ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ଅଗଷ୍ଟ ୯ ତାରିଖ ହେଉଛି କ୍ରାନ୍ତି ଦିବସ । ଏହି ଦିନକୁ ଏକ ନିଆରା ଢଙ୍ଗରେ ପାଳିବ ଜଳେଶ୍ଵର କଂଗ୍ରେସ । ଜଳେଶ୍ୱରର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଏହି ଦିନ ଜି.କେ. ଭଟ୍ଟର ହସ୍ପିଟାଲ ସାମ୍ନାରେ ଦିନ ତମାମ କଂଗ୍ରେସ ପକ୍ଷରୁ ଧାରଣା ଓ ଵିକ୍ଷୋଭ ଆୟୋଜନ କରାଯିବ । ଜି.କେ. ଭଟ୍ଟର ହସ୍ପିଟାଲ, ହାତିଗଡ ସିଏଚସିରେ ସମସ୍ତ ଖାଲିଥିବା ଡାକ୍ତର ପଦବୀ ପୂରଣ, ୧୦ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ଓ ଏଲ. ଟି. ନିଯୁକ୍ତି, ସେଠାରେ ଟେଷ୍ଟ ଲାବ ଖୋଲିବା ଇତ୍ୟାଦି ଦାବିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ l ଜଳେଶ୍ୱରର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଏଠାକାର ଜନସାଧାରଣ, ବିଭିନ୍ନ ସାମାଜିକ ଅନୁଷ୍ଠାନ, ରାଜନୈତିକ ଦଳ ବିଭିନ୍ନ ବାଟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ମଧ୍ୟ କିଛି ସୁଫଳ ମିଳିନାହିଁ l ପ୍ରାଥମିକ ସ୍ୱାସ୍ଥ୍ୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜି କେ ଭଟ୍ଟର ହସ୍ପିଟାଲରେ ଡାକ୍ତର ପଦବୀ ଖାଲି ପଡ଼ିଛି l ନିକଟରେ ୧୦ ଜଣ ଡାକ୍ତର ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କ ଭିତରୁ ତିନି ଜଣଙ୍କୁ ଛାଡି ଦେଲେ ଅନ୍ୟମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି l ଆଶ୍ଚର୍ଯ୍ୟର ବିଷୟ ହେଉଛି, ସର୍ଜରି ବିଭାଗରେ ଜଣେ ଡାକ୍ତରଙ୍କୁ ଜି.କେ. ଭଟ୍ଟର ହସ୍ପିଟାଲରେ ନିଯୁକ୍ତି ଦିଆଯାଇ ତାଙ୍କୁ ଏସସିବି କଟକରେ କାର୍ଯ୍ୟ କରିବାକୁ ନିର୍ଦେଶନାମା ବାହାରିଛି l ଏହା ଜଳେଶ୍ୱର ବାସୀଙ୍କ ପ୍ରତି କଟା ଘାରେ ଚୂନ ଦେଲା ଭଳି କଥା l ଏହାର ପ୍ରତିବାଦରେ ଏବଂ ନିମ୍ନଲିଖିତ ଦାବି ଗୁଡିକୁ ତୁରନ୍ତ ପୂରଣ କରିବା ଦାବିରେ କଂଗ୍ରେସ ଜି କେ ଭଟ୍ଟର ହସ୍ପିଟାଲ ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମ ଆୟୋଜନ କରିଛି l ଏହାକୁ ସଫଳ କରିବା ପାଇଁ ଜଳେଶ୍ୱରର ସଚେତନ ନାଗରିକ, ବିଭିନ୍ନ ଗଣ ସଂଗଠନ, ସାମାଜିକ ସଂଗଠନ ମାନଙ୍କୁ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ବ୍ଲକ ସଭାପତି ରାଜୀବ ପରିଡା, ଟାଉନ ସଭାପତି ଗିରିଜା ଶଙ୍କର ଦାସ, ବରିଷ୍ଟ କଂଗ୍ରେସ ନେତା ସତ୍ୟ ସୁନ୍ଦର ଦାସ, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର ପ୍ରମୁଖ ନିବେଦନ କରିଛନ୍ତି l ଦାବି ସମୂହ –
୧) ଜି.କେ.ଭଟ୍ଟର ହସ୍ପିଟାଲ, ହାତିଗଡ ସିଏଚସି ଓ ସମସ୍ତ ପିଏଚସି ଗୁଡିକରେ ଖାଲିଥିବା ଡାକ୍ତର ପଦବୀ ପୂରଣ
ସବୁ ଡାକ୍ତରଖାନା ଗୁଡିକରେ ଉନ୍ନତ ପାଥୋଲୋଜି ଲାବ ଖୋଲିବା ସହିତ ଏଲ.ଟି. ନିଯୁକ୍ତି l
୨) ଜି.କେ. ଭଟ୍ଟର ହସ୍ପିଟାଲରେ ଶିଶୁ ଓ ମାତୃ ମଙ୍ଗଳ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା l
୩) ହାତିଗଡ ସିଏଚସିର ଉନ୍ନତି କରଣ, ଏମ ଆର ଆଇ, ଆଧୁନିକ ଏକ୍ସରେ ତଥା ଅନ୍ୟ ଡାକ୍ତରୀ ପରୀକ୍ଷା ସୁବିଧା ।
୪) ଅଫ ଲାଇନରେ ଟୀକାକରଣ ସୁବିଧା ।
୫) ଡବ୍ଲ୍ୟ ଏଚ ଓ ପ୍ରସ୍ତାବିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଳେଶ୍ୱରରେ ପ୍ରତିଷ୍ଠା କରିବା ।
୬) ଜଳେଶ୍ୱରରେ ଅଧିକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ।
୭) ସ୍ୱାସ୍ଥ୍ୟ ଆମ ଅଧିକାର l ସେ ଅଧିକାର ପାଇଁ ଜଳେଶ୍ୱରବାସୀ ଏକ ହୋଇ ଲଢେଇ କରିବାକୁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି l
ରିପୋର୍ଟ : ଭୂପତି ପରିଡା