ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖୁବୁଶିଘ୍ର ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ‘ଗଞ୍ଜାମ ହାଟ’ । କୋଣାର୍କ ମନ୍ଦିର ହ୍ୱିଲ ଷ୍ଟାଇଲରେ ନିର୍ମାଣ ହେବାକୁ ଥିବା ହାଟରେ ଜିଲ୍ଲା ତଥା ଜିଲ୍ଲା ବାହାରର କଳା ଓ ସଂସ୍କୃତି ସହ ସମସ୍ତ ପ୍ରକାରର ମନୋରଞ୍ଜନ ଭିତ୍ତିକ ସାମଗ୍ରୀ ରହିବ ବୋଲି ଜଣାପଡିଛି । ଏଥିସହ ମୁକ୍ତାକାଶ ରଙ୍ଗମଞ୍ଚ, ପ୍ରାତଃ ଭ୍ରମଣ ପାଇଁ ମଧ୍ୟ ସ୍ୱତନ୍ତ୍ର ଚଲାପଥ ଓ ଭିନ୍ନକ୍ଷମଙ୍କ ପାଇଁ ଓପନ ଜିମର ବ୍ୟବସ୍ଥା ରହିବ ବୋଲି କୁହାଯାଇଛି । ସହରର କର୍ପୋରେସନ ରୋଡ଼ରେ ତଥା ବିଜୁ ପଟ୍ଟନାୟକ ପାର୍କ ସାମ୍ନାରେ ଥିବା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିସ୍ତୀର୍ଣ୍ଣ ପଡିଆକୁ ଏଥିପାଇଁ ଚିହ୍ନଟ କରାଯାଇଛି । ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିବା ବେଳେ ୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ଗଞ୍ଜାମ ହାଟର ଡିଜାଇନ ମଧ୍ୟ ଅନୁମୋଦନ ହୋଇଛି । ଆଗାମୀ ୪୫ ଦିନ ମଧ୍ୟରେ ଟେଣ୍ଡର କାର୍ଯ୍ୟ ସାରିବା ପରେ ଏହାର ନିର୍ମାଣ କାମ ଆରମ୍ଭ ହେବ ବୋଲି ବିଡିଏର ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ବ୍ରହ୍ମପୁର ଉପକଣ୍ଠ ହଲ ହଳଦିଆପଦର ବସଷ୍ଟାଣ୍ଡ ଆସନ୍ତା ଅକ୍ଟୋବର ମାସ ୨ ତାରିଖରୁ କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, ଗୋପାଳପୁର ବିଧାୟକ ପ୍ରତୀପ ପାଣିଗ୍ରାହୀଙ୍କ ସମେତ ସମସ୍ତ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା