କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡ଼ିର ଧାରଣା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବତଟ ରେଳବାଇକୁ ଭାଗ ଭାଗ କରିବା ପାଇଁ କେନ୍ଦ୍ର ସରକାର କରୁଥିବା ଷଡ଼ଯନ୍ତ୍ର ବିରୋଧରେ ଆଜି ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ପ୍ରତୀକାତ୍ମକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବ, ଛାତ୍ର ଓ ମହିଳା ବିଜେଡିର ବହୁ ସାଂଗଠନିକ କର୍ମକର୍ତ୍ତା, ବିଧାୟକ ଓ କର୍ମୀ ଅଂଶ ଗ୍ରହଣ କରିଥିଲେ । ଏହି ଧାରଣା ଓ ବିକ୍ଷୋଭରେ ଅଂଶ ଗ୍ରହଣ କରିଥିବା ନେତୃମଣ୍ଡଳୀ କହିଛନ୍ତି ଯେ କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ ଆଣିଲେ ବିଜେଡିର ଛାମୁଆ ସଂଗଠନଗୁଡିକ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ । ଗୋଟିଏ ପଟେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିସ୍ତୃତ ଅଞ୍ଚଳ, ଯେଉଁଠାରୁ ଅଧିକ ପରିମାଣର କୋଇଲା ଓ ଲୁହାପଥର ରେଳ ଦ୍ୱାରା ପଠାଯାଇଥାଏ, ତାହା ପୂର୍ବପରି ବିଳାସପୁର (ଏସ୍‍ଇସିଆର୍‍) ଓ ଚକ୍ରଧରପୁର (ଏସ୍‍ଇଆର୍‍) ଡିଭିଜନ୍‍ ଅଧୀନରେ ପୂର୍ବବତ୍‍ ରହିଥିବାରୁ ଓଡ଼ିଶାର ଜନସାଧାରଣ ନିଜ ରାଜ୍ୟ ଭିତରୁ ସେବା ପାଇବା ଅଧକାରରୁ ବଞ୍ôଚତ ହୋଇଛନ୍ତି । ଏବେ ପୁଣି ୱାଲ୍‍ଟିୟର ରେଳ ଡିଭିଜନ୍‍କୁ ଫାଳ ଫାଳ କରି ବୃହତ୍ତର ଅଂଶକୁ ନୂଆ ରେଳବାଇ ଜୋନ୍‍ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଓ ପ୍ରୟାସ, ଓଡ଼ିଶାର ପୂର୍ବତଟ ରେଳବାଇ ଲାଗି ମୃତ୍ୟୁର ଘଣ୍ଟି ହୋଇଛି । ପୂର୍ବତଟ ରେଳବାଇ ଅଧୀନରେ ଥାଇ ପ୍ରାୟ ସମସ୍ତ ଡିଜେଲ୍‍ ଓ ବିଦ୍ୟୁତ୍‍ ଇଞ୍ଜିନ ଏବଂ ୱାଗନ ଗୁଡିକର ରକ୍ଷଣାବେକ୍ଷଣ ବିଶାଖାପାଟଣା ନିଆଯାଇ କରାଯାଇଥାଏ । ଗତ ଦେଢ଼ ଦଶନ୍ଧି ଧରି ରେଳବାଇ ଏହି କାର୍ଯ୍ୟ କରିଆସୁଛି । ସେହିପରି ଭାଇଜାଗରେ ଯେଉଁ ଡିଜେଲ୍‍ ସେଡ୍‍ ରହିଛି, ତାହା ହେଉଛି ଦେଶର ସର୍ବବୃହତ ଡିଜେଲ୍‍ ଲୋକୋ ସେଡ୍‍ । ଓଡ଼ିଶାରେ ଏପରି ଡିଜେଲ୍‍ ଇଞ୍ଜିନ୍‍ ସେଡ୍‍ ନାହିଁ । ବିଦ୍ୟୁତ ଚାଳିତ ଇଞ୍ଜିନଗୁଡିକ ଲାଗି ଭାଇଜାଗ୍‍ରେ ଥିବା ଲୋକୋସେଡ୍‍ ପୂର୍ବତଟ ରେଳବାଇରେ ସବୁଠାରୁ ବଡ଼ ଓ ୱାଗନ୍‍ ରକ୍ଷଣାବେକ୍ଷଣ କ୍ଷେତ୍ରରେ ମଧ୍ୟ ସେଇ ସମାନ ଅବସ୍ଥା ରହିଛି । ତା’ସତ୍ତେ୍ୱ ଏହିସବୁ ବ୍ୟବସ୍ଥା ଓ ସୁବିଧାକୁ ପୂର୍ବତଟ ରେଳବାଇ ହାତରୁ କାଢ଼ି ନିଆଗଲେ ଓଡ଼ିଶାରେ ଇଞ୍ଜିନ ଓ ୱାଗନ୍‍ ଯୋଗାଣ କ୍ଷେତ୍ରରେ ରେଳବାଇର ଅବସ୍ଥା ଶୋଚନୀୟ ହୋଇପଡିବ । ଏପରି ମଧ୍ୟ ଦକ୍ଷିଣ-ପୂର୍ବ ରେଳବାଇ ତିନିଭାଗ ହେଲା ବେଳେ ଓଡ଼ିଶାକୁ ବହୁ ଦୁର୍ଦ୍ଦଶା ଭୋଗିବାକୁ ପଡିଥିଲା । ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା ଯେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ବିନିଯୋଗ ପାଇଁ ଲଗାତାର ଅନୁରୋଧ କରିବା ପରେ ମଧ୍ୟ ସମସ୍ତ ରକ୍ଷଣାବେକ୍ଷଣ ଓ ବିନିଯୋଗ ପାଇଁ ବିଶାଖାପାଟଣାକୁ ରେଳବାଇ ବାଛିଚି । କେବଳ ସେତିକି ନୁହେଁ, ଇଞ୍ଜିନ୍‍ ଓ ୱାଗନ୍‍ଗୁଡିକର ରକ୍ଷଣାବେକ୍ଷଣ ପାଇଁ ବାହାରେ ଥିବା ଡିଭିଜନଗୁଡିକର ସମର୍ଥନ ପାଇବା ସେମାନଙ୍କ ଦୟା ଉପରେ ନିର୍ଭର କରିବ । ଏହା ଓଡ଼ିଶା ରେଳବାଇର କାର୍ଯ୍ୟଦକ୍ଷତାକୁ ନଷ୍ଟଭ୍ରଷ୍ଟ କରିଦେବ । ମୁଖ୍ୟମନ୍ତ୍ରୀ ୨୦୧୮ ଫେବୃଆରୀ ୧୬ ତାରିଖରେ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏକ ପତ୍ର ଲେଖି ପୂର୍ବତଟ ରେଳବାଇରୁ ୱାଲ୍‍ଟିୟର ଡିଭିଜନ୍‍ର କିଛି ଅଂଶ କାଢ଼ି ନେଇ ଆନ୍ଧ୍ରରେ ନୂଆ ରେଳବାଇ ଜୋନ୍‍ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ଉଦ୍ୟମର ପ୍ରତିବାଦ କରିଥିଲେ । ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ପୂର୍ବତଟ ରେଳବାଇ ଅଧୀନରେ ୩ଟି ପ୍ରସ୍ତାବିତ ନୂଆ ଡିଭିଜନ୍‍ ମୁଖ୍ୟ କାର୍ଯ୍ୟାଳୟ ରାଉରକେଲା, ଯାଜପୁର / ଯାଜପୁର-କେନ୍ଦୁଝର ରୋଡ୍‍ ଓ ରାୟଗଡ଼ାରେ କରାଯାଉ । ଓଡ଼ିଶା ପ୍ରତିବର୍ଷ ୨୦ ହଜାର କୋଟି ଟଙ୍କା ରାଜସ୍ୱ ରେଳବାଇକୁ ଦେଇଥାଏ, ଅଥଚ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଗୋଟିଏ ବର୍ଷରେ ଟାଣଟୁଣ ନୀତିରେ ୨ହଜାର କୋଟି ପର୍ଯ୍ୟନ୍ତ ଟଙ୍କା ଓଡିଶାରେ ଖର୍ଚ୍ଚ କରିଥାଏ । ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନରେ ନୂତନ ଦକ୍ଷିଣତଟ ରେଳବାଇ ବାଧ୍ୟତାମୁଳକ ନୁହେଁ । ବରଂ ଏହି ଆଇନ୍‍ରେ ନୂଆ ରେଳପଥ ପ୍ରତିଷ୍ଠା ପ୍ରସ୍ତାବର ପରୀକ୍ଷା କରିବା ପାଇଁ ବ୍ୟବସ୍ଥା ରହିଛି । ରେଳ ମନ୍ତ୍ରାଳୟ ମଧ୍ୟ ଏହି ବ୍ୟବସ୍ଥାନୁଯାୟୀ ଏକ ଉଚ୍ଚସ୍ତରୀୟ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲା । ୨୦୧୬ରେ ଉକ୍ତ କମିଟି ସର୍ବସମ୍ମତି କ୍ରମେ ପୂର୍ବତଟ ରେଳବାଇର କ୍ଷମତା ଓ ଅଧିକାର କାଢ଼ି ନେଇ ଦକ୍ଷିଣ ରେଳବାଇକୁ ଦେବା ଚିନ୍ତାଧାରାକୁ ଅଗ୍ରାହ୍ୟ କରି ଦେଇଥିଲା । ଗତ ୩ବର୍ଷ ଧରି ଏହି ରିପୋର୍ଟକୁ ସାଧାରଣ ଲୋକଙ୍କ ଜାଣିବାକୁ ଦିଆଯାଇନାହିଁ ଓ ଲୁଚାଇ ରଖାଯାଇଛି । ସାଧାରଣ ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ଦକ୍ଷିଣ ରେଳବାଇ ନୂଆ ଜୋନ୍‍ ହେବା କଥା ସ୍ପଷ୍ଟ କରିଦେଉଛି ଯେ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ଓ ସେଥିଲାଗି ଓଡ଼ିଶା ଓ ଓଡ଼ିଶାର ରେଳବାଇ ବିକାଶକୁ ବଳି ପକାଯିବାକୁ ଉଦ୍ୟମ ଚାଲିଛି । ଯଦି ଆନ୍ଧ୍ର କ୍ଷେତ୍ରରେ ବିଜେପି ରାଜନୈତିକ ନିଷ୍ପତ୍ତି ନେଇପାରୁଛି, ତେବେ ଓଡ଼ିଶାର ହକ୍‍ ଦାବି ପୂରଣ କ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନ କରୁଛି କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି । ଆଜିର ଏହି ବିକ୍ଷୋଭ ଓ ଧାରଣାରେ ଦଳର ସାଧାରଣ ସଂପାଦକ ତଥା ବିଧାୟକ ସଂଜୟ କୁମାର ଦାସବର୍ମା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ଓଡିଶା ବିରୋଧି ପଦକ୍ଷେପକୁ ଦୃଢ଼ ନିନ୍ଦା କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର