କୋରାପୁଟ (ସମୃଦ୍ଧ ଓଡିଶା) ଆଜି କୋରାପୁଟର ମାଛରା ଗ୍ରାମ ଠାରେ ବିଜୁ କୃଷକ ବିକାଶ ଯୋଜନାରେ ୧୯.୪ ଲକ୍ଷ ଟଙ୍କା ବିନିମୟରେ ଉଠା ଜଳସେଚନ ପାଇଁ ଗଭୀର ନଳକୂପ ଯୋଜନା, ଉଠା ଜଳସେଚନ ନିଗମ ଅଧକ୍ଷ ଅମରେଶ ପତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଗୋଟିଏ କ୍ଲଷ୍ଟରରେ ୫ଟି ଗଭୀର ନଳକୂପ ଖୋଳା ଯାଇଥିବା ବେଳେ ଏହା ୨୫ ଏକର ଚାଷ ଜମିରେ ଜଳ ସେଚିତ କରିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଜୁ କୃଷକ ବିକାଶ ଯୋଜନାରେ ସାରା ଓଡିଶାରେ ଅନେକ ଚାଷୀ ଉପକୃତ ହେବେ ତଥା ମୁଖ୍ୟମନ୍ତ୍ରୀଙ୍କ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସବୁବେଳେ ତତ୍ପର ଥିବା ପ୍ରକାଶ କରିଛନ୍ତି ଅଧକ୍ଷ ଅମରେଶ ପତ୍ରୀ । ପାହାଡିଆ ଅଂଚଳରେ ପାଣିର ଅସୁବିଧା ହେତୁ ଅନେକ ଚାଷୀ ଚାଷ କାର୍ଯ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ, ବିଶେଷ କରି କୋରାପୁଟ ଭଳି ପାହାଡିଆ ଅଂଚଳରେ ବର୍ଷା ଦିନ ପରେ ଅଣ ଜଳସେଚିତ ଜମି ଶୁଖିଲା ରହୁଥିଲା । ତେବେ ବିଜୁ କୃଷକ ବିକାଶ ଯୋଜନା ଦ୍ୱାରା ପାହାଡିଆ ଅଞ୍ଚଳରେ ଏବେ ଚାଷୀ ପାଣି ପାଇ ପାରିବେ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଜନବିକାଶ ଓ କୃଷକ ସଶକ୍ତିକରଣ ଯୋଜନାକୁ ସମସ୍ତେ ପ୍ରଶଂସା କରୁଛନ୍ତି ବୋଲି ସେ କହିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ବିହନ ନିଗମ ଅଧକ୍ଷ ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ,ଲିଫ୍ଟ ଇରିଗେସନ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ବିନୋଦ ଦାଶ ଓ କନିଷ୍ଠ ଯନ୍ତ୍ରୀ କୈଳାସ ଭତ୍ରାଙ୍କ ସମେତ ମଛରା ଗ୍ରାମର ବହୁ ଚାଷୀ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ କୋରାପୁଟର ମାଛରା, ଉମୁରୀ ଓ ରଙ୍ଗବାଲି କୁମ୍ଭାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି ।