କୋରନା ସମୟରେ ଘରକୁ ଘର ବୁଲି ସେବା କରିବା ସହ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଆଶାକର୍ମୀ…

ବେଗୁନିଆପଡ଼ା (ସମୃଦ୍ଧ ଓଡିଶା) ସାଧାରଣ କାମ କରି ପ୍ରଚାର ପ୍ରସାର ପାଇଁ ଅନେକ ଉଦ୍ୟମ କରନ୍ତି । ଅନେକ ବ୍ୟଗ୍ର ହୁଅନ୍ତି ମିଡିଆରେ ନିଜର ଆତ୍ମ ପ୍ରଶଂସା ପାଇଁ । ହେଲେ ଏମତି କେତେ ଜଣ ଅଛନ୍ତି, ନିଜର ଆତ୍ମପ୍ରଚାର ଠାରୁ ଦୂରରେ ରହି ଲୋକଙ୍କ ସେବାକୁ ଜବୀନର ବ୍ରତ ବୋଲି ଧରି ନେଇଛନ୍ତି । ସେମିତି ଜଣେ ହେଲେ, ଆଶାକର୍ମୀ ବିଷ୍ଣୁପ୍ରିୟା ସାହୁ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁରେ । ବିଷ୍ଣୁପ୍ରିୟା ସାହୁଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି ଜନସାଧାରଣ । ବିଭିନ୍ନ ସମୟରେ ସେ ଲୋକଙ୍କ ସହ ରହି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । କରୋନା ମହାମାରୀ ସମୟରେ ଲୋକ ଘରୁ ବାହାରକୁ ବାହାରୁ ନ ଥିବା ବେଳେ ଘରକୁ ଘର ବୁଲି ସ୍ଵାସ୍ଥ୍ୟ ପରୀକ୍ଷା କରୁଥିବା ପରିଲକ୍ଷିତ ହୋଇଛି । ଥର୍ମାଲ୍ ପରୀକ୍ଷା ସହ ଅସ୍କି ମିଟର ସହସ୍ୟରେ ଅକ୍ସିଜେନ ପରୀକ୍ଷା କରୁଛନ୍ତି । ଜନଜୀବନର ସେବା ପ୍ରତି ସମର୍ପିତ ଏହି ମହିଳା ଜଣଙ୍କ ନିଜ ଜୀବନରେ ୪ଟି ପିଲାଙ୍କୁ ମଣିଷ କରିବା ପାଇଁ ବହୁ ସଂଘର୍ଷ କରୁଛନ୍ତି । ଏହାସହ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନେ କିଭଳି ଦୈନଦିନ ନିଜର କାର୍ଯ୍ୟ କରିବେ ସେ ନେଇ ମଧ୍ୟ ପରାମର୍ଶ ଦେଉଛନ୍ତି ବିଷ୍ଣୁପ୍ରିୟା । ଏଥିସହିତ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ଟୀକା ପ୍ରଦାନ କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରୁଛନ୍ତି । ଲୋକଙ୍କୁ ୧୮ବର୍ଷରୁ କମ ବାଲ୍ୟ ବିବାହ ବିଷୟରେ ସଚେତନ କରାଇବା ସହ କିଶୋରୀ ବାଳିକା ମାନଙ୍କୁ ସ୍ୱାସ୍ଥ୍ୟ ସମ୍ଵନ୍ଧୀୟ ଏବଂ ସ୍ଵଚ୍ଛତା ବିଷୟରେ ପରାମର୍ଶ ଦେଉଛନ୍ତି । ଜନସାଧାରଣଙ୍କୁ କୀଟନାଶକ ମସାରି ବ୍ୟବହାର ଉପକରିତା ବିଷୟରେ ସଚେତନତା କରୁଥିବା ବେଳେ ଘର ଘର ବୁଲି ମଧ୍ୟ ସନ୍ଧିଗ୍ଧ ବ୍ୟକ୍ତିମାନଙ୍କ ମ୍ୟାଲେରିଆ ପରୀକ୍ଷା କରୁଛନ୍ତି । କରୋନାର ପ୍ରଥମ ଲହର ସମୟରେ ମଧ୍ୟ କରେଣ୍ଟାଇନ ସେଣ୍ଟରରେ ସେ ସଠିକ୍ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି । ଯାହା ସେତେବେଳେ ଚର୍ଚ୍ଚାର ବିଷୟ ଥିଲା । କେବଳ ଅଙ୍ଗାର ଗାଁ ବଜାର ସାହି ନୁହଁ ଗିଲିଣ୍ଡା, ବୋରିଆ ସାହି ଆଦି ଅଞ୍ଚଳରେ କାମ କରୁଥିବା ବେଳେ ଏବେ ଦୁଇ ମାସ ହେଲା ନୂଆଁଗଡ଼ ଗ୍ରାମ ଦାୟିତ୍ଵରେ ମଧ୍ୟ ଅଛନ୍ତି ବିଷ୍ଣୁପ୍ରିୟା । ଅବହେଳିତ ଓ ନିଷ୍ପେଷିତ ମଣିଷର ସେବା ସହ ପରିବାର ପ୍ରତି ନିଜର କର୍ତ୍ତବ୍ୟକୁ ଭୁଲିନଥିବା ବିଷ୍ଣୁପ୍ରିୟା ଦିଦି ଅନ୍ୟମାନଙ୍କ ପାଇଁ ସଫଳ ଉଦାହରଣ ସୃଷ୍ଟି କରିଛନ୍ତି । ବହୁ ମହିଳାଙ୍କ ପାଇଁ ସେ ଆତ୍ମନିର୍ଭରଶୀଳ ହେବାର ପ୍ରେରଣା ସାଜିଛନ୍ତି । ଅନ୍ୟକୁ ସାହାଯ୍ୟ କରିବାରେ ମିଳୁଥିବା ଆତ୍ମସନ୍ତୋଷ ହିଁ ତାଙ୍କର ପାଉଣା ବୋଲି କହିଛନ୍ତି ବିଷ୍ଣୁପ୍ରିୟା । କୋରୋନା ଭଳି ମହାମାରୀ ଯୁଦ୍ଧରେ ନିଜେ ଜଣେ ସଚ୍ଚା ଯୋଦ୍ଧାର ପରିଚୟ ଦେଇଛନ୍ତି । ଯାହା ଏବେ ଅନ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ଏହି କୋରନା ମହାମାରୀ ସମୟରେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସର୍ବାଗ୍ରେ ରଖିଛନ୍ତି । ବିଷ୍ଣୁପ୍ରିୟାଙ୍କ ଏପରି କାର୍ଯ୍ୟକୁ ତାଙ୍କ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି । ସରକାରଙ୍କ ଗାଇଡ ଲାଇନକୁ ପାଳନ କରି ଅନ୍ୟମାନଙ୍କୁ ସଚେତନ କରି ଚର୍ଚ୍ଚାରେ ଅଛନ୍ତି ବିଷ୍ଣୁପ୍ରିୟା । ଏଥିସହିତ ଅଙ୍ଗାରଗାଁ ପଞ୍ଚାୟତର ଅନ୍ୟନ୍ୟା ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀମାନେ ମଧ୍ୟ ନିଜ ନିଜର କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିଥିବା ଦେଖିବାକୁ ମିଳିଛି ।