

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ସନ୍ଧ୍ୟାରେ ଭୁବନେଶ୍ଵର ସହରରୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଏକ ଶାନ୍ତି ପୂର୍ଣ୍ଣ ରାଲିରେ ଶହ ଶହ ପୁରୁଷ ମହିଳା ଓଡ଼ିଶାରେ ମଦ ମାଦକଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ ନିମନ୍ତେ ଦାବି ନେଇ ନବୀନ ନିବାସ ଘେରାଉ କରିବା ଅଭିମୁଖେ ଯାଉଥିବା ବେଳେ ପୋଲିସ ରାସ୍ତାରେ ସେମାନଙ୍କୁ ଅଟକାଇଥିଲା । ସେଠି ଯେତେବେଳେ ଆନ୍ଦୋଳନକାରୀମାନେ ଧାରଣାରେ ବସିଥିଲେ ତୁରନ୍ତ ସେମାନଙ୍କୁ ପୋଲସ ଗିରଫ କରିବା ଆରମ୍ଭ କରିଥିଲେ । ଏହାକୁ ନେଇ ଦେଶର ଶିକ୍ଷିତ ଯୁବକମାନେ ପ୍ରଶ୍ନ କରୁଛନ୍ତି ଯେତେବେଳେ ଚାଷର ଜମିକୁ ପାଣି ନାହିଁ, ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି କି ରୋଜଗାର ନାହିଁ, ଗାନ୍ଧିର ଦେଶରେ ମଦର ବନ୍ୟା କଣ ପାଇଁ ? ସେତେବେଳେ ଏ ନିଷ୍ଠୁର ନିରହୃଦୟୀ ସରକାର ଉତ୍ତର ଦେବା ବଦଳରେ ଲାଠି ଗୁଳି ଜେଲ ହାଜତ ଦେଖାଉଛନ୍ତି କଣ ପାଇଁ ? ତେଣୁ ପୋଲିସ ଗିରଫ କରିଥିବା ଆନ୍ଦୋଳନକାରୀଙ୍କୁ ଜାମିନ୍ ବିହୀନ ଖଲାସ କରିବା ଦାବିରେ ଛତ୍ରପୁର ସହରରେ କ୍ରାନ୍ତି ଯୁବ ଛାତ୍ରସଂଘ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସଂଘର ସଭାପତି ଇଜୁ ଆମିନ୍ ଖାନ୍, ସଂପାଦକ ଜାଲଲ ଖାନ୍, ସୁବୋଧ ସୁମନ ସ୍ୱାଇଁ, ଦୀପକ ରାଉଳ, ମହେଶ ଗୌଡ, ଅଭିଷେକ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଗୌଡ, ଚାଷୀନେତା ସିମାଞ୍ଚଳ ନାହାକ, କାଳୁ ଚରଣ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


