କେନ୍ଦ୍ର ସରକାର ଘୋଷଣା କରିଥିବା ରେସନ ତଥା ଡାଲି ମିଳିନଥିବାରୁ ଉଦବେଗ…

ବାଲେଶ୍ଵର (ସମୃଦ୍ଧ ଓଡିଶା) ସାରା ବିଶ୍ୱ ଆଜି ମହାମାରୀ କରୋନା ଭୂତାଣୁ କବଳରେ କବଳିତ । ସମସ୍ତ ରାଜ୍ୟ ମାନଙ୍କରେ ଲକ୍ ଡାଉନ୍ ଘୋଷଣା ପରେ ଜୀବନ ଜୀବିକା ଏକ ପ୍ରକାର ଠପ୍ ହୋଇ ଯାଇଛି । ସାଧାରଣ ଲୋକଙ୍କ ପେଟକୁ ଏହି ଅସମୟରେ ମୁଠାଏ ଖାଦ୍ୟ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଲୋ ଚାଉଳ ଓ କାର୍ଡ ପିଛା ୩ କିଲୋ ଡାଲି ଦେବାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଏହି ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି ଅନେକ ଡିଲର । ଏହିଭଳି ଘଡିସନ୍ଧି ମୂହୁର୍ତ୍ତରେ ସାଧାରଣ ଲୋକଙ୍କ ସାମଗ୍ରୀକୁ ବାଟ ମାରଣା କରିବା ପାଇଁ ମସୁଧା କରୁଛନ୍ତି ଡିଲର । କେତେକ ସ୍ଥାନରେ କେବଳ ଚାଉଳ ଦେଇ ଡିଲର ମାନେ ଖସିବାକୁ ବସିଥିବା ବେଳେ ଆଉ କେତେକ ସ୍ଥାନରେ ଚାଉଳ ମୁଠେ ପହଞ୍ଚି ପାରିନି ଲୋକଙ୍କ ପାଖରେ ବୋଲି ଅଭିଯୋଗ ହୋଇଛି । ଏହିଭଳି ଅନିୟମିତତା ହେଉଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଆଜାଦ ବାହିନୀ ତରଫରୁ ଓଡିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା କିଶୋର କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ଦିଆଯାଇଛି ଏବଂ ଏହାର ଏକାକିତା ନକଲ ବାଲେଶ୍ୱର ଜିଲ୍ଲାପାଳ ଏବଂ ଭାରପ୍ରାପ୍ତ ଥାନା ଅଧିକାରୀ, ସିମୁଳିଆଙ୍କୁ ପ୍ରେରଣ କରାଯାଇଛି । ଯଥାଶୀଘ୍ର ଏହି ଘଟଣାରେ ଜିଲ୍ଲା ପ୍ରଶାସନ ତଦନ୍ତ କରି ଲୋକଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବା ପାଇଁ ଦାବି ହୋଇଛି । ସୂଚନା ମୁତାବକ ଯଦି ତିନି ଦିନ ମଧ୍ୟରେ ସରକାର କିମ୍ବା ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦାବି ପୂରଣ ନ କରନ୍ତି ତେବେ ସିମୁଳିଆ ବିଡ଼ିଓଙ୍କ ଅଫିସ୍ ଆଗରେ ଅନସନ ବା ଧର୍ମ ଘଟ (Hunger strike) କରାଯିବ ବୋଲି ଶ୍ରୀ ନାୟକ ଲିଖିତ ଆକାରରେ ଜଣାଇଛନ୍ତି । ଆଜାଦ ବାହିନୀର ସଭାପତି କାହ୍ନୁଚରଣ ଧୂପାଲ, ସମ୍ପାଦକ ରାଣପ୍ରତାପ ସେଠୀ, ସଂଗଠକ ରାତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।