କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ଦାବି ଜଣାଇବା ପାଇଁ ବିଜୁ କୃଷକ ଜନତାଦଳର ଦିଲ୍ଲୀ ଯାତ୍ରା: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିବେ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଧାନର ସର୍ବନିମ୍ନ ସହାୟକ ରାଶି ୨୯୩୦ ଟଙ୍କା ରଖିବା ଏବଂ ଚାଷୀକୁଳ ସ୍ୱାର୍ଥର ସୁରକ୍ଷା ଦାବିରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ନୂଆଦିଲ୍ଲୀରେ ୮ ତାରିଖ ମଙ୍ଗଳବାର ଦିନ ଧାରଣା ଓ ବିକ୍ଷୋଭ କରିବା ନିମନ୍ତେ ଆଜି ଭୁବନେଶ୍ୱରରୁ ରାଜ୍ୟର କୃଷକନେତା, ବିଧାୟକ, ମନ୍ତ୍ରୀ, ସାଂସଦ ଓ ପଞ୍ଚାୟତ ପ୍ରତିନିଧିମାନେ ଦିଲ୍ଲୀ ଅଭିମୁଖେ ‘କୃଷକ ଅଧିକାର ଯାତ୍ରା’ କରିଛନ୍ତି । ଏହି ଯାତ୍ରାର ଶୁଭାରମ୍ଭ ବିଧାନସଭା ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବିଧାୟକ, ସାଂସଦଙ୍କ ଉପସ୍ଥିତିରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ବିଜୁ କୃଷକ ଜନତା ଦଳ ମହାସଚିବ ପ୍ରତାପ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଯାତ୍ରାରେ ରାଜ୍ୟର କୃଷକନେତା, ବିଧାୟକ, ମନ୍ତ୍ରୀ, ସାଂସଦ ଓ ପଞ୍ଚାୟତ ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ଏକ ସ୍ୱତନ୍ତ୍ର ଟ୍ରେନ୍‍ରେ ଯାଉଥିବା ଏହି ପ୍ରତିନିଧିମାନେ ଦିଲ୍ଲୀରେ ୭ ତାରିଖ ଦିନପହଞ୍ଚିବେ । ୮ ତାରିଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଉଦ୍‍ବୋଧନ ଦେବେ । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନକୁ ଯାଇ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ରଖିବାକୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି ।

ରିପୋର୍ଟ : ଆକାଶ ମିଶ୍ର