କୋରନାର ଆତଙ୍କ ବେଳେ ୨ଦଳ ହାତୀଙ୍କ ଉପଦ୍ରବ ଜାରି : ବ୍ୟାପକ କ୍ଷତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ଚାରିଆଡ ଭଳି ରାଇବଣିଆର କରୋନାର ଭୟ ଓ ଆତଙ୍କ ରହିଥିବା ବେଳେ ୨ଦଳ ହାତୀଙ୍କର ସଣ୍ଢୁଆସୀ ଉପଦ୍ରବ ସହିତ ବିଦ୍ୟୁତ୍‌କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । କରୋନା ଭୟରେ ରାଇବଣିଆର ୧୪ଟି ପଂଚାୟତର ପ୍ରାୟ ୧ଲକ୍ଷ ଲୋକଙ୍କ ମଧ୍ୟରୁ ଥଣ୍ଡାଜାତୀୟ ରୋଗ ଲାଗି ହାତୀଗଡ ସିଏଚ୍‌ସିରେ ପ୍ରତିଦିନ ୩୫୦ ଯାଏ ରୋଗୀ ଚିକିତ୍ସା ହେଉଥିବା ବେଳେ ଏବେ ହାତୀ ଆତଙ୍କ ସେମାନଙ୍କୁ ଅଧିକ କଷ୍ଟ ଦେଉଛି । ଲକ୍‌ଡାଉନ୍ ଘଟଣାରେ ନିରିହ ଆଦିବାସୀ ପଦାକୁ ବାହାରିଲେ ପୁଲିସ୍‌ର ନିର୍ଯ୍ୟାତନ ବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇ ପଡିଛି । ଏପରିକି ଗ୍ରାମାଂଚଳର ହାଟ ମଧ୍ୟ ବନ୍ଦ ରହୁଛି । କିନ୍ତୁ ଶିମୁଳିପାଳର ୧୩ଟି ହାତୀ ଓ ଝାଡଖଣ୍ଡର ୧୭ ହାତୀ ବାରମ୍ବାର ରାଇବଣିଆ ଅଂଚଳର ବିଭିନ୍ନ ଅଂଚଳରେ ଭୟ ସଂଚାର କରି ଆସୁଛି । ଗୋଟିଏ ଗୋଷ୍ଠିର ହାତୀ ଘଡଘଡା ଓ ବାଉଁଶବଣୀ ଜଂଗଲରେ ରହୁଥିବା ବେଳେ ଅନ୍ୟ ଏକ ଦଳ ସୁଖଯୋଡି, ଲୁହାପଡା, କାଲାଯୋଡି ଜଂଗଲରେ ରହୁଛନ୍ତି । ଦିନରେ ସେମାନେ ଜଂଗଲରେ ରହୁଥିବା ବେଳେ ରାତିରେ ଗ୍ରାମାଭିମୁଖୀ ହେଉଛନ୍ତି । ଗତ ରାତିରେ ସୁଖଯୋଡି ଗ୍ରାମରେ କେତେକ କ୍ଷତି ଘଟାଇଥିବା ଜଣାପଡିଛି । ସେମାନେ ଗୋଟିଏ ଗାଁରୁ ଅନ୍ୟଏକ ଗାଁକୁ ଗଲାବେଳେ ବ୍ୟାପକ କ୍ଷତି ଘଟାଉଛନ୍ତି । ସେ ଅଂଚଳରେ ହାତୀ ରହୁଥିବାରୁ ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟୁତ୍ ସଂଯୋଗ କଟାଯାଉଥିବାରୁ ରାତିରେ ସେ ଅଂଚଳବାସୀ ଅନ୍ଧକାରରେ ଦିନ କାଟୁଛନ୍ତି । ଫଳରେ ସେ ଅଂଚଳରେ ଅସନ୍ତୋଷ ଦେଖାଦେଇ ଆସୁଛି । ଏ ଅଂଚଳରୁ ହାତୀ ଘଉଡାଇବା ଲାଗି ଦାବି କରାଯାଇ ଆସୁଛି । ପ୍ରଶାସନ କରୋନା ସଂପର୍କରେ ବ୍ୟସ୍ତଥିବା ବେଳେ ରାଇବଣିଆରେ ହାତୀଦ୍ୱାରା କ୍ଷୟକ୍ଷତି ଓ ଆତଙ୍କ ଆଲୋଚ୍ୟର ବିଷୟ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା