ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ବିଶେଷ ଦୃଷ୍ଟି ଦେଇ ରାଜ୍ୟ ସରକାର ଜିଲ୍ଲାକୁ ୨ ଜଣ ଆଇଏଏସ ଓ ୬ଜଣ ଓଏଏସ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଉପଖଣ୍ଡ ପାଇଁ ନିୟୋଜିତ ଥିବା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀ ଆଜି ହିଞ୍ଜିଳି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସହ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ବ୍ଳକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ସେ ନିୟନ୍ତ୍ରିତ ବଜାର ପରିସରରେ ଥିବା କୋଭିଡ କେୟାର ସେଣ୍ଟର ପରିଦର୍ଶନ କରି ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ପୌରାଞ୍ଚକ ସ୍ଥିତ ନେତାଜୀ କଲ୍ୟାଣ ମଣ୍ଡପରେ ପ୍ରସ୍ତୁତ ଥିବା କୋଭିଡ କେୟାର ହୋମ, ସ୍ୱାସ୍ଥ୍ୟ ଟିମଙ୍କ ଦ୍ୱାରା ଚାଲିଥିବା ଥର୍ମାଲ ସ୍କ୍ରିନିଙ୍ଗ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ । ସେଠାରୁ ଶାସନ ଆମ୍ବ ଗାଁ ଓ ଦାରୁଭଦ୍ରା ପଞ୍ଚାୟତରେ ପହଞ୍ଚି କୋଭିଡ କେୟାର ହୋମ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ । ପରେ ଦୁର୍ବନ୍ଧ ପଞ୍ଚାୟତର କୋଭିଡ କେୟାର ହୋମ ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ୨୦ ଜଣ କରୋନା ଚିହ୍ନଟଙ୍କ ସ୍ୱାବ ନମୁନା ସଂଗ୍ରହ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ସିଡିପିଓ ଶୁଭଶ୍ରୀ ପାତ୍ର, ଉପଖଣ୍ଡ ଚିକିତ୍ସାଧିକାରୀ ଡଃ ପ୍ରତିଭା ପାତ୍ର, ଡଃ ମାଧବ କୁମାର ସାହୁ, ଡଃ ଦୁର୍ଗା ପ୍ରସାଦ ପଣ୍ଡା, ବିପିଏମ ଶଶାଙ୍କ ପଣ୍ଡା,ବିଇଓ ବସନ୍ତ କୁମାର ପଣ୍ଡା ଓ ପିଇଓ ରାଜେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା