ଆମ ସମ୍ପର୍କକୁ ତୁମେ ସିନା ସହଜରେ ଭୁଲିଗଲ,
ଭୁଲିଗଲ ଆମର ସେହି ମଧୁର ମୁହୂର୍ତ୍ତ ସବୁକୁ
ମୁଁ କିନ୍ତୁ କିଛି ବି ଭୁଲିପାରୁନି କି ଭୁଲି ପାରିବିନି,
ନା ତୁମକୁ, ନା ସେହି ମୁହୂର୍ତ୍ତ ମାନକୁ
କିଛିକୁ ବି ନୁହେଁ କେବେ ବି ନୁହେଁ ।
କାଲି ଯେମିତି ଭଲପାଉଥିଲି ଆଜି ବି ଠିକ୍ ସେମିତି
ତଫାତ ଏତିକି କାଲି ତୁମେ ମୋ’ ସହ ଥିଲ
କିନ୍ତୁ ଆଜି ଆଉ କାହା ସହ ଅଛ ।।
ମୋ’ ଅଜାଣତରେ ତୁମ ପ୍ରତିଛବି
ମୋ’ ହୃଦୟର କାନଭାସରେ କେବେ କେମିତି ଆଙ୍କି ହୋଇଗଲା
ମୁଁ ନିଜେ ବି ଜାଣିପାରିଲିନି, ଆଉ ଯେତେବେଳେ ଜାଣିଲି,
ଲାଗିଲା ମୁଁ ତୁମ ପ୍ରେମରେ ପଡ଼ିସାରିଛି ସମ୍ପୂର୍ଣ୍ଣ ରୂପେ ।
ମନ ପ୍ରାଣ ଆତ୍ମା ସ୍ତରରେ ତୁମକୁ ନିଜ ଠୁଁ ନିଜର କରିସାରିଛି ଯେମିତି ।।
ତୁମର ଛୋଟ ବଡ଼ ସବୁ କଥା ମୋତେ,
ନିଜର ନିଜର ଲାଗୁଥିଲା ସେତେବେଳେ ।
ଅନାୟାସରେ, ନିଜର ମନ ହୃଦୟକୁ ତୁମ ଠାରେ
ସମ୍ପୂର୍ଣ୍ଣ ସମର୍ପି ଦେଇଥିଲି, କିନ୍ତୁ ମୁଁ କ’ଣ ଜାଣିଥିଲି,
ତୁମର ମୋ’ ପ୍ରତି କେବେ କିଛି ଭଲପାଇବା,
କି ପ୍ରେମ ନଥିଲା ବୋଲି ?
ବହୁତ ଆଘାତ ପାଇଲି ଯେଉଁଦିନ ଜାଣିଲି
ତୁମେ ମୋ’ ଭଳି ଆଉ କେତେ ଯେ
ସରଳ, ନିଷ୍ପାପ ନାରୀର ମନ ଓ ହୃଦୟ ସହ
ଠିକ୍ ଏମିତି ଖେଳ ବି ଖେଳିଛ ।
ତଥାପି ନା ମୁଁ ତୁମକୁ ଭୁଲ୍ ବୁଝିଲି ନା ଦୋଷୀ ମାନିଲି,
ନା ଦୋଷ ଦେଲି ୲
ନିଜ ପାଖରେ କିଛି କମି ରହିଗଲା ବୋଲି ଧରିନେଲି ।।
ବେଳେ ବେଳେ, ବହୁତ ଚେଷ୍ଟା କରେ
ସବୁ କିଛିକୁ ଭୁଲି ଯିବି, ଭୁଲିଯିବି ଆମ ସମ୍ପର୍କକୁ,
ଆମର ସେହି ଅନ୍ତରଙ୍ଗ ମୁହୂର୍ତ୍ତ ସବୁକୁ,
ଯାହା ମୋତେ ପ୍ରତି ମୁହୂର୍ତ୍ତରେ କ୍ଷତାକ୍ତ କରୁଛି
ଛିନ୍ ଭିନ୍ କରୁଛି, ମୋ’ ନିରୀହ ଆବେଗ ସବୁକୁ, ମୋ’ ଅନ୍ତରାତ୍ମାକୁ ।।
କିନ୍ତୁ ପାରୁନି ଭୁଲି ହାରିଯାଉଛି ସବୁବେଳେ ନିଜ ପାଖରେ ନିଜେ ।
ବେଳେ ବେଳେ,
ବହୁତ ଖୁସି ଅଛି ବୋଲି ବାହାରକୁ ମିଛରେ ସିନା, ଦେଖେଇ ହେଉଛି ।।
କାମର ଚାପରେ, ନିଜକୁ ସବୁବେଳେ ବ୍ୟସ୍ତ ରଖୁଛି,
କିନ୍ତୁ ….. କ’ଣ ମୁଁ ତୁମକୁ ଭୁଲି ପାରୁଛି ?
ସବୁ ବ୍ୟସ୍ତତାକୁ ଆଡ଼େଇ
ତୁମ ଭାବନା ସବୁ ବାର୍ ବାର୍ ଚାଲି ଆସୁଛି ଆପଣା ଛାଏଁ
ମୋ’ ମନ ଆକାଶକୁ ଆଚ୍ଛାଦିତ କରି,
ସତେକି ଅଦିନିଆ ଭସା ମେଘ ଖଣ୍ଡ ମାନ ।
ଆଉ ବିନା ଶ୍ରାବଣରେ ବରଷି ଯାଉଛି
ମୋ’ ଦୁଇ ଆଖିର ଲୁହ ଧାର ହୋଇ ।।
ଆଜି ବି ମୁଁ ବଞ୍ଚିଛି, ପ୍ରାଣହୀନ ଜୀବଟିଏ ପରି
ସତେ ଯେମିତି ଜଳ ବିହୁନେ ଜଳ ଜୀବଟିଏ ।
ପ୍ରତି ମୁହୂର୍ତ୍ତରେ ମୋର ମନ ଆଉ ବିବେକ ମଧ୍ୟରେ
ଚାଲିଛି ଘମାଘୋଟ ଲଢ଼େଇ ଦୁଇଟି ବିରୋଧୀ ଦଳ ପରି ।।
ମନକୁ ଯେତେ ବି ଭୁଲାଇବାକୁ ଚେଷ୍ଟା କରୁଛି,
କିଛି ମୁହୂର୍ତ୍ତ ପରେ
ସେ ବୁଲି ବାଲି ଆସି କେନ୍ଦ୍ରୀଭୂତ ହେଉଛି,
କେବଳ ତୁମ ପାଖରେ ତୁମରି ଭାବନାରେ ।।
ହୃଦୟର ସମସ୍ତ କୋହ ଆବେଗକୁ ହୃଦୟରେ ଚାପି ରହିବାର
ସମସ୍ତ ପ୍ରୟାସ ମୋର ବୃଥା ଓ ନିଷ୍ଫଳ ଯାଉଛି ।
ଅମାନିଆ ଲୁହକୁ ଆଖିର ବନ୍ଦ ପଲକ ମଧ୍ୟରେ
ଲୁଚାଇବା ଯେ’ କେତେ କଷ୍ଟ ତାହା କେବଳ ଅନୁଭବୀ ହିଁ ବୁଝିଛି ।
ନା ମୁଁ ଲୁଚାଇ ପାରୁଛି ମୋ’ ଆଖିର ଲୁହକୁ ନା, ତୁମେ ଦେଇଥିବା
ଛଳନା, ଅବିଶ୍ଵାସ ଓ ପ୍ରତାରଣାର ଛୁରାରେ ସେହି କ୍ଷତାକ୍ତ କ୍ଷତକୁ ।।
ଆଉ କାହା ସହ ନୂଆ ସମ୍ପର୍କ ଗଢ଼ିବାକୁ ବି
ଆଜି ଡ଼ର ଲାଗୁଛି ମୋତେ ।
ମୁଁ ଜାଣେ, ମୋ’ ପ୍ରେମର ଉପହାର ରୂପେ ତୁମେ ଦେଇଥିବା କ୍ଷତଟି
ଆଉ କେବେ ବି ପୂରଣ ହେବନି କି ଶୁଖିବ ବି ନାହିଁ
କାରଣ ସେ କ୍ଷତର ସମ୍ପୂର୍ଣ୍ଣ ଉପଚାର ପାଇଁ ନା କିଛି ଔଷଧ, ନା ମଲମ
କେହି ବି ତିଆରି କରି ପାରିନି ଆଜି ଯାଏ ……….।।
ଲେଖକ – ସଂଯୁକ୍ତା ରାଉତ
ଜୟପୁର, କୋରାପୁଟ
(ସମୃଦ୍ଧ ଓଡିଶା) ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା