

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ହିଁ ଗଣତନ୍ତ୍ରର ରକ୍ଷା କବଚ ବୋଲି ଗୋପାଳପୁରସ୍ଥିତ ସେଣ୍ଟ ଭିନସେଣ୍ଟ ରିଟ୍ରେଡ ସେଣ୍ଟର ଠାରେ ଅନୁଷ୍ଠିତ ଦୁଇଦିନିଆ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ (ଏଏସଏମଏନଆଇ)ର ୨୦ତମ ରାଷ୍ଟ୍ରୀୟ ଅଧିବେଶନରେ ବିଭିନ୍ନ ବକ୍ତା ମତ ପ୍ରକାଶ କରିଛନ୍ତି । ଏହି ଅଧିବେଶନରେ ରାଷ୍ଟ୍ରୀୟ ସଭାପତି କେଶବ ଦତ୍ତ ଚାନ୍ଦୋଲା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ଭେଷଜବିତ୍ ଡ଼ାକ୍ତର ପ୍ରଫୁଲ ଚନ୍ଦ୍ର ସାହୁ ଉଦଘାଟନ କରି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ବାଦପତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ହିଁ ସାଧାରଣ ଜନତାଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି କହିଥିଲେ । ମୁଖ୍ୟବକ୍ତା ରୂପେ ପ୍ରେମର ସଭାପତି ତଥା ବିଶିଷ୍ଟ ସ ମ । ସମାଜସେବୀ ଜାକୋବ୍ ଥୁଣ୍ଡିଲ୍ ଯୋଗଦେଇ କଲମର ଧାର ଖଣ୍ଡାଧାର ଠାରୁ ଅଧିକ ତୀକ୍ଷ୍ଣ ଏବଂ ସମାଜରୁ ଦୁର୍ନୀତି, ଭ୍ରଷ୍ଟାଚାରକୁ ରୋକିବା ଦିଗରେ ନିଷ୍ଠାପର ଉଦ୍ୟମ କର;ୁ ବୋଲି କହିଥିଲେ । ସେ ଆହୁରି କହିଥିଲେ ସମ୍ବିଧାନର ମୂଳମନ୍ତ୍ରକୁ ଆଧାର କରି ସମ୍ବାଦପତ୍ରମାନେ ନିଜର ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ବକ୍ତା ଅବସରପ୍ରାପ୍ତ ଜଜ୍ ଅବନି ରଞ୍ଜନ ଦାଶ ଗଣତାନ୍ତ୍ରିକ ବ୍ୟବସ୍ଥାର ସମସ୍ତ ସ୍ତମ୍ଭରେ ଅଧୋପତନ ଦେଖାଦେଇଥିବା ବେଳେ କେବଳ ଖବରକାଗଜମାନେ ହିଁ ତାକୁ ସୁରକ୍ଷା ଦେବାରେ ସଫଳ ହୋଇପାରିବେ ବୋଲି କହିଥିଲେ । ସେ ଆହୁରି କହିଲେ, ସାବର୍ଜନୀକ କ୍ଷେତ୍ରରେ କର୍ମକୁ ଗୁରୁତ୍ୱ ଦିଆନଯାଇ ଦେଶରେ କେବଳ ଭାଷଣବାଜି ଚାଲିଥିବାରୁ ଉଦବେଗ ପ୍ରକାଶ କରିଥିଲେ । ବିଶିଷ୍ଟ ପରିବେଶବିତ୍ ତଥା ସ୍ୱାଭିମାନର ସମ୍ପାଦକ ପ୍ରଫୁଲ୍ଲ ସାମନ୍ତରା ତାଙ୍କ ଭାଷଣରେ ବଡ଼ ବଡ଼ ସମ୍ବାଦପତ୍ରମାନେ କର୍ପୋରେଟ୍ ହାଉସ ଦ୍ୱାରା ପରିଚାଳିତ ହେଉଥିବା ବେଳେ କେବଳ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ହିଁ ସମାଜର ପ୍ରକୃତ ଚିତ୍ରକୁ ପ୍ରତିପାଦନ କରିଥାନ୍ତି । କିନ୍ତୁ ସେମାନଙ୍କୁ ଚାପି ଦେବା ପାଇଁ ଉଦ୍ୟମ କରାଯାଉଛି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ । ସ୍ୱାଗତ ସମିତିର ଅଧ୍ୟକ୍ଷ ତଥା ଶ୍ରମିକ ନେତା ଭାଗିରଥୀ ମହାରଣା ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମ୍ପାଦକମାନଙ୍କୁ ସ୍ୱାଗତ ଜଣାଇ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ସମ୍ବାଦପତ୍ରମାନେ ଆଇନା ଭଳି କାମ କରିଥାନ୍ତି ବୋଲି କହିଥିଲେ । ପ୍ରଥମେ ଓଡ଼ିଶା ଶାଖାର ସଭାପତି ରବି ରଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ । ଅତିଥି ଭାବେ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶଙ୍କର କତିରା, ସଂଗଠନ ସମ୍ପାଦକ ଲଙ୍ଗ୍ସିଂ ଟେରନ୍, ପୂର୍ବତନ ସାଧାରଣ ସମ୍ପାଦକ ଅଶୋକ ଚତୁର୍ବେଦୀ, ବିନୋଦ ମହାପାତ୍ର, ଭଜରାମ ମହାପାତ୍ର, ପ୍ରଦୀପ୍ତ ପରିଡ଼ା, ଚିତ୍ତରଞ୍ଜନ ସ୍ୱାଇଁ, ପୁରୁଷୋତ୍ତମ ପଲାଇ ପ୍ରମୁଖ ଯୋଗଦେଇ ନିଜ ଅଭିଭାଷଣ ରଖିଥିଲେ । ଶେଷରେ ଆଗାମୀ ଦୁଇବର୍ଷ ପାଇଁ ସଂଘର କର୍ମକର୍ତ୍ତା ନିର୍ବାଚନ କରାଯାଇ ପୁଣି ରାଷ୍ଟ୍ରୀୟ ସଭାପତି ଭାବେ କେଶବ ଦତ୍ତ ଚାନ୍ଦୋଲା ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ଭାରତ ବର୍ଷର ପ୍ରାୟ ୧୮ଟି ରାଜ୍ୟରୁ ୧୫୦ ପ୍ରତିନିଧି ଯୋଗ ଦେଇଥିଲେ ।
ରିପୋର୍ଟ : ରବି ରଥ, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

