
ରାୟଗଡା: ଜେକେ କାଗଜକଳ ଠିକା କର୍ମଚାରୀଙ୍କର ୧୪ ଦଫା ଦାବିରେ ଚାଲିଥିବା ଧର୍ମଘଟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ହେଲେ ଏହାକୁ ନେଇ କୋର୍ଟଙ୍କ ରାୟ ପରେ ଆନ୍ଦୋଳନ ନୂଆ ମୋଡ ନେଇଛି ।
ସ୍ଥାନୀୟ ସିଭିଲ କୋର୍ଟରେ ଚାଲିଥିବା ମକଦ୍ଦମାର ରାୟ ପ୍ରକାଶ ପାଇଛି । ରାୟରେ ମାନ୍ୟବର ବିଚାରପତି ସିଆଇଟିୟୁ ଦ୍ୱାରା ପରିଚାଳିତ ଶ୍ରମିକ ସଂଘ କର୍ମକର୍ତ୍ତା ଓ ଶ୍ରମିକ ଜେକେ କାଗଜକଳର କୌଣସି କାର୍ଯ୍ୟରେ ବାଧା ସୃଷ୍ଟି କରି ପାରିବେ ନାହିଁ ବୋଲି କହିଛନ୍ତି । ଏହା ସହ ଫାଟକ ସମ୍ମୁଖରେ ସମବେତ ହୋଇ ଅବରୋଧ ଉପରେ କଟକଣା ମଧ୍ୟ ଜାରି କରିଛନ୍ତି । ତେବେ ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତି ଶୃଙ୍ଖଳାରେ ଧାରଣା ଦେଇ ପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କାଗଜକଳ ମୁଖ୍ୟ ନିର୍ବାହୀ ଉପସଭାପତି ପବନ କୁମାର ସୁରି କହିଛନ୍ତି ଯେ, ସିଟୁ ସଂଗଠନ ଦ୍ୱାରା ପରିଚାଳିତ ଠିକା ଶ୍ରମିକ ଓ କର୍ମଚାରୀ ସଂଘ ସହ କଂପାନୀର ସିଧାସଳଖ କୌଣସି ସମ୍ପର୍କ ନାହିଁ । ନିୟମ ଅନୁଯାୟୀ ଜେକେ କାଗଜକଳ କର୍ତ୍ତୃପକ୍ଷ ଅନ୍ୟ ନିର୍ବାଚିତ କର୍ମଚାରୀ ସଂଘ ସହ ଚୁକ୍ତିନାମା କରି ସୁରୁଖୁରୁରେ କାର୍ଯ୍ୟ କରି ଆସୁଛନ୍ତି । ସିଟୁ ସଂଗଠନକୁ ଜେକେ କାଗଜକଳରେ ସ୍ୱୀକୃତି ଦେବାର ଆବଶ୍ୟକତା ନଥିବା ବେଳେ କଂପାନୀ ବିରୋଧରେ ଧାରଣା ଦେବା କୌଣସି ଯଥାର୍ଥତା ନାହିଁ ।
ଅପରପକ୍ଷରେ ସିଟୁ ଶ୍ରମିକ ସଂଗଠନ ରାଜ୍ୟ ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତିଙ୍କୁ କୋର୍ଟଙ୍କ ରାୟ ଉପରେ ପଚାରିବାରୁ ସେ କହିଥିଲେ ଯେ, ଆମେ ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ ଜାରି ରଖିବା ସହ ତୁରନ୍ତ ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ଶ୍ରମ ସଚିବ, ଜିଲ୍ଲାପାଳ ଓ ଏସପି ହସ୍ତକ୍ଷେପ କରି ଶ୍ରମିକଙ୍କ ନ୍ୟାଯ୍ୟ ଦାବି ପୂରଣ ଦିଗରେ ସହଯୋଗ ପାଇଁ ନିବେଦନ କରିଥିବା ସେ କହିଥିଲେ । ଏଥି ସହ ଦାବି ପୂରଣ ହେବା ପର୍ଯ୍ୟନ୍ତ ଶ୍ରମିକଙ୍କ ଶାନ୍ତିପୂର୍ଣ୍ଣ ଧର୍ମଘଟ ଜାରି ରହିବ ବୋଲି ସ୍ପଷ୍ଟ କରିଥିଲେ ।
କୋର୍ଟଙ୍କ ରାୟ ପରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା । ଅନ୍ୟ ପକ୍ଷରେ ଏକ ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା ଆନ୍ଦୋଳନରତ ଶ୍ରମିକ ମାନଙ୍କୁ ବୁଝାସୁଝା କରାଯିବ ଆନ୍ଦୋଳନରୁ ଓହରିବା ପାଇଁ, ଯଦି ନଶୁଣନ୍ତି ତାହାହେଲେ କୁଆଡେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ ।