ପୁରୀ (ସମୃଦ୍ଧ ଓଡିଶା) ଚାଷ କାମ ଆଗକୁ ବଢୁନି । କେଉଁଠି ଜମିରେ ବେକେ ପାଣି ଜମି ରହିଛି ତ ଆଉ କେଉଁଠି ଜମି ଫାଟି ଆଁ କଲାଣି । ଚାଷ କାମ ଆଗକୁ ବଢୁନଥିବାରୁ ଚାଷୀକୁଳଙ୍କୁ ଚିନ୍ତା ଘାରିଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ ଅଞ୍ଚଳରେ ଜଳସେଚନର କୌଣସି ସୁବିଧା ନ ଥିବା ବେଳେ ଉଦ୍ବୃତ ବନ୍ୟାଜଳ ଚାଷଜମିରୁ ନିଷ୍କାସିତ ହୋଇ ପାରେ ନାହିଁ । ଏହି ଅସୁବିଧା କାରଣରୁ ଏ ଅଞ୍ଚଳର ଚାଷୀ ରବି ଋତୁରେ ହିଁ ଧାନ ଚାଷ କରିଥାନ୍ତି । ଏହା ସେମାନଙ୍କ ପରିବାର ପ୍ରତିପୋଷଣର ମୁଖ୍ୟ ପନ୍ଥା ପାଲଟିଥାଏ। ତେବେ ଅକ୍ଟୋବର ମାସରୁ ଚାଷକାମ ଆରମ୍ଭ ହୋଇଯିବା କଥା । କିନ୍ତୁ ଅକ୍ଟୋବର ଯାଇ ନଭେମ୍ବର ମାସ ହେଲାଣି ପଛେ ଚାଷକାମ ଆରମ୍ଭ ହୋଇ ପାରିନାହିଁ । ଖାଲୁଆ ଅଞ୍ଚଳରେ ଥିବା ଧାନ କ୍ଷେତରେ ବେକେ ଲେଖାଏ ପାଣି ଜମି ରହିଛି। କ୍ଷେତରେ ପାଣି ରହି କଇଁ ଫୁଲ ଫୁଟିଲାଣି । ବର୍ଷା ପାଣି ନିଷ୍କାସନର ବାଟ ବନ୍ଦ ହୋଇ ଯାଇଥିବା ବେଳେ ନଦୀ ଓ କେନାଲରେ ଦଳ ଭର୍ତ୍ତି ହୋଇ ରହିଥିବାରୁ ଖାଲୁଆ ଜମିରୁ ପାଣି ନିଷ୍କାସନ ହୋଇ ପାରୁନାହିଁ । ଯାହା ଫଳରେ ଚାଷକାମ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ଢିପ ଜମିରେ ପାଣି ଅଭାବରୁ ଚାଷକାମ ଆଗେଇ ପାରୁନାହିଁ। ଏଭଳି ପରିସ୍ଥିତିରେ ନା କ୍ଷେତ ବେଉଷଣ ହୋଇପାରୁଛି ନା ତଳି ପଡି ପାରୁଛି । ପ୍ରତ୍ୟେକ ବର୍ଷ ରବି ଋତୁରେ ବ୍ରହ୍ମଗିରି ଅଞ୍ଚଳରେ ୨୫ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥାଏ । କିନ୍ତୁ ଚାଷକାମ ଏଯାବତ୍ ଆରମ୍ଭ ହୋଇ ନଥିବାରୁ ୨୫ଟି ପଞ୍ଚାୟତରେ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଛି ।