କୋରନା ଭୟରେ କାନ୍ଧ ନ ମିଳିବାରୁ ୧୪ ଘଣ୍ଟା ଧରି ପଡି ରହିଲା ଶବ…

ଭଞ୍ଜନଗର (ସମୃଦ୍ଧ ଓଡିଶା) କରୋନା ସନ୍ଦେହରେ ମୃତ ଦେହକୁ କେହି ଛୁଇଁଲେ ନାହିଁ । ଫଳରେ ଗାଁ ଦାଣ୍ଡରେ ୧୪ ଘଣ୍ଟା କାଳ ପଡ଼ି ରହିଥିଲା ଜଣେ ମହିଳା ମୃତ ଦେହ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗୋଲାପଡ଼ା ଗ୍ରାମରେ । ସୂଚନା ଅନୁସାରେ ଗତକାଲି ସକାଳେ ସଂଯୁକ୍ତା ପ୍ରଧାନ (୩୮) ନାମକ ମହିଳାଙ୍କର ହଠାତ୍ ମୃତ୍ୟୁ ଘଟିଥିଲା । ତାଙ୍କୁ କରୋନା ହୋଇଛି ଭାବି ଗ୍ରାମବାସୀ ତାଙ୍କ ମୃତ ଦେହକୁ ଛୁଇଁ ନ ଥିଲେ । ତେଣୁ ପରିବାର ଲୋକେ ଓ ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରିଥିଲେ । ପ୍ରଶାସନ ପକ୍ଷରୁ ମଧ୍ୟ ସଙ୍ଗେ ସଙ୍ଗେ କୌଣସି ସହଯୋଗ ମିଳି ନ ଥିଲା । ଫଳରେ ୧୪ ଘଣ୍ଟା ଧରି ଗାଁ ଦାଣ୍ଡରେ ମୃତଦେହ ପଡ଼ି ରହିବା ପରେ ବିଳମ୍ବିତ ରାତିରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ସହାୟତାରେ ଏହି ମହିଳାଙ୍କ ଶବ ସଂସ୍କାର ହୋଇଥିଲା । ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ମୃତ ମହିଳାଙ୍କ ମା’ ଓ ଭଉଣୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କ ବାପାଙ୍କ ଠାରେ କରୋନା ଲକ୍ଷଣ ଥିବା ଯୋଗୁ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ କେଉଁ କାରଣରୁ ଏହି ମହିଳାଙ୍କ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି ।

ରିପୋର୍ଟ : ନିଲୁ ବିଷୋୟୀ