କୋଲକାତା (ସମୃଦ୍ଧ ଓଡିଶା) କୋଲକାତାରେ ମମତାଙ୍କ ଜନଗର୍ଜନ ସମାବେଶରେ ମୋଦି,ବିଜେପି,ସିଏଏ,ଏନଆରସି ହଟାଇବା ସ୍ଲୋଗାନରେ କମ୍ପି ଉଠିଛି ସହର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବିଶାଳ ଶୋଭାଯାତ୍ରା କରି ମୋଦୀ ବିଜେପି ନାଗରିକତା ଆଇନ ଓ ଏନଆରସି ବିରୋଧରେ ଗର୍ଜିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏନଆରସି ପ୍ରସଙ୍ଗରେ ସମସ୍ତଙ୍କୁ ବିଭ୍ରାନ୍ତ କରୁଥିବା ମମତା ଅଭିଯୋଗ କରିଛନ୍ତି । ଆଜି ମମତାଙ୍କ ଶୋଭାଯାତ୍ରା ବିଧାନ ସାରନିଠାରେ ଥିବା ସ୍ୱାମୀ ବିବେକାନନ୍ଦ ପ୍ରତିମୂର୍ତ୍ତିରୁ ଆରମ୍ଭ ହୋଇ ଗାନ୍ଧି ଭବନ ଯାଏ ଯାଇଥିଲା । ଏହି ସମୟରେ ମମତା କହିଛନ୍ତି, “ବିଜେପି ଭଳି କେହି ଦୁର୍ନୀତି ଗ୍ରସ୍ତ ଦଳ ନାହିଁ । ସେହି ଦଳ ପ୍ରତି ଲୋକମାନେ ସତର୍କ ରହିବା ଦରକାର। ପ୍ରଧାନମନ୍ତ୍ରୀ କହୁଛନ୍ତି ସମଗ୍ର ଦେଶରେ ଏନଆରସି ଲାଗୁ କରିବା ପାଇଁ କୌଣସି ଆଲୋଚନା ହୋଇନାହିଁ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ସମଗ୍ର ଦେଶରେ ଏନଆରସି ଲାଗୁ ହେବ । ଦୁଇଟି ଯାକ କଥା ପରସ୍ପର ଠାରୁ ଭିନ୍ନ । ଏହି ଦୁଇଜଣ ଏତେବଡ଼ ଦେଶକୁ ମିଛକଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ସେମାନେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି । ଭାରତ ବର୍ଷର ଭବିଷ୍ୟତ ନଷ୍ଟକରିବାକୁ ଏଦୁହେଁ ଚକ୍ରାନ୍ତ କରୁଛନ୍ତି । ବିଭିନ୍ନ ଉପାୟରେ ସାଧାରଣ ଲୋକଙ୍କ ପଇସା ଠକିନେଇ ପୁଞ୍ଜିପତି ଅମ୍ବାନୀ ଆଦିଙ୍କୁ ପୋଷୁଛନ୍ତି । ବର୍ତମାନ ଜାତି ଜାତି ଭିତରେ ଭେଦଭାବ ସୃଷ୍ଟି କରି ଦେଶକୁ ବିକିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ମମତା ଅଭିଯୋଗକରି ସମସ୍ତେ ବିଜେପି ଓ ମୋଦୀ ବିରୁଦ୍ଧରେ ଏକତ୍ରିତ ହେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ମମତାଙ୍କ ସମେତ ରାଜ୍ୟର ବହୁ ବଡ ବଡ ନେତାମାନେ ଯୋଗଦେଇ ଜଣେ ଅଧାପାଠୁଆ ପ୍ରଧାନ ମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକଳାପକୁ ନେଇ ଉଦବେଦ ପ୍ରକାଶ କରିଥିଲେ ।