

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟାରେ ଖାଲି ପଡ଼ିଥିବା ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୁରଣ କରିବା, ପରୀକ୍ଷାଗାରରେ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବା ସହ ପାଠାଗାରରେ ପର୍ଯ୍ୟାପ୍ତ ପରିମାଣରେ ବହି ଯୋଗାଇ ଦେବା ଓ ବିଶ୍ୱବିଦ୍ୟାଳୟ ପାଇଁ ଉପଯୁକ୍ତ ଭିତ୍ତିଭୂମି ବିକାଶ କରିବା ଆଦି ଦାବିରେ ଅଲ୍ ଇଣ୍ଡିଆ ଡ଼ି ଏସ ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବା ସହ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଜରିଆରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଏବଂ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଅଧ୍ୟକ୍ଷଙ୍କ ଜରିଆରେ ଗଣ ଶିକ୍ଷାମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହା ସହ ଅଲ୍ ଇଣ୍ଡିଆ ଡ଼ି ଏସ ଓ ସର୍ବଭାରତୀୟ କମିଟିର ଡାକରାରେ ଛାତ୍ର ସଂହତି ସପ୍ତାହ ପାଳନ ଅବସରରେ ଶିକ୍ଷା ଧ୍ବଂସକାରୀ NEP-2020 ନକଲକୁ ଦାହ କରି ଅବଲମ୍ବେ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦୃଢ ଦାବି କରାଯାଇଛି l ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୧ ତାରିଖ ଦିନ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ସରକାର ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି l ନାହିଁ ନାହିଁ ଭିତରେ ଏହି ଏକକ ବିଶ୍ୱବିଦ୍ୟାଳୟ ଗଠିତ ହୋଇଛି l ଏଠାରେ ସ୍ନାତକ ପାଠ୍ୟକ୍ରମର ୧୮ଟି ବିଭାଗ ସହ ସ୍ନାତକତ୍ତର ଓ M.Phil ପାଠ୍ୟକ୍ରମରେ ପ୍ରାୟ ପାଞ୍ଚ ହଜାର ବିଦ୍ୟାର୍ଥୀ ପାଠପଢୁଛନ୍ତି l କିନ୍ତୁ ବିଭାଗ ଗୁଡିକରେ ମଞ୍ଜୁର ପଦ ଠାରୁ ଷାଠିଏ ଭାଗ ପଦଵୀ ଖାଲିପଡ଼ିଛି l ସେଥିରୁ ଅଧାରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି ପଡିଛି l ଏତେ ସଂଖ୍ୟାକ ଛାତ୍ରଛାତ୍ରୀ ପଢୁଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟର ସମସ୍ୟା ସମାଧାନ ଦିଗରେ ଉଚ୍ଚ ଶିକ୍ଷା ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ l ପରୀକ୍ଷାଗାର ପୁରୁଣା ହୋଇଯାଇଥିଲେ ମଧ୍ୟ ତାହାର ନିର୍ମାଣ ହେଉନାହିଁ ଏବଂ ଆବଶ୍ୟକୀୟ ଉପକରଣ ନାହିଁ l ପାଠାଗାରରେ ପର୍ଯ୍ୟାପ୍ତ ପରିମାଣର ବହି ଉପଲବ୍ଧ ନାହିଁ l ବିଶ୍ୱବିଦ୍ୟାଳୟ ପାଇଁ ଯେଉଁ ଶୈକ୍ଷିକ ଓ ସାଂସ୍କୃତିକ ବାତାବରଣର ଆବଶ୍ୟକ ତାହା ଅଭାବ ହେଉଛି l ପୂର୍ବରୁ ନଜିର ରହିଛି ରେଭେନ୍ସ ବିଶ୍ୱବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପରେ ଆବଶ୍ୟକୀୟ ମୁତାବକ ଅଧ୍ୟାପକ ପଦବୀ ପୂରଣ କରିବା ପ୍ରତି ବଦଳରେ ଅଧ୍ୟାପକ ସଂଖ୍ୟା କମି ଯାଇଛି l ସେହି ଭଳି ଆଖି ଦୃଶିଆ ଗୁଣଗତ ପରିବର୍ତ୍ତନ ହୋଇନାହିଁ l ବରଂ ବିଶ୍ୱବିଦ୍ୟାଳୟ ହେବା ପରେ ପ୍ରତ୍ୟେକ ବିଭାଗରେ ବିଭିନ୍ନ ଆଳ ଦେଖାଇ ଫିସ୍ ବୃଦ୍ଧି କରାଯାଇଛି l ପିପିପି ମୋଡ଼ରେ ବିଭିନ୍ନ ବିଭାଗମାନ ଖୋଲିବା ଫଳରେ ଛାତ୍ରଛାତ୍ରୀମାନେ ଫିସ୍ ବୃଦ୍ଧିର ଶିକାର ହେଉଛନ୍ତି l ଏଭଳି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଆଉ ଏକ ବିଶ୍ୱବିଦ୍ୟାଳୟ କେତେ ଦୂର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରିବ ଯାହାକି ସାଧାରଣ ଜନମାନସରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଅନ୍ୟ ପଟରେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସ୍ଥା କଥା କହିଲେ ମଧ୍ୟ ନସରେ l ଏହି ବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡିଛି, ପରୀକ୍ଷାଗାରରେ ଆବଶ୍ୟକୀୟ ଉପକରଣ ଓ ପାଠାଗାରରେ ବହି ନାହିଁ । ତେଣୁ ଏହି ସମସ୍ୟା ଗୁଡ଼ିକର ସମାଧାନ ତୁରନ୍ତ କରିବା ପାଇଁ ଡି.ଏସ. ଓ ପକ୍ଷରୁ ଦାବି କରାଯାଇଛି । ଜାତୀୟ ଶିକ୍ଷା ନୀତି-୨୦୨୦ ଯାହାକି ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ ଓ ସାମ୍ପ୍ରଦାୟୀକରଣ ଏକ ନୀଳନକ୍ସା ଅଟେ ତେଣୁ ଏହି ଶିକ୍ଷା ବିରୋଧୀ, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି -୨୦୨୦କୁ ଅବିଳମ୍ବେ ପ୍ରତ୍ୟାହାର କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ ଦାବି କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଡ଼ି ଏସ ଓ ଓଡିଶା ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ ସମେତ ନାରାୟଣ ସାହୁ, ପପୁନ ସାହୁ, କିସାନ ସାହୁ, କାମରାଜ ସାହୁ, ବିଭୁତି ଭୂଷଣ ସାହୁ, ଶୁଭସ୍ମିତା ପାଣିଗ୍ରାହୀ, ତୋଫାନ ସାହୁଙ୍କ ସହ ଅନେକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା