ଖୁବଶୀଘ୍ର ଦାମ ରାଉତ ଗଢ଼ିବେ ନୂଆ ଦଳ:ନବୀନଙ୍କୁ ହଟାଇବା ଏକ ମାତ୍ର ଲକ୍ଷ ହେବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ବିଧାୟକ ଡା.ଦାମୋଦର ରାଉତ ନୂଆ ଆଞ୍ଚଳିକ ଦଳ ଗଠନ କରିବେ ବୋଲି ବୁଧବାର ସଙ୍କେତ ଦେଇଛନ୍ତି । ନୂଆ ଦଳ ଗଠନ ନେଇ ସଙ୍କେତ ଦେବା ସହ ସେ କହିଛନ୍ତି, ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପଶାସନ ବିରୋଧରେ ଏହି ଦଳ ଗଢ଼ା ହେବ । ଆସନ୍ତା ନଭେମ୍ବର ୯ ଓ ୧୦ରେ ଏ ନେଇ ବୈଠକ ହେବ ଏବଂ ନଭେମ୍ବର ୧୧ ବା ୧୨ ତାରିଖରେ ଏ ବାବଦରେ ସ୍ପଷ୍ଟ ସୂଚନା ଦିଆଯିବ । ନୂଆ ଆଞ୍ଚଳିକ ଦଳ ନିର୍ବାଚନରେ କାହା ସହ ମେଣ୍ଟ  କରିବ ନାହିଁ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରେ ରଖିବା ପାଇଁ ସେ ଆଗ୍ରହୀ ବୋଲି ଡା. ଦାମୋଦର ରାଉତ ସୂଚନା ଦେଇଛନ୍ତି । ତେବେ ଆଞ୍ଚଳିକ ଦଳ ଗଠନରେ ସରକାର ବାଧକ ସାଜୁଥିବା ସେ ଅନ୍ୟପକ୍ଷରେ ଅଭିଯୋଗ କରିବା ସହିତ ସରକାର ଆମ ନେତାଙ୍କ ଭିତରେ ବିଭେଦ ପାଇଁ ଉଦ୍ୟମ କରୁଥିବା ବି କହିଛନ୍ତି ଡା. ରାଉତ । ଓଡ଼ିଶାରେ ୧୮ ବର୍ଷ  ଶାସନ କରି ନବୀନ ପଟ୍ଟନାୟକ ରାଜକୋଷକୁ ଲୁଣ୍ଠନ କରି ଚାଲିଛନ୍ତି । ନିର୍ମଳ ଭାବମୁର୍ତ୍ତି ଦେଖାଇ ରାଜକୋଷ ଖାଲିପଡିବା ତାଙ୍କର ଏକ ମାତ୍ର ଲକ୍ଷ ତେଣୁ ନବୀନଙ୍କୁ ଓଡିଶାରୁ ହଟାଇବା ମୋର ଏକମାତ୍ର ଲକ୍ଷ ବୋଲି କହିଛନ୍ତି ।

 ରିପୋର୍ଟ : ଶରତ କୁମାର ବେହେରା