁ ବିରୋଧାଚରଣ କରୁଥିବା ଅଭିଯୋଗ ଆଣି ରାଜ୍ୟ ବିଜେପିର ଡକରା କ୍ରମେ ଦିଗପହଣ୍ଡି ବିଜେପି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ କୁକୁଡାଖଣ୍ଡି ବ୍ଳକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୂର୍ବରୁ କାଳୀମନ୍ଦିର ଛକ ଠାରେ ସମସ୍ତ ଦଳୀୟ କର୍ମୀ ସମବେତ ହେବା ପରେ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଦିଗପହଣ୍ଡି ବିଜେପି କୁକୁଡାଖଣ୍ଡି ଶାଖାର ବିଧାୟିକା ପ୍ରାର୍ଥୀ ତଥା ନାରୀ ନେତ୍ରୀ ପିଙ୍କି ପ୍ରଧାନଙ୍କ ଆହ୍ୱାନରେ, ଯୁବ ନେତା ରବିନ୍ଦ୍ର ବରାଡ, ଗୋବିନ୍ଦ ବିଷୋୟୀ, ଶିବ ରାମ ମଲ୍ଲିକ, ମୋନଜ କୁମାର, କୃଷ୍ଣ ଚନ୍ଦ୍ର ସାହୁ, ଭଗବାନ ସାହୁ, ଭୈରବ ସାହୁ, ନିରଞ୍ଜନ ସାହୁ, ଜିତେନ୍ଦ୍ର ପ୍ରଧାନ, ବିଜୟ ଚନ୍ଦ୍ର ଆଚାର୍ଯ୍ୟ, ଅନନ୍ତ ମହାନ୍ତିଙ୍କ ସମେତ ୫୦ରୁ ଅଧିକ କର୍ମୀ, କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ପରେ ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ବିଡିଓ, କୁକୁଡାଖଣ୍ଡିଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ବହୁ ସମସ୍ୟା ସଂପର୍କରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ନିରପେକ୍ଷ କାର୍ଯ୍ୟପନ୍ଥା ଗ୍ରହଣ କରି ସମ୍ବିଧାନିକ ଉପାୟରେ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବ ପାଇଁ ବିଧାୟିକା ପ୍ରାର୍ଥୀନି ତଥା ରାଜ୍ୟ ମହିଳା ମୋର୍ଚ୍ଚାର ଉପସଭାପତି ଦୃଢଯୁକ୍ତି ଉପସ୍ଥାପନ କରିଥିଲେ । ସାମାଜିକ ସମସ୍ୟା ଗୁଡିକୁ ରାଜନୈତିକ କରଣ କରାଯାଇ ବାଚସ୍ପତିଙ୍କ ଇଙ୍ଗତରେ ଯଦି ପକ୍ଷପାତିତା କରାଯାଏ ତେବେ ପ୍ରଶାସନ ସହ ସରକାରଙ୍କୁ ମହଙ୍ଗା ପଡିବ ବୋଲି ପିଙ୍କି ପ୍ରଧାନ ଶାଣିତ ଭାଷାରେ ଚେତାବନୀ ଦେଇଥିଲେ । ଏଥିରେ ବ୍ଳକର ବିଭିନ୍ନ ଅଞ୍ଚଳରୁ ବିଜେପି କର୍ମୀମାନେ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା