

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେସରୀୟା ହିନ୍ଦୁ ବାହିନୀ ପକ୍ଷରୁ ‘ନଗର ବନ ପ୍ରକଳ୍ପ’ ସକାଶେ ରାଜସ୍ୱ ବିଭାଗୀୟ ଅଧିକାରୀ (ଆର୍.ଡି.ସି) ବ୍ରହ୍ମପୁରଙ୍କୁ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲା ସଭାପତି ମଧୁସୂଦନ ସାହୁ, ରାଜ୍ୟ ସଂଯୋଜକ ଗଜେନ୍ଦ୍ର ଚଉଧୂରୀ, ଜିଲ୍ଲା ସଂଯୋଜକ ଲଲାଟେନ୍ଦୁ ଚୋଧୂରୀ, ବ୍ରହ୍ମପୁର ମହାନଗର ଅଧ୍ୟକ୍ଷ ନରେଶ କୁମାର ବେହେରା ପ୍ରଦାନ କରିଥିଲେ । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ଵାରା ଘୋଷିତ ‘ନଗର ବନ (ଅର୍ବାନ୍ ଫରେଷ୍ଟ) ପ୍ରକଳ୍ପ’ ଆଧାରିତ ବ୍ରହ୍ମପୁର ମହାନଗର ନିଗମରେ ଜନସଂଖ୍ୟା ଅନୁସାରେ ପାଞ୍ଚ ଲକ୍ଷ ବର୍ଗଫୁଟ ଜାଗାରେ ‘ଏକ ବ୍ୟକ୍ତି ଏକ ବର୍ଗଫୁଟ’ ହିସାବରେ ପାଞ୍ଚ ଲକ୍ଷ ବୃକ୍ଷ ରୋପଣ ପାଇଁ ଦରଖାସ୍ତ କରିଥିଲେ । ବିଶ୍ଵ ପରିବେଶ ଦିବସ ଜୁନ ୫ ୨୦୨୦ରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ଵାରା ଘୋଷିତ ୨୦୦ଟି ନଗର ବନ ସ୍ଥାନୀୟ ଲୋକ, ବେସରକାରୀ ସଂସ୍ଥା, ମୁନିସିପାଲିଟି, କର୍ପୋରେଟ, ଏବଂ ବନ ବିଭାଗର ସହାୟତାରେ ପ୍ରତିଷ୍ଠା ହେବ ବୋଲି ଘୋଷଣା କରାଯାଇଛି । ଏଥିପାଇଁ ଓଡ଼ିଶା ସରକାର ୫ଟି ମହାନଗର ନିଗମରେ ବନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୧୩କୋଟି ୮୪ଲକ୍ଷ ଟଙ୍କା ଅଟକଳ ପ୍ରସ୍ତୁତ କରିଛନ୍ତି । ବ୍ରହ୍ମପୁର ସହରରେ ବଢୁଥିବା ଜନସଂଖ୍ୟା ଓ ଜଳବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ମହତ୍ ଉଦ୍ଦେଶ୍ୟକୁ ତୂରନ୍ତ କାର୍ଯ୍ୟକାରୀ କରିବା ପାଇଁ କେସରୀୟା ହିନ୍ଦୁ ବାହିନୀର ଅନେକ କର୍ମୀ ଆର୍.ଡି.ସି. କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଅମ୍ବୁଜା ଚରଣ ସାହୁ, ବାସୁଦେବ ସାହୁକାର, ବୃନ୍ଦାବନ ବେହେରା, ମନୋରଞ୍ଜନ ମହାପାତ୍ର, ବିନୋଦ ବିହାରୀ ସିଂ, ଉମା ଶଙ୍କର ପାଣି, ରଞ୍ଜିତ କୁମାର ପଣ୍ଡା, କୁରାମଣି ବେହେରା, ରାଜେନ୍ଦ୍ର ପଣ୍ଡିତ, ଅରୁଣ ପାଣିଗ୍ରାହୀ, ସ୍ୱାଧୀନ ପାତ୍ର, ରୀନା ରାଣୀ ଦାସ, ପ୍ରଣତି ପାଣିଗ୍ରାହୀ, ଜ୍ୟୋତ୍ସ୍ନା ଦାସ, ଅଶ୍ୱିନୀ କୁମାର ରଥ, ସୂର୍ଯ୍ୟ ନାରାୟଣ ସାହୁ, ପ୍ରମୋଦ ସାହୁ ଓ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା