ଯାଜପୁର (ସମୃଦ୍ଧ ଓଡିଶା) ଯାଜପୁର ଜିଲ୍ଲାର କୋରେଇରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଯେ ଏକ ମାଲ୍ ଗାଡି ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମକୁ ମାଡ଼ି ଯିବା ଫଳରେ ପ୍ଲାଟଫର୍ମରେ ଥିବା ୪ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ମହିଳା ଓ ଦୁଇ ପୁରୁଷ ଥିବା ସୂଚନା ଅଛି । ଏମାନେ ବାଲେଶ୍ବର-ଭୁବନେଶ୍ବର ଡିଏମୟୁ ଟ୍ରେନରେ ଭୁବନେଶ୍ବରକୁ ଆସିବାକୁ ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ । ତେବେ ରେଳବାଇର ଲୋକସଂପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨ଜଣଙ୍କର ପ୍ରାଣହାନି ଘଟିଛି । ଟ୍ରେନଟି ଭଦ୍ରକରୁ ଛତ୍ରପୁରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟରେ ଏହି ରେଳ ଦୁର୍ଘଟଣା ଘଟିଛି । ଏବେ ବି ୬ଟି ବଗି ଷ୍ଟେସନ୍ ପାର ହୋଇଥିବା ଅବସ୍ଥାରେ ପଡ଼ିରହିଛି । ଏଣେ ୧୨ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି । ଏହି ଦୁର୍ଘଟଣା ଯୋଗୁ ଷ୍ଟେସନ୍ରେ ଥିବା ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି । ଘଟଣାସ୍ଥଳରେ ଆରପିଏଫ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯକୁ ତ୍ବରାନ୍ବିତ କରିୁଥିବା ଜଣାପଡିଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା