ଆସିକା (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗରର ଆସିକା ରୋଡ ସୁବୁଦ୍ଧି ଦେବୀ ବିଦ୍ୟାଳୟର ସୁରଭି କାର୍ଯ୍ୟକ୍ରମ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏବିଇଓ ଲୋକନାଥ ପାଢୀ, ଏ ବିଇଓ ରବିନ୍ଦ୍ର ନାଥ ତ୍ରିପାଠୀ, ପୂର୍ବତନ କୋରପରେଟର ଅଶୋକ ଶୁକ୍ଳ, ପ୍ରଧାନ ଶିକ୍ଷକ ମହମ୍ମଦ ଜାହିରରୁଦିନ ଅତିଥି ଭାବେ ଯୋଗଦେଇ ପ୍ରଦୀପ ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାସହ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ସିଆରସିସି ଜୟସେନ ପ୍ରଧାନ ଓ ମହାନଗର ଏଲିମେଣ୍ଟରି ଶିକ୍ଷକ ସଂଘ ସଭାପତି ରାଜେଶ କୁମାର ତାରିଣୀଙ୍କ ତତ୍ତ୍ୱାବଧାନରେ ଦିନ ତମାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା, କୁଇଜ, ଚିତ୍ରକଳା, ସଂଗୀତ ଓ ଶ୍ରୃତିଲିଖନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । କାର୍ଯ୍ୟକ୍ରମର ୨ୟ ଭାଗରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯ଟି ନୃତ୍ୟ ଦଳ ନିଜ ନିଜର ଦଳଗତ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୁଗ୍ଧ କରିଥିଲେ । ପରିବେଶ ସୁରକ୍ଷା ଓ ଏକତା ହିଁ ବଳ ଉପରେ ଛାତ୍ରଛାତ୍ରୀ ନିପୁଣ ଓ ନିଖୁଣ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୁକ୍କାୟିତ ପ୍ରତିଭାକୁ ଆଗେଇ ଆଣିବା ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ପୂର୍ବତନ କୋରପରେଟର ଅଶୋକ ଶୁକ୍ଳ, ସମାଜସେବୀ ଅନିଲ କୁମାର ଚୌଧୁରୀ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ପରିବେଶ ଉପରେ ଆଧାରିତ ଦଳ ଗତ ନୃତ୍ୟ ପରିବେଷଣ କରି ଜଗବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧ମ ସ୍ଥାନ ଅଧିକାର କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ମହମ୍ମଦ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ଭଙ୍ଗ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା